LIVE TV
LIVE TV

ଭୋଟ୍ ଦେଲେ ମିଳିବ ୧୦ ଲକ୍ଷ ଟଙ୍କା ! ଗାଁ ଲୋକଙ୍କୁ ଲୋଭ ଦେଖାଇଲେ ମନ୍ତ୍ରୀ

NEWS7
shilpa-shetty-to-hrithik-roshan-this-is-how-much-bollywood-celebrities-were-paid-for-judging-reality-shows

ନୂଆଦିଲ୍ଲୀ, ୨୭/୧୧: ଭୋଟ୍ ପାଇଁ ଲାଞ୍ଚ ! ଅଡୁଆରେ କେନ୍ଦ୍ର ସରକାରରେ ମନ୍ତ୍ରୀ ଥିବା ବିଜେପି ନେତା ବନ୍ଦି ସଞ୍ଜୟ କୁମାର । ଯଦି ଗାଁ ଲୋକେ ବିଜେପିକୁ ଭୋଟ୍ ଦିଅନ୍ତି ତେବେ ସେ ଗାଁ ପିଛା ୧୦ ଲକ୍ଷ ଟଙ୍କା ଦେବେ ବୋଲି କହିଛନ୍ତି । ଯାହାକୁ ନେଇ ବିବାଦ ବଢିଛି ।

ରିପୋର୍ଟ ଅନୁସାରେ, ବନ୍ଦି ସଞ୍ଜୟ କୁମାର ନିଜ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି । ଏଥିରେ ସେ ଲେଖିଛନ୍ତି ଯେ, ବିଜେପି ସମର୍ଥିତ ପ୍ରାର୍ଥୀଙ୍କୁ ଜିତାଇଲେ କରିମନଗରରେ ଥିବା ଗାଁ ଲୋକଙ୍କୁ ୧୦ ଲକ୍ଷ ଟଙ୍କା ମିଳିବ । ଟଙ୍କାକୁ ବିକାଶମୂଳକ କାର୍ଯ୍ୟରେ ବ୍ୟବହାର କରାଯିବ । ବିଜେପି ସମର୍ଥିତ ସରପଞ୍ଚ ଜିତିଲେ ସେ ସିଧାସଳଖ ଗାଁ ପିଛା ୧୦ ଲକ୍ଷ ଟଙ୍କା ଦେବେ । ଏହା ସାଂସଦ ପାଣ୍ଠିରୁ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି ।

ସେ ଆହୁରି ଲେଖିଛନ୍ତି ଯେ, ତାଙ୍କ ପାଖରେ ସାଂସଦ ପାଣ୍ଠି ରହିଛି । ଏହାକୁ ବିକାଶ କାର୍ଯ୍ୟରେ ବ୍ୟବହାର କରାଯାଏ । ଶିକ୍ଷା ଏବଂ ସ୍ୱାସ୍ଥ୍ୟର ବିକାଶ ପାଇଁ ଟଙ୍କା ବିନିଯୋଗ ହୁଏ । କେନ୍ଦ୍ରମନ୍ତ୍ରୀ ହିସାବରେ ସେ ପଞ୍ଚାୟତର ବିକାଶ ପାଇଁ ଆହୁରି ଟଙ୍କା ବିନିଯୋଗ କରିପାରିବେ ।

ନିଜ ଏକ୍ସରେ ସେ ଆହୁରି ଲେଖିଛନ୍ତି ଯେ, କଂଗ୍ରେସ ଏବଂ ବିଆରଏସ ପୂର୍ବରୁ ଅନେକ ପ୍ରତିଶ୍ରୁତି ଦେଇଛନ୍ତି । କିନ୍ତୁ ସେମାନେ ପ୍ରତିଶ୍ରୁତି ରକ୍ଷା କରିବାରେ ବିଫଳ ହୋଇଛନ୍ତି । କେବଳ ବିଜେପି ଟଙ୍କା ଆଣିପାରିବ । ବିକାଶ କରିପାରିବ । ବିରୋଧୀଙ୍କ ଚାଲରେ ନଫସିବାକୁ ସେ ସୋସିଆଲ ମିଡିଆରେ ଲେଖିଛନ୍ତି । ଏହାସହ ବିଜେପି ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟ୍ ଦେବାକୁ ନିବେଦନ କରିଛନ୍ତି ।

ସୂଚନାଯୋଗ୍ୟ, ସଞ୍ଜୟ କୁମାରଙ୍କ ପୂର୍ବରୁ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ୱାରଙ୍କ ଏକ ବୟାନ ଭାଇରାଲ ହୋଇଥିଲା । ଯେଉଁଥିରେ ସେ ମାଲେଗାଓଁ ନଗର ପଞ୍ଚାୟତରେ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ୍ ନଦେଲେ ଅର୍ଥ ପ୍ରଦାନ କରିବେ ନାହିଁ ବୋଲି କହିଥିଲେ । ଉଦ୍ଧବ ଠାକରେଙ୍କ ଶିବସେନା ନେତା ଅମ୍ବାଦାସ ଦାନଭେ ଅଜିତଙ୍କ ବୟାନକୁ ବିରୋଧ କରିବା ସହ ଏହା ଭୋଟରଙ୍କୁ ସିଧାସଳଖ ଧମକ ବୋଲି ସେ କହିଥିଲେ । ଏହାସହ ନିର୍ବାଚନ କମିଶନ ଘଟଣାରେ କଣ ପାଇଁ ଚୁପ୍ ଅଛନ୍ତି ବୋଲି ସେ ପ୍ରଶ୍ନ କରିଥିଲେ ।