କାମରେ ନଲାଗି ଫେରିଗଲା ସରକାରୀ ପାଣ୍ଠି, କର୍ତ୍ତୃପକ୍ଷଙ୍କ ଅପାରଗତା ପ୍ରତିବାଦରେ ଅଧ୍ୟାପକ-ଅଧ୍ୟାପିକାଙ୍କ ଆନ୍ଦୋଳନ

NEWS7
sharukh-khan-donated-his-office-for-quarantine-ward-in-mumbai

କଟକ ୩।୧: ରେଭେନ୍ସା ଭଳି ବିଶ୍ୱବିଦ୍ୟାଳୟରେ ସରକାରୀ ପାଣ୍ଠି ବିନିଯୋଗ କରିପାରୁନାହାନ୍ତି କର୍ତ୍ତୃପକ୍ଷ । ବିଶ୍ବବିଦ୍ୟାଳୟ ଭିତ୍ତିଭୂମିର ବିକାଶ ପାଇଁ ସରକାର ଦେଇଥିବା ୧୭ କୋଟି ଟଙ୍କା ଇତି ମଧ୍ୟରେ ବିନିଯୋଗ ନହେବାରୁ ଫେରିଯାଇଛି । ବିଶ୍ବବିଦ୍ୟାଳୟର ପାଠାଗାର, ଶ୍ରେଣୀଗୃହ ଓ ଛାତ୍ରାବାସ, ଛାତ୍ରୀନିବାସର ଭିତ୍ତିଭୂମି ଅତ୍ୟନ୍ତ ଖରାପ ସ୍ଥିତିରେ ଥିବାବେଳେ ଭିତ୍ତିଭୂମି ସଜାଡିବାକୁ ଆସିଥିବା ଟଙ୍କା ଫେରିଯିବାକୁ ନେଇ ଅଧ୍ୟାପକ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଅଧ୍ୟାପକ ମାନେ ରେଭେନ୍ସା କର୍ତ୍ତୃପକ୍ଷଙ୍କର ଏଭଳି ଅପାରଗତା ପ୍ରତିବାଦରେ ଆନ୍ଦୋଳନ ଆରମ୍ଭ କରିଛନ୍ତି ।

୨୦୧୮ ମସିହାରୁ ରେଭେନ୍ସା ବିଶ୍ଵବିଦ୍ୟାଳୟର ଭିତ୍ତିଭୂମି ବିକାଶ ପାଇଁ ଆସିଥିବା ୧୭ କୋଟି ଟଙ୍କା ଫେରିଯାଇଥିଵା ଅଭିଯୋଗ କରିଛନ୍ତି ଅଧ୍ୟାପକ, ଅଧ୍ୟାପିକା ମାନେ । ରେଭେନ୍ସା ବିଶ୍ଵବିଦ୍ୟାଳୟର ଭିତ୍ତିଭୂମି ଦିନକୁ ଦିନ ଜରାଜୀର୍ଣ୍ଣ ହେଉଥିବା ବେଳେ ଭିତ୍ତିଭୂମି ବିକାଶ ପାଇଁ ସରକାର ଦେଉଥିବା ଟଙ୍କା କର୍ତ୍ତୃପକ୍ଷ ବିନିଯୋଗ କରିନପାରିବା ଦୁର୍ଭାଗ୍ୟଜନକ ବୋଲି ଆନ୍ଦୋଳନରତ ଅଧ୍ୟାପକ ମାନେ ମତ ଦେଇଛନ୍ତି । ରେଭେନ୍ସାର କନିକା ପାଠାଗାର, ଯାହା ରାଜ୍ୟର ଦିନେ ଗର୍ବଗୌରବ ଥିଲା ତାହା ଏବେ ବହି ଅଭାବରୁ ଜରାଜୀର୍ଣ୍ଣ ହୋଇପଡିଛି । ସେହିପରି ଛାତ୍ରାବାସ, ଛାତ୍ରୀ ନିବାସ ଅବସ୍ଥା ମଧ୍ୟ ଜରାଜୀର୍ଣ୍ଣ ହୋଇପଡିଛି । ଏପରିକି ଅଧିକାଂଶ ଶ୍ରେଣୀ ଗୃହ ମରାମତି ଅଭାବରୁ ବିପଦସଙ୍କୁଳ ଅବସ୍ଥାରେ ରହିଛି । ଏଭଳି ପରିସ୍ଥିତିରେ ବିଶ୍ବବିଦ୍ୟାଳୟ ଉନ୍ନୟନ ପାଇଁ ଆସିଥିବା ଟଙ୍କା ଫେରିଯିବାକୁ ନେଇ ଅଧ୍ୟାପକ-ଅଧ୍ୟାପିକା ମାନେ ଆନ୍ଦୋଳନ ଆରମ୍ଭ କରିଛନ୍ତି ।

ଶିକ୍ଷକ ଆନ୍ଦୋଳନ ପରେ ରେଭେନ୍ସା କୁଳପତି ଓ ରେଜିଷ୍ଟ୍ରାର ଆନ୍ଦୋଳନରତ ଅଧ୍ୟାପକ, ଅଧ୍ୟାପିକା ମାନଙ୍କ ସହ ଆଲୋଚନା କରିଛନ୍ତି । ରେଭେନ୍ସା କୁଳପତି କହିଛନ୍ତି ଏଭଳି ଅଭିଯୋଗ ନେଇ ଆନ୍ଦୋଳନରତ ଶିକ୍ଷକ ମାନେ ଏ ନେଇ ତାଙ୍କ ସହ ଆଗରୁ କୌଣସି ଆଲୋଚନା କରି ନାହାନ୍ତି । କୁଳପତିଙ୍କ ସହ ଆଲୋଚନା ପରେ କିନ୍ତୁ ଅଧ୍ୟାପକ, ଅଧ୍ୟାପିକା ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । କୁଳପତି ଅଧିକାଂଶ ସମସ୍ୟା ପାଇଁ ଦାୟିତ୍ବରେ ଥିବା ବିଭିନ୍ନ ଅଧ୍ୟାପକଙ୍କ ଉପରେ ଦୋଷ ଲଦି ଦେଇଛନ୍ତି ।