LIVE TV

ଜାଣନ୍ତୁ ମୈଥିଲୀ ଠାକୁରଙ୍କ ସଙ୍ଗୀତରୁ ରାଜନୀତି ଯାତ୍ରାର ଇତିବୃତ୍ତି

NEWS7
share-market-in-green-signal-sensex-increases-432-point

ମଧୁବନୀ ୧୫।୧୧: ବିହାର ନିର୍ବାଚନ ମୈଦାନକୁ ପ୍ରଥମ ଥର ଭାଗ୍ୟ ପରୀକ୍ଷା ପାଇଁ ଓହ୍ଲାଇଥିବା ମୈଥିଲୀ ଠାକୁର ବମ୍ପର ବିଜୟ ଲାଭ କରିଛନ୍ତି। ଏହି ବିଜୟ ସହିତ ମୈଥିଲୀ ବିହାରର ସବୁଠୁ ଯୁବ ବିଧାୟକ ହେବାର ସୌଭାଗ୍ୟ ହାସଲ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ମୈଥିଲୀ ଠାକୁର ବିହାର ଅଲିନଗରରୁ ବିଜେପି ପ୍ରାର୍ଥୀ ହୋଇଥିଲେ ଓ ସେ ୧ଲକ୍ଷ ୧୭ ହଜାର ୩୦ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ୨୫ ବର୍ଷ ବୟସ୍କା ମୈଥିଲୀ ରାଜନୀତିରେ ଭାଗ୍ୟ ପରୀକ୍ଷା କରିବା ପୂର୍ବରୁ ରିୟଲିଟି ସୋରେ ମଧ୍ୟ ଅଂଶଗ୍ରହଣ କରିଥିଲେ। ରିୟଲିଟି ସୋ ତାଙ୍କୁ ବେସ୍ ପ୍ରଚାର ଓ ପ୍ରସାର ଦେଇଥିଲେ ବି ସେ ଜିତି ପାରିନଥିଲେ। ହେଲେ ସେ ରାଜନୀତିରେ ସଫଳ ହୋଇଛନ୍ତି। ତେବେ ଆସନ୍ତୁ ଜାଣିବା ସଙ୍ଗୀତରୁ ରାଜନୀତି ପର୍ଯ୍ୟନ୍ତ ତାଙ୍କ ଯାତ୍ରା କିପରି ଥିଲା?

ମୈଥିଲୀଙ୍କ ଜନ୍ମ ୨୫ ଜୁଲାଇ ୨୦୦୦ ରେ ବିହାରର ମଧୂବନୀ ଜିଲ୍ଲା ଉରେନ ଗାଁରେ ହୋଇଥିଲା। ତାଙ୍କ ପରିବାର ସଙ୍ଗୀତ ପ୍ରେମୀ। ତାଙ୍କ ପିତା ରମେଶ ଠାକୁର ସଙ୍ଗୀତକାର ହୋଇଥିବା ସାଙ୍ଗକୁ ମୈଥିଲୀଙ୍କ ପ୍ରଥମ ଗୁରୁ ମଧ୍ୟ ଥିଲେ। ମୈଥିଲୀଙ୍କ ମା ଭାରତୀ ଠାକୁର ଜଣେ ଗୃହିଣୀ। ମୈଥିଲୀଙ୍କ ୨ ଜଣ ଭାଇ ଋଷଭ ଓ ଅୟାଚୀ ଅଛନ୍ତି। ମୈଥିଲୀଙ୍କ ସଙ୍ଗୀତ ଯାତ୍ରାରେ ଦୁଇଭାଇଙ୍କ ବେଶ୍ ଯୋଗଦାନ ରହିଛି। ଦୀର୍ଘ ବର୍ଷ ପୂର୍ବେ ମୈଥିଲୀଙ୍କ ପିତା ଦିଲ୍ଲୀ ଚାଲିଯାଇଥିଲେ। ସେଠାରେ ମୈଥିଲୀଙ୍କ ବାଲ୍ୟ ଶିକ୍ଷା ଆରମ୍ଭ ହୋଇଥିଲା।

ବିହାରର ସବୁଠୁ ଯୁବ ବିଧାୟିକା ମୈଥିଲୀ ତାଙ୍କର ଅନେକ ସାକ୍ଷାତକାରରେ କହିଛନ୍ତି ଯେ ପ୍ରାରମ୍ଭିକ ଶିକ୍ଷା ସେ ଘରେ ଗ୍ରହଣ କରିଥିଲେ। ରିପୋର୍ଟସ ଅନୁସାରେ ମୈଥିଲୀଙ୍କ ପିତା ଦିଲ୍ଲୀ ଚାଲିଯିବା ଯୋଗୁ ସେଠାରେ ମୈଥିଲୀଙ୍କ ଆଡମିସନ ବାଲଭବନ ଇଣ୍ଟରନ୍ୟାସନାଲ ସ୍କୁଲରେ କରିଦିଆଯାଇଥିଲା। ସେ ଜଣେ ମେଧାବୀ ଛାତ୍ରୀ ଥିଲେ, ଏଣୁ ସ୍କୁଲରେ ତାଙ୍କୁ ସ୍କୋଲାରସିପ୍ ମିଳିଥିଲା। ଏହି ସ୍କୁଲରୁ ସେ ଦ୍ୱାଦଶ ଉତୀର୍ଣ୍ଣ ହୋଇଥିଲେ। ପରେ ମୈଥିଲୀ ଦିଲ୍ଲୀ ୟୁନିଭର୍ସିଟିର ଆତ୍ମାରାମ ସନାତନ ଧର୍ମ କଲେଜରୁ ବିଏ ଡିଗ୍ରି ହାସଲ କରିଥିଲେ। ପାଠପଢା ସହିତ ମୈଥିଲୀ ତାଙ୍କ ସଙ୍ଗୀତ ପ୍ରେମକୁ କାୟମ ରଖିଥିଲେ ଓ କ୍ୟାରିୟର ଉପରେ ଫୋକସ କରିଥିଲେ।

ଅଲିନଗର ସିଟ୍ ରୁ ବିଜେପିର ନବ ନିର୍ବାଚିତ ବିଧାୟିକୀ ମୈଥିଲୀ ଠାକୁର ତାଙ୍କ ନିର୍ବଚନୀ ସତ୍ୟପାଠରେ ମୋଟ ସମ୍ପତ୍ତି ପରିମାଣ ୩.୮୨ କୋଟି ଟଙ୍କାରୁ ଅଧିକ ଦର୍ଶାଇଛନ୍ତି। ଏଥିରେ ତାଙ୍କର ଚଳତ ସମ୍ପତ୍ତି ନଗଦ, ବାହନ ଓ ଆଭୂଷଣ ୨.୩୨କୋଟି ଟଙ୍କାର ହୋଇଥିବା ବେଳେ ୧.୫କୋଟି ଟଙ୍କାର ଅଚଳ ସମ୍ପତ୍ତି (ଭୂମି) ଘୋଷଣା କରିଛନ୍ତି। ମୈଥିଲୀଙ୍କ ଆୟର ମୁଖ୍ୟସ୍ରୋତ ଗାୟନ, ସୋସିଆଲ ମିଡିଆ ଓ ବ୍ରାଣ୍ଡଏଣ୍ଡ୍ରୋସମେଣ୍ଟରୁ ଆସିଥାଏ।

ମୈଥିଲୀଙ୍କୁ ଅନେକ ସମ୍ମାନ ଓ ସମ୍ବର୍ଦ୍ଧନା ମିଳିଛି। ୨୦୨୪ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୈଥିଲୀଙ୍କୁ ନ୍ୟାସନାଲ କ୍ରିଏଟର୍ସ ଆୱାର୍ଡରେ ‘କଲଚାରଲ ଆମ୍ବାସେଡର ଅଫ ଦି ଇୟର’ କ୍ୟାଟଗରୀରେ ସମ୍ମାନୀତ କରିଥିଲେ। ଲୋକଗୀତ କ୍ଷେତ୍ରରେ ଯୋଗଦାନ ପାଇଁ ୨୦୨୧ ମସିହାରେ ମୈଥିଲୀ ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ଓସ୍ତାଦ ବିସମିଲ୍ଲା ଖାନ ଯୁବ ପୁରସ୍କାରରେ ସମ୍ବର୍ଦ୍ଧିତ ହୋଇଥିଲେ। ଅତୀତରେ ମୈଥିଲୀ ବିହାରର ମଧୂବନୀ ଜିଲ୍ଲା ଲାଗି ଇଲେକ୍ସନ ଆଇକନ ନିଯୁକ୍ତ ହୋଇଥିଲେ। ୨୦୧୬ ମସିହାରେ ଜିନିୟସ ୟଙ୍ଗ ସିଙ୍ଗିଙ୍ଗ ଷ୍ଟାର ପ୍ରତିଯୋଗୀତାର ମଧ୍ୟ ସେ ବିଜେତା ଥିଲେ।

ବିହାର ରାଜନୀତିରେ ମୈଥିଲୀ ଠାକୁର ବିଜୟୀ ହୋଇ ନା କେବଳ ରାଜନୈତିକ ଦିଗ୍ଗଜଙ୍କୁ ଚମତ୍କୃତ କରିଛନ୍ତି ବରଂ ରାଜନୀତିର ପ୍ରଥମ ପାହାଚ ସଫଳତାର ସହ ଚଢିଛନ୍ତି। ୨୫ବର୍ଷର ଯୁବ ଗାୟିକା ମୈଥିଲୀ ଠାକୁର ବିକାଶ କାର୍ଯ୍ୟକୁ ପ୍ରାଥମିକତା ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ବିହାରରେ ବିଧାୟକଙ୍କ ହାରାହାରି ବୟସ ୫୧ ବର୍ଷ ଓ ମୈଥିଲୀଙ୍କ ପୂର୍ବରୁ ୨୦୧୫ ମସିହାରେ ଆରଜେଡି ନେତା ତେଜସ୍ୱୀ ଯାଦବ ୨୬ ବର୍ଷ ବୟସରେ ବିଧାନସଭାରେ ସବୁଠୁ ଯୁବ ବିଧାୟକ ହୋଇଥିଲେ।