LIVE TV

ବିହାର ରାଜନୀତି: ଏନଡିଏକୁ ନୈତିକ ସମର୍ଥନ ଦେବ ତେଜ ପ୍ରତାପ ଯାଦବଙ୍କ ଦଳ

NEWS7
shanmug-who-found-chandrayan-2s-lander-vikram-said-saw-every-pixel-for-6-hours-every-day-for-16-days-then-debris-was-seen

ପାଟନା: ବିହାର ବିଧାନସଭା ନିର୍ବାଚନରେ ତେଜ ପ୍ରତାପ ଯାଦବଙ୍କ ଦଳ ଜନଶକ୍ତି ଜନତା ଦଳ ଅମାନତ ହରାଇଛି। ଏହା ପରେ ରବିବାର ତେଜ ପ୍ରତାପ ଯାଦବଙ୍କ ବାସଭବନରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ପ୍ରାର୍ଥୀମାନେ ଏହି ପରାଜୟ ଉପରେ ସେମାନଙ୍କର ମତାମତ ପ୍ରକାଶ କରିଥିଲେ। ବୈଠକ ପରେ ଜେଜେଡିର ରାଷ୍ଟ୍ରୀୟ ମୁଖପାତ୍ର ପ୍ରେମ ଯାଦବ କହିଛନ୍ତି ଯେ, ଜନଶକ୍ତି ଜନତା ଦଳ ଏନଡିଏକୁ ନୈତିକ ସମର୍ଥନ ଦେବାକୁ ନିଷ୍ପତ୍ତି ନେଇଛି। ଏହା ସହ ରୋହିଣୀ ଆଚାର୍ଯ୍ୟ (ତେଜ ପ୍ରତାପଙ୍କ ଭଉଣୀ)ଙ୍କ ସହ ଯାହା ଘଟିଛି ତାର ପ୍ରତିଶୋଧ ନିଆଯିବ।

ଦଳ କହିଛି ଯେ, ଆରଜେଡି ଏବେ ସଞ୍ଜୟ ଯାଦବଙ୍କ ଦଳ । ଆଉ ତେଜସ୍ୱୀ ଯାଦବଙ୍କ ଦଳ ନୁହେଁ। ଲାଲୁ ଯାଦବଙ୍କ ନୂତନ ଦଳ ହେଉଛି ଜନଶକ୍ତି ଜନତା ଦଳ। ଆରଜେଡିରୁ ବହିଷ୍କୃତ ହେବା ପରେ, ତେଜ ପ୍ରତାପ ନିଜର ଦଳ ଗଠନ କରିଥିଲେ । ଯାହାର ନାମ ସେ ଜନଶକ୍ତି ଜନତା ଦଳ ରଖିଥିଲେ। ପରବର୍ତ୍ତୀ ସମୟରେ ସେ ମହୁଆରୁ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଥିଲେ । ଯେଉଁଠାରୁ ସେ ୨୦୧୫ରେ ପ୍ରଥମେ ବିଧାୟକ ହୋଇଥିଲେ। ତେଜ ପ୍ରତାପ ଯାଦବ ତାଙ୍କ ଭଉଣୀ ରୋହିଣୀ ଆଚାର୍ଯ୍ୟଙ୍କ ପ୍ରତି ହୋଇଥିବା କଥିତ ଅପମାନ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ସେ କହିଛନ୍ତି, ‘ମୋ ସହିତ ଯାହା ଘଟିଥିଲା ମୁଁ ସହ୍ୟ କରିଥିଲି, କିନ୍ତୁ ମୋ ଭଉଣୀଙ୍କ ପ୍ରତି ହୋଇଥିବା ଅପମାନ କୌଣସି ପରିସ୍ଥିତିରେ ଗ୍ରହଣୀୟ ନୁହେଁ।’ କିଛି ଲୋକଙ୍କୁ "ଜୟଚନ୍ଦ୍ର" ବୋଲି କହି ତେଜ ପ୍ରତାପ କହିଛନ୍ତି ଯେ, ବିହାରର ଲୋକମାନେ ସେମାନଙ୍କୁ କ୍ଷମା କରିବେ ନାହିଁ। ସେ ତାଙ୍କ ପିତା, ଆରଜେଡି ରାଷ୍ଟ୍ରୀୟ ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କୁ କେବଳ ଗୋଟିଏ ସଙ୍କେତ ଦେବାକୁ ଅନୁରୋଧ କରିଛନ୍ତି । ଏହା ପରେ ବିହାରର ଲୋକମାନେ ଏପରି ଲୋକଙ୍କୁ ଶିକ୍ଷା ଦେବେ ବୋଲି ସେ ଦାବି କରିଛନ୍ତି ।

ତେଜ ପ୍ରତାପଙ୍କ ଦଳ ଜେଜେଡି ମୋଟ ୨୨ ଜଣଙ୍କୁ ପ୍ରାର୍ଥୀ କରିଥିଲା। ସମସ୍ତ ପ୍ରାର୍ଥୀ ସେମାନଙ୍କର ଅମାନତ ହରାଇଛନ୍ତି । ତେଜ ପ୍ରତାପ ନିଜେ ମଧ୍ୟ ପରାଜୟ ସ୍ବୀକାର କରିଛନ୍ତି । ସେ ମହୁଆରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ସେ ତୃତୀୟ ସ୍ଥାନରେ ରହିଛନ୍ତି ଏବଂ ୫୧,୯୩୮ ଭୋଟରେ ପରାସ୍ତ ହୋଇଛନ୍ତି। ତାଙ୍କୁ ଲୋକ ଜନଶକ୍ତି ପାର୍ଟି (ଏଲଜେପି)ର ସଞ୍ଜୟ କୁମାର ସିଂହ ପରାସ୍ତ କରିଛନ୍ତି।