କିଛି ଘଣ୍ଟାର ଅପେକ୍ଷା, ବାଜିବ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ବିଗୁଲ: ପ୍ରଥମ ଦିନରେ ଭାରତ-ଆମେରିକା ଟକ୍କର

NEWS7
senior-cricketer-rabi-shastri-once-again-appointed-as-chief-coach-of-team-india-will-work-till-2021

ମୁମ୍ୱାଇ ୦୭/୦୨: ପ୍ରତୀକ୍ଷାର ଅନ୍ତ । ଆଉ କିଛି ଘଣ୍ଟା ପରେ ବାଜିବ ଟି-ଟ୍ୱେଣ୍ଟି ବିଶ୍ୱକପ୍ର ବିଗୁଲ । ୱାଙ୍ଖଡେ ଷ୍ଟାଡିୟମରେ ଆୟୋଜିତ ହେବ ରଙ୍ଗାରଙ୍ଗ ଉଦ୍ଘାଟନୀ ଉତ୍ସବ । ଡିଫେଣ୍ଡିଂ ଚାମ୍ପିଅନ ଭାରତ ଓ ୟୁଏସଏ ଲଢ଼େଇ ପୂର୍ବରୁ କଲମ୍ବୋରେ ପାକିସ୍ତାନ-ନେଦରଲାଣ୍ଡସ ଏବଂ କୋଲକାତାରେ ସ୍କଟଲାଣ୍ଡ-ୱେଷ୍ଟଇଣ୍ଡିଜ ମୁହାମୁହିଁ ହେବେ । ଭାରତ ଓ ଶ୍ରୀଲଙ୍କା ମିଳିତ ଭାବେ ୨୦୨୬ ସଂସ୍କରଣର ଆୟୋଜକ ରହିଛନ୍ତି ।

୨୦ଟି ଦଳକୁ ୪ଟି ଗ୍ରୁପ୍ରେ ଭାଗ କରାଯାଇଛି । ଭାରତରେ ୫ଟି ଏବଂ ଶ୍ରୀଲଙ୍କାରେ ୩ଟି ଷ୍ଟାଡିୟମରେ ମୋଟ୍ ୫୫ଟି ମ୍ୟାଚ୍ ଖେଳାଯିବ । ଏହାକୁ ମିଶାଇ ଦ୍ୱିତୀୟ ଥର ଭାରତ ବିଶ୍ୱକପ୍ ଆୟୋଜନ କରୁଛି । ବାଂଲାଦେଶ ଓ ପାକିସ୍ତାନ ବିଶ୍ୱକପ୍‌ରେ ବିବାଦର ଛିଟା ବୋଳିଛନ୍ତି । ସୁରକ୍ଷା କାରଣ ଦର୍ଶାଇ ବାଂଲାଦେଶ ଭାରତ ଗସ୍ତରେ ଆସିବ ନାହିଁ ବୋଲି ଜିଦ୍ କରିଥିଲା । କିନ୍ତୁ ଆଇସିସି ବାରମ୍ବାର ବୁଝାଇବା ସତ୍ତେ୍ୱ ବି ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି) ବୁଝି ନଥିଲା ।

ଶେଷରେ ବିସିବି ସ୍ଥାନରେ ସ୍କଟଲାଣ୍ଡକୁ ସାମିଲ କରିଥିଲା ଆଇସିସି । ସେମିତି କୌଣସି କାରଣ ନଥାଇ ପାକିସ୍ତାନ ଭାରତ ବିପକ୍ଷ ମ୍ୟାଚ ବୟକଟ କରିବ ବୋଲି କହିଛି । ବାଦ ବିବାଦ ସତ୍ତେ୍ୱ ବିଶ୍ୱ କ୍ରିକେଟ୍‌ ପ୍ରେମୀ ଫଟାଫଟ କ୍ରିକେଟର ଭରପୁର ରୋମାଞ୍ଚ ନେବାକୁ ଅପେକ୍ଷା କରି ରହିଛନ୍ତି । ଏ ପର୍ଯ୍ୟନ୍ତ ୬ଟି ଦଳ ବିଶ୍ୱ ଟାଇଟଲ ଟେକି ଧରିବାର ସୌଭାଗ୍ୟ ଲାଭ କରିଛନ୍ତି । ଇଂଲଣ୍ଡ, ଭାରତ ଓ ୱେଷ୍ଟଇଣ୍ଡିଜ ୨ ଥର ଲେଖାଏଁ ଚାମ୍ପିଅନ ହୋଇଛନ୍ତି । ଥରୁଟିଏ ଲେଖାଏଁ ଫାଇନାଲ ଖେଳିଥିଲେ ବି ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକା ଟାଇଟଲ ଛୁଇଁବାର ସ୍ୱପ୍ନ ସାକାର କରିପାରି ନାହାନ୍ତି ।

ଫେବ୍ରୁଆରୀ ୭ରୁ ଟିଟ୍ୱେଣ୍ଟି ବିଶ୍ୱକପର ଦଶମ ସଂସ୍କରଣ ଆରମ୍ଭ ହେବ । ମାର୍ଚ୍ଚ ୮ ତାରିଖରେ ଫାଇନାଲ ମ୍ୟାଚ୍ ଖେଳାଯିବ । ଭାରତ (ମୁମ୍ବାଇ, ଚେନ୍ନାଇ, ଦିଲ୍ଲୀ, କୋଲକାତା ଓ ଅହମ୍ମଦାବାଦ) ଓ ଶ୍ରୀଲଙ୍କାର (କଲମ୍ବୋ ଓ କାଣ୍ଡି) ୭ଟି ସହରରେ ୨୦ଟି ଦଳ ମୋଟ୍ ୫୫ଟି ମ୍ୟାଚ୍ ଖେଳିବେ । ଉଦ୍ଘାଟନୀ ଦିବସରେ ପାକିସ୍ତାନ ଓ ନେଦରଲାଣ୍ଡସ ପ୍ରଥମ ମ୍ୟାଚ୍ ଖେଳିବେ । ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଗ୍ରୁପ୍ ପର୍ଯ୍ୟାୟ ଏବଂ ୨୨ ତାରିଖରୁ ସୁପର-୮ ପର୍ଯ୍ୟାୟ ଆରମ୍ଭ ହେବ । ମାର୍ଚ୍ଚ ୪ରେ ପ୍ରଥମ ସେମି ଏବଂ ୫ ତାରିଖରେ ଦ୍ୱିତୀୟ ସେମି ଫାଇନାଲ ଖେଳାଯିବ ।