ଭାରତର ବୈଦେଶିକ ମୁଦ୍ରାଭଣ୍ଡାରରୁ ଅଧିକ ହେଲା ଏଲନ ମସ୍କଙ୍କ ନେଟୱର୍ଥ

NEWS7
sbi-slash-fix-deposit-interest-rate-once-again-know-the-changes

ନୂଆଦିଲ୍ଲୀ ୨୧।୧୨: ଆମେରିକାର ଦିଗ୍ଗଜ ବ୍ୟବସାୟୀ ଏଲନ ମସ୍କଙ୍କର ମୋଟ ସମ୍ପତ୍ତି ବଢି ୭୪୮.୯ ବିଲିୟନ ଡଲାରକୁ ପହଞ୍ଚିଛି। ଏହା ଭାରତର ମୋଟ ବୈଦେଶିକ ମୁଦ୍ରା ଭଣ୍ଡାର ଠାରୁ ମଧ୍ୟ ଅଧିକ। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ଙ୍କ ଅନୁସାରେ ୧୨ ଡିସେମ୍ବରରେ ସମାପ୍ତ ହୋଇଥିବା ସପ୍ତାହରେ ଭାରତର ମୋଟ ବୈଦେଶିକ ମୁଦ୍ରାଭଣ୍ଡାର ୬୮୮.୯୪୯ ବିଲିୟନ ଡଲାର ରହିଛି। ଉଲ୍ଲେଖଯୋଗ୍ୟଯେ ଆମେରିକାର ଡେଲାୱେର ସୁପ୍ରିମକୋର୍ଟ ଶୁକ୍ରବାର ମସ୍କଙ୍କ ୨୦୧୮ ବେତନ ପ୍ୟାକେଜ ଲାଗୁ କରିଛନ୍ତି।

ଡେଲାୱେର କୋର୍ଟ ଟେସ୍ଲା ପକ୍ଷରୁ ମସ୍କଙ୍କୁ ଦିଆଯାଉଥିବା ବେତନ ପ୍ୟାକେଜକୁ ୨୦୨୪ରେ ରଦ୍ଦ କରିଦେଇଥିଲା। ୨୦୧୮ ପ୍ୟାକେଜ୍ ଶୁକ୍ରବାର ଟେସ୍ଲା ଷ୍ଟକ୍ ମୂଲ୍ୟ ଆଧାରରେ ପାଖାପାଖି ୧୩୯ ବିଲିୟନ ଡଲାର ଥିଲା। ଯଦି ମସ୍କ ଏହି ବେତନ ପ୍ୟାକେଜର ସମସ୍ତ ଷ୍ଟକ୍ ବିକଳ୍ପ ଉପଯୋଗ କରନ୍ତି ତାଙ୍କ ଭାଗ ପାଖାପାଖି ୧୨.୪%ରୁ ବଢି ୧୮.୧% ହୋଇଯିବ। ସମ୍ପତ୍ତିରେ ହୋଇଥିବା ତାଜା ବୃଦ୍ଧି ମସ୍କଙ୍କୁ ବିଶ୍ୱର ପ୍ରଥମ ଟ୍ରିଲିୟନେୟର ହେବା ଲାଗି ମାର୍ଗ ସୁଗମ କରିଛି। ଗତ ସପ୍ତାହରେ ମସ୍କ ୬୦୦ ବିଲିୟନ ଡଲାର ସମ୍ପତ୍ତି ସହ ବିଶ୍ୱର ପ୍ରଥମ ଧନାଢ୍ୟ ବ୍ୟକ୍ତି ଥିଲେ।

ଫୋର୍ବସ ଅନୁସାରେ ସୋମବାର ମସ୍କଙ୍କ ମୋଟ ସମ୍ପତ୍ତି ପାଖାପାଖି ୬୭୭ ବିଲିୟନ ଡଲାର ଥିଲା। ମସ୍କଙ୍କ ସମ୍ପତ୍ତିରେ ଏପରି ବୃଦ୍ଧି ତାଙ୍କ ସ୍ପେସ୍ କମ୍ପାନୀ ସ୍ପେସ୍-ଏକ୍ସ ଯୋଗୁ ହୋଇଛି। ସ୍ପେସ୍-ଏକ୍ସ ଆଗାମୀ ବର୍ଷ ୧.୫ ଟ୍ରିଲିୟନ ଡଲାରର ଆଇପିଓ ଆଣିବାକୁ ପ୍ରସ୍ତୁତି କରୁଛି। ନିକଟରେ କମ୍ପାନୀର ମୂଲ୍ୟାୟନ ୮୦୦ ବିଲିୟନ ଡଲାରକୁ ପହଞ୍ଚିଛି। ମସ୍କଙ୍କ ନିକଟରେ ସ୍ପେସ-ଏକ୍ସର ପାଖାପାଖି ୪୨% ଅଂଶିଦାରୀ ରହିଛି। କମ୍ପାନୀର ମୂଲ୍ୟାୟନ ବୃଦ୍ଧି ଯୋଗୁ ମସ୍କଙ୍କ ସମ୍ପତ୍ତିରେ ୧୬୮ ବିଲିୟନ ଡଲାର ବୃଦ୍ଧି ହୋଇଛି।