LIVE TV

ପାହାଡ ଉପରୁ ଧୁମକେତୁ ଉପରେ ନଜର : ବଡ ସଫଳତା ହାସଲ କଲା ଇସ୍ରୋ

NEWS7
saturday-and-sunday-will-shutdown-in-odisha

ନୂଆଦିଲ୍ଲୀ, ୨୦|୧୧: ମହାକାଶ ବିଜ୍ଞାନରେ ଭାରତକୁ ବଡ ସଫଳତା । ଏବେ ମହାଜାଗତିକ ବସ୍ତୁ ଉପରେ ନଜର ରଖୁଛି ଇସ୍ରୋ । ଧୂମକେତୁଠୁ ଆରମ୍ଭ କରି ଅନ୍ୟ ଗ୍ରହ ଉପର ଗତିବିଧିକୁ ଟ୍ରାକ୍ କରୁଛି ଭାରତୀୟ ମହାକାଶ ସଂସ୍ଥା । କୌଣସି ସାଟେଲାଇଟ୍ ଜରିଆରେ ନୁହେଁ ବରଂ ଟେଲିସ୍କୋପ ମାଧ୍ୟମରେ ଏହା ସମ୍ଭବପର କରି ଦେଖାଇଛନ୍ତି ଭାରତୀୟ ବୈଜ୍ଞାନିକ ।

ରିପୋର୍ଟ ଅନୁସାରେ, ଫିଜିକାଲ ରିସର୍ଚ୍ଚ ଲାବୋରେଟୋରୀ ବା ପିଆରଏଲର ବୈଜ୍ଞାନିକମାନେ ମାଉଣ୍ଟ୍ ଆବୁଠାରେ ୧.୨ ମିଟର ଟେଲିସ୍କୋପ୍ ଜରିଆରେ ଏକ ବଡ ଉପଲବ୍ଧି ହାସଲ କରିଛନ୍ତି । ସେମାନେ ୩୧/ଆଟ୍ଲାସ ନାମକ ଧୂମକେତୁର ଗତିବିଧିକୁ ଟ୍ରାକ୍ କରିପାରିଛନ୍ତି। ଯାହା ସୌରମଣ୍ଡଳ ବାହାରୁ ଆସିଥିଲା । ସୂର୍ଯ୍ୟର ସବୁଠୁ ନିକଟତର ହେବା ପରେ ଏହା ଏବେ ବାହାରକୁ ଯାଉଛି ।

ତେବେ ଗତ ୧୨ରୁ ୧୫ ତାରିଖ ମଧ୍ୟରେ ବୈଜ୍ଞାନିକମାନେ ଇମେଜିଂ ମୋଡ୍ରେ ଧୂମକେତୁ ଉପରେ ନଜର ରଖିଥିଲେ। ଧୂମକେତୁର ପ୍ରକାର ବାବଦରେ ମାଉଣ୍ଟଆବୁରେ ଥିବା ଟେଲିସ୍କୋପ୍ ତଥ୍ୟ ପ୍ରଦାନ କରୁଛି । ଟେଲିସ୍କୋପ୍ରୁ ଦେଖିବାକୁ ମିଳିଛି ଯେ, ଗ୍ୟାସ୍ ଓ ଧୂଳିର ଉଜ୍ଜ୍ୱଳ ବଳୟ ଧୂମକେତୁକୁ ଘେରି ରହିଛନ୍ତି । ସୂର୍ଯ୍ୟର ତାପ ଧୂମକେତୁର ମଧ୍ୟ ଭାଗରେ ଥିବା ବରଫକୁ ତରଳାଇଲେ ଗ୍ୟାସ୍ ଓ ଧୂଳି ମହାକାଶରେ ବ୍ୟାପୁଛି ।

୩୧/ ଆଟ୍ଲାସ ସୌରମଣ୍ଡଳକୁ ପ୍ରବେଶ କରିଥିବା ଧୁମକେତୁ ତାଲିକାରେ ତିନି ନମ୍ବର ସ୍ଥାନରେ ରହିଛି। ଏହାକୁ ୨୦୨୫ ଜୁଲାଇ ମାସରେ ଆଟ୍ଲାସ ସର୍ଭେ ଦ୍ୱାରା ଏହା ଠାବ କରାଯାଇଥିଲା। ହାଇପର୍ବୋଲିକ୍ ପାଥ୍ରେ ଯାତ୍ରା କରୁଥିବା ଏହି ଧୂମକେତୁ ଅନ୍ୟ ସୌରଜଗତରୁ ଆସିଥିବା ବୈଜ୍ଞାନିକ ମାନେ ଜାଣିବାକୁ ପାଇଥିଲେ । ଯାହା କେବେ ସେହି ସୌରଜଗତକୁ ଫେରିବ ନାହିଁ । ତେବେ ବୈଜ୍ଞାନିକମାନେ ଏହାକୁ ଅତି ପାଖରୁ ଅଧ୍ୟୟନ କରୁଛନ୍ତି । କାରଣ ଏହାର ୩,୫୦୦ ବର୍ଷ ପୁରୁଣା ବରଫ ଅନ୍ୟ ଗ୍ରହ ବାବଦରେ ତଥ୍ୟ ଦେବ । ଏପରିକି ଜୀବସତ୍ତା ଉପରେ ସବିଶେଷ ତଥ୍ୟ ପ୍ରଦାନ କରିବ ।

ସୂଚନାଯୋଗ୍ୟ, ରାଜସ୍ଥାନରେ ଥିବା ମାଉଣ୍ଟ୍ ଆବୁ ଅବ୍ଜର୍ଭେଟୋରୀ ଗୁରୁଶିଖର ଶୃଙ୍ଗରେ ରହିଛି । ଯାହା ସମୁଦ୍ର ପତ୍ତନଠୁ ୧୬୮୦ ମିଟର ଉଚ୍ଚରେ ଅବସ୍ଥିତ । ଏହାକୁ ବାହାର ଗ୍ରହ ଏବଂ ଧୁମକେତୁର ଗତିବିଧି ଜାଣିବା ପାଇଁ ବ୍ୟବହାର କରାଯାଏ । ଖାଲି ଏତିକି ନୁହେଁ ସୌରମଣ୍ଡଳର ଅନ୍ୟ ମହାଜାଗତିକ ବସ୍ତୁ ଯଥା ଉଲକା, ଲାଞ୍ଜତାରା ଆଦିକୁ ଏହା ସାହାଯ୍ୟରେ ଭଲଭାବେ ଦେଖିହୁଏ ।