ଅଜିତଙ୍କ ମୃତ୍ୟୁ ପରେ ସୁନେତ୍ରା ପାୱାରଙ୍କୁ ବଡ଼ ଭୂମିକା ଦେବାକୁ ବିଚାର କରୁଛି NCP, ଜାଣନ୍ତୁ ମିଳିବ କେଉଁ ପଦ?

NEWS7
saroj-sisodia-of-rajasthan-reached-kbcs-hot-seat-one-step-away-from-becoming-a-millionaire

ମୁମ୍ବାଇ ୨୯।୧: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାରଙ୍କୁ ରାଜ୍ୟ ମନ୍ତ୍ରୀମଣ୍ଡଳରେ ସାମିଲ କରିବାକୁ ବିଚାର କରୁଛି। ବରିଷ୍ଠ ଏନସିପି ନେତା ତଥା ମହାରାଷ୍ଟ୍ର ଖାଦ୍ୟ ଏବଂ ଔଷଧ ପ୍ରଶାସନ ମନ୍ତ୍ରୀ ନରହରି ଜିରୱାଲ କହିଛନ୍ତି ଯେ ଜନତାଙ୍କ ଭାବନା ସୁନେତ୍ରା ପାୱାରଙ୍କୁ ରାଜ୍ୟ ସରକାରରେ ସାମିଲ କରିବା ପକ୍ଷରେ। ସେ କହିଛନ୍ତି ଯେ ଲୋକଙ୍କ ସ୍ପଷ୍ଟ ଦାବି ସୁନେତ୍ରା ପାୱାର ଯାହାଙ୍କୁ ‘ଭଉଣୀ’ କୁହାଯାଏ ତାଙ୍କୁ ମନ୍ତ୍ରାଳୟ ଦାୟିତ୍ୱ ଦିଆଯିବା ଉଚିତ।

ଏହି ବୟାନ ଏପରି ସମୟରେ ଆସିଛି ଯେତେବେଳେ ଅଜିତ ପାୱାରଙ୍କ ମୃତ୍ୟୁ ପରେ ଏନସିପି ଭବିଷ୍ୟତକୁ ନେଇ ନାନା କଳ୍ପନାଜଳ୍ପନା ଲାଗି ରହିଛି। ଏଥିରେ ଏହା ବି ପ୍ରଶ୍ନ ହୋଇ ଛିଡା ହୋଇଛି ଏନସିପି ଏବେ ଶରଦ ପାୱାରଙ୍କ ଗୋଷ୍ଠୀ ସହ ପୁଣି ମିଶିବ ନା କ୍ଷମତାସୀନ ମହାଯୁତୀ ସହ ଆଗକୁ ବି ମେଣ୍ଟ ଜାରି ରଖିବ? ଇଣ୍ଡିଆ ଟୁଡେରେ ପ୍ରକାଶିତ ଏକ ରିପୋର୍ଟରେ ସୂତ୍ରଙ୍କ ଅନୁସାରେ ପ୍ରଫୁଲ୍ଲ ପଟେଲ, ଛଗନ ଭୁଜବଳ,ଧନଞ୍ଜୟ ମୁଣ୍ଡେ ଓ ସୁନୀଲ ତଟକରେଙ୍କ ସମେତ ଏନସିପିର ବରିଷ୍ଠ ନେତାମାନେ ନେତୃତ୍ୱ, ଉତ୍ତରାଧିକାର ଓ ରାଜନୈତିକ ଅନ୍ତରୀଣ ପରାମର୍ଶରେ ସୁନେତ୍ରା ପାୱାରଙ୍କ ସହ ବୈଠକ କରିଛନ୍ତି।

ସୁନେତ୍ରା କହିଛନ୍ତି ଯେ ଯଦି ନିର୍ବାଚନ ଘୋଷଣା ହୁଏ ତେବେ ସେ ଅଜିତ ପାୱାରଙ୍କ ଆବର୍ତ୍ତମାନରେ ରିକ୍ତ ହୋଇଥିଲା ଆସନ ବାରାମତୀରୁ ନିର୍ବାଚନ ଲଢି ପାରନ୍ତି, ଯାହା ସକ୍ରିୟ ନିର୍ବାଚନରେ ସୁନେତ୍ରାଙ୍କ ଔପଚାରିକ ପ୍ରବେଶ ହେବ। ରିପୋର୍ଟରେ ଏହା ବି ସଂକେତ ଦିଆଯାଇଛି ଯେ ସୁନେତ୍ରାଙ୍କୁ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ କରିବାକୁ ପ୍ରସ୍ତାବ ରହିଛି। କାରଣ ଅଜିତ ପାୱାର ମହାୟୁତୀ ସରକାରରେ ଉପମୁଖ୍ୟମନ୍ତ୍ରୀ ଅଛନ୍ତି। ଏନସିପି ପ୍ରସ୍ତାବରେ ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ନିଯୁକ୍ତି ମଧ୍ୟ ସାମିଲ ରହିଛି।

ଏଣୁ ପାର୍ଟିର ବରିଷ୍ଠ ନେତାମାନେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀଶଙ୍କୁ ଭେଟି ଏହି ପ୍ରସ୍ତାବ ସହ ମହାୟୁତୀ ସରକାରରେ ଭବିଷ୍ୟତର ରୋଡ ମ୍ୟାପ ଉପରେ ଚର୍ଚ୍ଚା କରିବେ। ପାର୍ଟି ସୂତ୍ର ଅନୁସାରେ ଏନସିପି କାର୍ଯ୍ୟକାରୀ ଅଧ୍ୟକ୍ଷ ପ୍ରଫୁଲ୍ଲ ପଟେଲ ଏହି ଫାଙ୍କା ସମୟରେ ସଙ୍ଗଠନର ନେତୃତ୍ୱ ନେବାରେ ଅଗ୍ରଣୀ ଭୂମିକା ନିର୍ବାହ କରିବେ ବୋଲି ଆଶା କରାଯାଉଛି। ଅଜିତପାୱାରଙ୍କ ନେତୃତ୍ୱାଧୀନ ଏନସିପି ଗୋଷ୍ଠୀ ଓ ଶରଦ ପାୱାରଙ୍କ ନେତୃତ୍ୱାଧୀନ ଏନସିପି( ଶରଦ) ମଧ୍ୟରେ ସମ୍ଭାବିତ ବିଲୟ ପ୍ରଶ୍ନ ଉପରେ କିଛି ଲୋକଙ୍କ କହିବା କଥା ହେଉଛି ବର୍ତ୍ତମାନ ଲାଗି ଆଲୋଚନା ସ୍ଥଗିତ ରହିବ । ତେବେ ନଗରପାଳିକା ନିର୍ବାଚନ ପରେ ପର୍ଦ୍ଦା ପଛପଟେ ଏ ନେଇ ବାର୍ତ୍ତା ଚାଲିଥିଲା।

ଜିରୱାଲ କହିଛନ୍ତି ଯେ ବିମାନ ଦୁର୍ଘଟଣା ପରେ ପାର୍ଟି ଭିତରେ ଥିବା ଅନେକ ମତପାର୍ଥକ୍ୟ ଦୂର ହୋଇଯାଇଛି, ନେତାମାନେ ଅନୁଭବ କରିଛନ୍ତି ଯେ ଅଲଗା ଅଲଗା ରହିବା ଦ୍ୱାରା କିଛି ଲାଭ ହେବ ନାହିଁ। ଅଧିକାରୀକ ସଂସଦୀୟ ଅଭିଲେଖ ଅନୁସାରେ ସୁନେତ୍ରା ଏବେ ରାଜ୍ୟସଭା ସାଂସଦ ଅଛନ୍ତି। ଅଜିତ ପାୱାରଙ୍କ ଏନସିପି ଗୋଷ୍ଠୀ ମହାରାଷ୍ଟ୍ରର ଶାସକ ମେଣ୍ଟର ଏକ ମୁଖ୍ୟ ସହଯୋଗୀ, ଯେଉଁଥିପେ ବିଜେପି ଓ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନା ମଧ୍ୟ ରହିଛି।