ପନ୍ତଙ୍କ ଜାଗା ନେଇଯିବେ ଇଶାନ କିଷାନ ! ଭାରତ-ନ୍ୟୁଜିଲାଣ୍ଡ ସିରିଜରେ କାହାକୁ ମିଳିବ ଚାନ୍ସ ?

NEWS7
sara-ali-khan-and-karthik-aryan-spotted-in-airport

ନୂଆଦିଲ୍ଲୀ, ୨୯/୧୨: ଜାନୁଆରୀ ୧୧ରୁ ଖେଳାଯିବ ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ୍ । ଦଳରେ ବିସିସିଆଇ କାହାକୁ କିପର୍ ଭାବେ ନେବ ତାକୁ ନେଇ ସସପେନ୍ସ ଜାରି ରହିଛି । ଦଳ ପାଖରେ ଋଷଭ ପନ୍ତ ଏବଂ ଇଶାନ କିଷନ ଭାବେ ଦୁଇଟି ବିକଳ୍ପ ରହିଛି । ନିକଟରେ ଇଶାନଙ୍କୁ ଟି୨୦ ବିଶ୍ୱକପ୍ ଟିମରେ ସାମିଲ କରାଯାଇଛି ।

ଘରୋଇ କ୍ରିକେଟରେ ଚଳିତ ବର୍ଷ ଦମଦାର ପ୍ରଦର୍ଶନ କରିଛନ୍ତି ଇଶାନ । ସେ ଝାଡଖଣ୍ଡକୁ ପ୍ରଥମ ଥର ପାଇଁ ମୁସ୍ତାକ ଅଲ୍ଲୀ ଟ୍ରଫି ଜିତାଇଛନ୍ତି । ଏହାସହ ଟୁର୍ଣ୍ଣାମେଣ୍ଟରେ ୫୧୭ ରନ୍ ସ୍କୋର କରିଛନ୍ତି । ଏପରିକି ଟୁର୍ଣ୍ଣାମେଣ୍ଟରେ ସେ ସବୁଠୁ ଅଧିକ ରନ୍ ସ୍କୋର କରିଛନ୍ତି । ସବୁଠୁ ବେଶି ଛକା ମଧ୍ୟ ତାଙ୍କ ବ୍ୟାଟରୁ ବାହାରିଛି ।

ପନ୍ତ କାହିଁକି ଦାବିଦାର

ପନ୍ତଙ୍କ ପ୍ରଦର୍ଶନ ଗତ କିଛି ମାସ ହେଲା ଭଲ ନାହିଁ । ସେ ଅନେକ ସମୟରେ ଆହତ ଜନିତ ସମସ୍ୟା ପାଇଁ ଦଳରୁ ବାଦ୍ ପଡୁଛନ୍ତି । ଫିଟ୍ ହେଉ ନାହାଁନ୍ତି । ଟି୨୦ ବିଶ୍ୱକପରୁ ଶୁଭମନ ଗିଲଙ୍କୁ ବାଦ୍ ଦିଆଯାଇଛି । ଏହା ବିସିସିଆଇର ଏକ ସାହସିକ ନିଷ୍ପତ୍ତି । ଯଦି ପନ୍ତଙ୍କୁ ଦିନିକିଆ ସିରିଜରୁ ବାଦ୍ ଦିଆଯାଏ ତାହାଲେ ତାଙ୍କ ସହ ଅନ୍ୟାୟ ହେବ । ଭଲ ଫର୍ମ ନଥିଲେ ମଧ୍ୟ ଦିଲ୍ଲୀର ନେତୃତ୍ୱ ନେଇ ସେ ବିଜୟ ହଜାରେ ଟ୍ରଫିରେ ଦଳକୁ ଦୁଇଟି ମ୍ୟାଚ୍ ଜିତାଇଛନ୍ତି ।

ତିନି ବର୍ଷରେ ଗୋଟିଏ ଦିନିକିଆ

ପନ୍ତଙ୍କ ରେକର୍ଡ ବୁକକୁ ନଜର ପକାଇଲେ ସେ ଗତ ତିନି ବର୍ଷରେ କେବଳ ଗୋଟିଏ ଦିନିକିଆ ଖେଳିଛନ୍ତି । ଟେଷ୍ଟ ଟିମରେ ସାମିଲ ହେଉଥିବାରୁ ସେ ଘରୋଇ ମୁକାବିଲା ମଧ୍ୟ ସେତେଟା ଖେଳିପାରି ନାହାଁନ୍ତି । ତେଣୁ ତାଙ୍କୁ ଦିନିକିଆ ଟିମରୁ ବାଦ୍ ତେବା ଠିକ୍ ନା ନାହିଁ ସେନେଇ ଅନେକ ପ୍ରଶ୍ନ ଉଠୁଛି ।

୨୦୨୫ ଆରମ୍ଭରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦିନିକିଆ ସିରିଜ୍ ଖେଳାଯାଇଥିଲା । ଏଥିରେ ପନ୍ତ ବେଞ୍ଚରେ ବସିଥିଲେ । ତାଙ୍କୁ ଖେଳିବାକୁ ସୁଯୋଗ ମିଳିନଥିଲା । ଚାମ୍ପିଅନ୍ସ ଟ୍ରଫିରେ ମଧ୍ୟ ସେ ଖେଳିନଥିଲେ । ନିକଟରେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ସେ ସାମିଲ ଥିଲେ । ଯାହାର ନେତୃତ୍ୱ ନେଉଥିଲେ କେଏଲ ରାହୁଲ ।

ସୂଚନାଯୋଗ୍ୟ, ପନ୍ତ ଆଜିଯାଏଁ ୩୧ଟି ଦିନିକିଆ ଖେଳିଛନ୍ତି । ତାଙ୍କ ବ୍ୟାଟରୁ ୮୭୧ ରନ୍ ଆସିଛି । ଏଥିରେ ଗୋଟିଏ ଶତକ ଏବଂ ୫ଟି ଅର୍ଧଶତକ ରହିଛି । ଆଭରେଜ ୩୩ ରହିଛି । ଅନ୍ୟ ଦିଗରେ ଇଶାନ କିଷାନ ୨୭ଟି ମ୍ୟାଚରୁ ୯୩୩ ରନ୍ କରିଛନ୍ତି । ତାଙ୍କ ବ୍ୟାଟରୁ ଗୋଟିଏ ଦ୍ୱିଶତକ ସହ ୭ଟି ଅର୍ଧଶତକ ବାହାରିଛି । ଦେଖିବାକୁ କଲେ ଇଶାନଙ୍କ ପଲ୍ଲା ଭାରି ରହିଛି । କିନ୍ତୁ ପନ୍ତଙ୍କୁ ଅଧିକ ସୁଯୋଗ ମିଳିନଥିବାରୁ ଦଳରୁ ବାଦ୍ ଦେବା ଠିକ୍ ହେବ ନାହିଁ ବୋଲି ଅନେକ କ୍ରିକେଟ ବିଶେଷଜ୍ଞ କହୁଛନ୍ତି ।