ହାଡ଼ଭଙ୍ଗା ଜାଡ଼ରେ ଥରୁଛି ଓଡ଼ିଶା : ଆହୁରି ଦୁଇ ସପ୍ତାହ ଶୀତ ଲହରି, ୧୮ ଯାଏ କଲବଲ

NEWS7
sanjay-dasbarma-was-the-vice-pesident-of-the-planning-board

ଭୁବନେଶ୍ୱର,୧୨/୧୨: ଆଗାମୀ ସପ୍ତାହେ ପର୍ଯ୍ୟନ୍ତ ଶୀତ ଲହରୀରୁ ନାହିଁ ନିସ୍ତାର । ୧୨ରୁ ୧୮ ତାରିଖ ଯାଏ ରାଜ୍ୟରେ ଶୀତ ଲହରିର ସମ୍ଭାବନା ଅଧିକ । ସେହିଭଳି ୧୯ରୁ ୨୫ ତାରିଖ ଯାଏ ରାତି ତାପମାତ୍ରା ସ୍ୱାଭାବିକଠାରୁ କମ୍ ରହିବା ସହ ଶୀତ ଲହରି ବି ବହିପାରେ । ଆଗକୁ ରାଜ୍ୟରେ ହାଡ଼ଭଙ୍ଗା ଜାଡ଼ ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ତାର ବିସ୍ତାରିତ ଆକଳନରେ ଏହି ପୂର୍ବାନୁମାନ କରିଛି ।

ଶୁକ୍ରବାର ଓ ଶନିବାର (୧୨ ଓ ୧୩ ତାରିଖ)ରେ ରାଜ୍ୟର ବିକ୍ଷିପ୍ତ ସ୍ଥାନରେ ଶୀତ ଲହରି ବହିପାରେ ବୋଲି ଆଇଏମ୍‌ଡି କହିଛି । ଘନ କୁହୁଡ଼ି ମଧ୍ୟ ଦୃଶ୍ୟମାନ ହୋଇପାରେ । ଶୁକ୍ରବାର ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ଅନୁଗୁଳରେ ଶୀତ ଲହରି ବହିବ । ପାହାଡିଆ ଅଞ୍ଚଳରେ ୫ ଡିଗ୍ରୀ ତଳେ ରହିପାରେ ତାପମାତ୍ରା । ରାଜ୍ୟର ଅନ୍ୟାନ୍ୟ ସ୍ଥାନ ଗୁଡ଼ିକରେ ମଧ୍ୟ ତଳ ମୁହାଁ ରହିବ ପାରଦ । ଭାରତୀୟ ପାଣିପାଗ ବିଜ୍ଞାନ ଏଭଳି ଆକଳନ କରିଛି । ଆସନ୍ତା ୧୮ ତାରିଖ ଯାଏ ରାଜ୍ୟରେ ଶୀତ ଲହରିର ସମ୍ଭାବନା ଅଧିକ ରହିଛି ।

ସେହିପରି ୧୯ରୁ ୨୫ ତାରିଖ ଯାଏ ରାତି ତାପମାତ୍ରା ସ୍ବାଭାବିକଠାରୁ କମ୍ ରହିପାରେ ବୋଲି ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଜ୍ଞାନୀ । ସେପଟେ ରାଜ୍ୟରେ ପାରଦ ଲଗାତାର ନିମ୍ନଗାମୀ ହେବାରେ ଲାଗିଛି । ଶୀତ ଲହରିରେ ଅସ୍ତବ୍ୟସ୍ତ ହେଉଛନ୍ତି ରାଜ୍ୟବାସୀ । ପାରଦ ସ୍ତର ସେମିଳିଗୁଡ଼ା ଠାରେ ୩.୫ ଡିଗ୍ରି ରେକର୍ଡ ହୋଇଛି । ଜି ଉଦୟଗିରିରେ ପାରଦସ୍ତର ୪ ଡିଗ୍ରି, ଫୁଲବାଣୀରେ ୫.୨ ଡିଗ୍ରି, ଚିପିଲିମାରେ ୬.୧ ଡିଗ୍ରି, ଝାରସୁଗୁଡ଼ାରେ ୬.୮ ଡିଗ୍ରି, ରାଉରକେଲାରେ ୬.୬ ଡିଗ୍ରି ଓ ଦାରିଙ୍ଗବାଡ଼ିରେ ୭ଡିଗ୍ରି ରେକର୍ଡ କରାଯାଇଛି ।ଆସନ୍ତା ଦୁଇ ସପ୍ତାହ ଯାଏ ରାଜ୍ୟରେ ଶୀତ ଲହରି ବହିପାରେ ।