୧୧ ମିନିଟ୍‌ରେ ଆର୍ଜେଣ୍ଟିନାକୁ ଧୂଳି ଚଟାଇଲା ଭାରତ, ହକି ବିଶ୍ଵକପରେ ଜିତିଲା କାଂସ୍ୟ ପଦକ

NEWS7
sambalpur-trival-villages-contributed-money-to-pm-care-fund

ନୂଆଦିଲ୍ଲୀ: ଶେଷ ୧୧ ମିନିଟରେ ଦନାଦନ ୪ ଗୋଲ୍ ଦେଇ ଭାରତ ୨୦୨୧ର ଚାମ୍ପିଅନ ଆର୍ଜେଣ୍ଟିନାକୁ ହରାଇ ଜୁନିୟର ପୁରୁଷ ହକି ବିଶ୍ଵକପରେ କାଂସ୍ୟ ପଦକ ଜିତିଛି। ଏହି ମ୍ୟାଚ୍ରେ ଭାରତ ୨୦୨୧ର ଚାମ୍ପିଅନ ଆର୍ଜେଣ୍ଟିନାକୁ ୪-୨ରେ ହରାଇ ୯ ବର୍ଷ ପରେ ଜୁନିୟର ବିଶ୍ଵକପ୍ ହକିରେ ପଦକ ନିଜ ନାଁରେ କରିଛି। ଏହା ପୂର୍ବରୁ ଭାରତ ୨୦୦୧ରେ ହୋବାର୍ଟ ଓ ୨୦୧୬ ଲକ୍ଷ୍ନୌରେ ଚାମ୍ପିଅନ ହୋଇଥିଲା। ଗତ ଦୁଇ ଥର ଦଳ କାଂସ୍ୟ ପଦକ ମୁକାବିଲାରେ ହାରି ଚତୁର୍ଥ ସ୍ଥାନରେ ରହିଥିଲା। ଭାରତ ପକ୍ଷରୁ ଅଙ୍କିତ ପାଲ୍(୪୯ ତମ ମିନିଟ୍), ମନମୀତ ସିଂ(୫୨ତମ), ଶାରଦାନନ୍ଦ ତିଓ୍ଵାରୀ(୫୭ତମ) ଓ ଅନମୋଲ ଇକ୍କା(୫୮ତମ) ମିନିଟ୍ ଗୋଲ୍ ଦେଇଥିଲେ। ଆର୍ଜେଣ୍ଟିନା ପାଇଁ ନିକୋଲାସ ରୋଡ୍ରିଗେଜ(୫ମ) ଓ ସାଣ୍ଟିୟାଗୋ ଫର୍ଣ୍ଣାଡିଜ(୪୪ତମ) ମିନିଟରେ ଗୋଲ୍ ସ୍କୋର କରିଥିଲେ।​​​​​​​

ତିନୋଟି କ୍ଵାର୍ଟର ପର୍ଯ୍ୟନ୍ତ ଦୁଇଟି ଗୋଲରେ ପଛୁଆ ରହିବା ପରେ ଭାରତ ଚତୁର୍ଥ କ୍ଵାର୍ଟରରେ ଦମଦାର ପ୍ରତ୍ୟାବର୍ତ୍ତନ କରି ଦନାଦନ ଚାରୋଟି ଗୋଲ୍ ଦେଇ ସଭିଙ୍କୁ ଚକିତ କରିଥିଲା। ପ୍ରଥମେ ୪୯ତମ ମିନିଟରେ ମିଳିଥିବା ପେନାଲ୍ଟି କର୍ଣ୍ଣରଙ୍କୁ ଅଙ୍କିତ ଗୋଲ୍‌ରେ ପରିଣତ କରି ଭାରତର ଖାତା ଖୋଲିଥିଲେ। ୫୨ତମ ମିନିଟରେ ଭାରତକୁ ପୁଣି ଥରେ ପେନାଲ୍ଟି କର୍ଣ୍ଣର ମିଳିଥିଲା, ଯାହାକୁ ମନମୀତ ଗୋଲ୍ ଦେଇ ମ୍ୟାଚକୁ ୨-୨ରେ ବରାବର କରିଥିଲେ।

ଏହା ପରେ ମ୍ୟାଚ୍ ସୁଟଆଉଟକୁ ଯିବ ବୋଲି ଲାଗୁଥିଲା। କିନ୍ତୁ ଖେଳ ସରିବାର ୩ ମିନିଟ୍ ବାକି ଥିବା ବେଳେ ଶାରଦାନନ୍ଦ ତିଓ୍ଵାରୀ ୫୭ତମ ମିନିଟ୍‌ରେ ଗୋଲ୍ ଦେଇ ଭାରତକୁ ଅଗ୍ରଣୀ କରାଇଥିଲେ। ପୁଣି ୫୮ ତମ ମିନିଟରେ ସାଣ୍ଟିୟାଗୋ ଫର୍ଣ୍ଣାଡିଜ ଗୋଲ୍ ଦେଇ ଭାରତର ବିଜୟ ସୁନିଶ୍ଚିତ କରିଥିଲେ।

ଭାରତୀୟ ହକି ଦଳ ସେମିଫାଇନାଲରେ ଜର୍ମାନୀଠାରୁ ୫-୧ ଗୋଲରେ ପରାସ୍ତ ହୋଇଥିଲା। ଏହା ପରେ, ଟିମ୍ ଇଣ୍ଡିଆ ବ୍ରୋଞ୍ଜ ପଦକ ମ୍ୟାଚ୍‌ରେ ଆର୍ଜେଣ୍ଟିନା ବିପକ୍ଷରେ ବିଜୟ ହାସଲ କରି ପଦକ ନିଶ୍ଚିତ କରିଛି।