ଡୋନାଲ୍ଡ ଟ୍ରମ୍ପଙ୍କ ଧମକର କଡ଼ା ଜବାବ ଦେଲା ଇରାନ୍, ହାଇ ଆଲର୍ଟରେ ଇସ୍ରାଏଲ୍‌

NEWS7
sambalpur-district-administration-prepared-for-coming-election

ନୂଆଦିଲ୍ଲୀ: ଇରାନରେ ମୁଦ୍ରାସ୍ଫୀତି ଏବଂ ବେରୋଜଗାର ବିରୋଧରେ ଜନସାଧାରଣଙ୍କ ପ୍ରତିବାଦ ୧୪ତମ ଦିନରେ ପହଞ୍ଚିଛି। ଦେଶର ପ୍ରତ୍ୟେକ କୋଣରୁ ଖାମେନି ସରକାରଙ୍କ ବିରୁଦ୍ଧରେ ସ୍ୱର ଉଠିବାରେ ଲାଗିଛି। ଦୀର୍ଘ ୬୦ ଘଣ୍ଟା ଧରି ଇଣ୍ଟରନେଟ୍ ବ୍ଲାକଆଉଟ୍ ଜାରି ରହିଛି । ଏହାରି ମଧ୍ୟରେ, ଆମେରିକାର ଚେତାବନୀକୁ ନେଇ ଖାମେନି ସରକାର ଉତକ୍ଷୀପ୍ତ ହୋଇଉଠିଛନ୍ତି । ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଧମକ ଦେଇଛି ଇରାନ୍ ।

ଇରାନ ସଂସଦର ବାଚସ୍ପତି ଚେତାବନୀ ଦେଇଛନ୍ତି ଯେ, ଯଦି ଆମେରିକା ଇସଲାମିକ୍ ଗଣରାଜ୍ୟ ଉପରେ ଆକ୍ରମଣ କରେ, ତେବେ ଆମେରିକୀୟ ସେନା ଏବଂ ଇସ୍ରାଏଲ ଟାର୍ଗେଟରେ ରହିବେ। ଇରାନ ସଂସଦର ସାଂସଦମାନେ ପୋଡିୟମକୁ ଆସି ଆମେରିକୀୟ ବିରୋଧୀ ସ୍ଲୋଗାନ ଦେବା ସମୟରେ ବାଚସ୍ପତି ମହମ୍ମଦ ବାଘର ଗାଲିବାଫ ଏହି ଧମକ ଦେଇଛନ୍ତି। ଇରାନର ସରକାରୀ ଟେଲିଭିଜନ ସଂସଦୀୟ ଅଧିବେଶନର ସିଧା ପ୍ରସାରଣ କରିଥିଲା।

ପୂର୍ବରୁ ରାଷ୍ଟ୍ରପତି ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିଥିବା କଠୋରପନ୍ଥୀ ନେତା ମହମ୍ମଦ ବାଘର ଗାଲିବାଫ, ବିକ୍ଷୋଭ ସମୟରେ ପୋଲିସ ଏବଂ ଇରାନର ଅର୍ଦ୍ଧସାମରିକ ରିଭଲ୍ୟୁସନରୀ ଗାର୍ଡଙ୍କ ଦୃଢ଼ ଆଭିମୁଖ୍ୟ ପାଇଁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ‘ଇରାନର ଲୋକମାନେ ଜାଣିବା ଉଚିତ ଯେ, ଆମେ ସେମାନଙ୍କ ସହିତ ଯଥାସମ୍ଭବ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ଏବଂ ଗିରଫ ହୋଇଥିବା ଲୋକଙ୍କୁ ଦଣ୍ଡ ଦେବୁ।’

ସେ ଇସ୍ରାଏଲକୁ ଅଧିକୃତ ଅଞ୍ଚଳ ବୋଲି କହି ସିଧାସଳଖ ଧମକ ଦେଇଛନ୍ତି । ସେ କହିଛନ୍ତି, ‘ଇରାନ ଉପରେ ଆକ୍ରମଣ ହେଲେ, ଅଧିକୃତ ଅଞ୍ଚଳ ଏବଂ ଏହି ଅଞ୍ଚଳରେ ଥିବା ସମସ୍ତ ଆମେରିକୀୟ ସାମରିକ ପ୍ରତିଷ୍ଠାନ, ଘାଟି ଏବଂ ଜାହାଜ ଆମର ବୈଧ ଲକ୍ଷ୍ୟ ହେବ।’

ଟାଇମ୍ସ ଅଫ୍ ଇସ୍ରାଏଲ ଅନୁଯାୟୀ, ଇରାନରେ ଚାଲିଥିବା ସରକାର ବିରୋଧୀ ପ୍ରତିବାଦରେ ଆମେରିକାର ହସ୍ତକ୍ଷେପ ନେଇ ସମ୍ଭାବନା ଥିବାରୁ ଇସ୍ରାଏଲ ହାଇ ଆଲର୍ଟରେ ଅଛି। ଏହି ସମୟରେ, ଇଣ୍ଟରନେଟ୍ ବନ୍ଦକୁ ବୃଦ୍ଧି କରାଯାଇଛି। ଇଣ୍ଟରନେଟ୍ ମନିଟର ନେଟବ୍ଲକ୍ସ କହିଛି ଯେ, ଇରାନରେ ସରକାର ବିରୋଧୀ ପ୍ରତିବାଦ ସମୟରେ ଦେଶବ୍ୟାପୀ ଇଣ୍ଟରନେଟ୍ ବନ୍ଦ ରହିଛି ।

ପ୍ରତିବାଦ ଅତ୍ୟନ୍ତ ହିଂସାତ୍ମକ ରୂପ ନେଇଛି। ଶନିବାର ରାତିରେ ପ୍ରଦର୍ଶନକାରୀମାନେ ଇରାନର ଫାର୍ସ ପ୍ରଦେଶର ମାମାସାନି କାଉଣ୍ଟିରେ ଥିବା ନ୍ୟାୟପାଳିକା ପରିସରରେ ଆକ୍ରମଣ କରିଥିଲେ ଏବଂ ଏକ ଗାର୍ଡ ପୋଷ୍ଟରେ ନିଆଁ ଲଗାଇ ଦେଇଥିଲେ।କାଉଣ୍ଟି ପବ୍ଲିକ୍ ଆଣ୍ଡ୍ ରିଭୋଲ୍ୟୁସନାରୀ ପ୍ରସିକ୍ୟୁଟର ହାସନ ଏଲାହି କହିଛନ୍ତି ଯେ, କୋର୍ଟହାଉସ୍ ଭିତରେ ଥିବା ଅନେକ କୋଠରୀରେ ନିଆଁ ଲାଗିଯାଇଥିଲା ଏବଂ ସୁରକ୍ଷା ବାହିନୀ ପହଞ୍ଚି ଭିଡ଼କୁ ଘଉଡ଼ାଇ ଦେଇଥିଲା।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଖାମେନିଙ୍କୁ ଧମକ ଦେଇ କହିଥିଲେ ଯେ, ଆମେରିକା ଇରାନକୁ ସାହାଯ୍ୟ କରିବାକୁ ପ୍ରସ୍ତୁତ। ସେ ରବିବାର (ଜାନୁଆରୀ ୧୧) ଦିନ ଟ୍ରୁଥ ସୋସିଆଲରେ ପୋଷ୍ଟ କରି କହିଥିଲେ, ‘ଇରାନ ହୁଏତ ସ୍ୱାଧୀନତା ପାଇବାକୁ ଚାହିଁ ରହିଛି ଏବଂ ଆମେରିକା ସାହାଯ୍ୟ କରିବାକୁ ପ୍ରସ୍ତୁତ।’