LIVE TV

ଦୋକାନରେ ପଶି ପାଉଁରୁଟି ଖାଇଦେଲା ଷଣ୍ଢ, ରାଗରେ ମାରିଦେଲେ ଦୋକାନୀ

NEWS7
sambadika-mruta-in-corona

ହୀରାକୁଦ: ମାତ୍ର ୨୦ ଟଙ୍କା ପାଇଁ ଷଣ୍ଢକୁ ହତ୍ୟା। ଏକଥା ହୁଏତ ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ। ହେଲେ ଏହି ଅଭାବନୀୟ ଘଟଣା ସତରେ ଘଟିଛି ସମ୍ବଲପୁର ହୀରାକୁଦ ଅଞ୍ଚଳରେ। ଜଣେ ଦୋକାନୀ ସାମାନ୍ୟ ୨୦ ଟଙ୍କାର ପାଉଁରୁଟି ଖାଇଦେଇଥିବା ଏକ ଷଣ୍ଢକୁ ମାରିଦେଇଛନ୍ତି।

ସୂଚନା ଅନୁସାରେ, ହୀରାକୁଦ ବଜାରରେ ଏକ ଦୋକାନ କରିଛନ୍ତି ଶିବରାମ ମହାନ୍ତି। ରବିବାର ଦିନ ୧୨ଟା ସମୟରେ ଏକ ବୁଲା ଷଣ୍ଢ ତାଙ୍କ ଦୋକାନରୁ ଏକ ୨୦ ଟଙ୍କା ମୂଲ୍ୟର ପାଉଁରୁଟି ଖାଇଦେଇଥିଲା। ହେଲେ ଏଥିରେ ରାଗି ଯାଇ ଶିବରାମ ପାଖରେ ଥିବା ଏକ ଧାରୁଆ ଛୁରୀରେ ଷଣ୍ଢଟିକୁ ଭୁଷିବା ଆରମ୍ଭ କରିଦେଇଥିଲେ।

ଏଥିରେ ଷଣ୍ଢଟି ଗୁରୁତର ଆହତ ହୋଇ ପ୍ରାଣ ବିକଳରେ ଏଣେତେଣେ ଧାଇଁଥିଲା। ଏ ଘଟଣା ଦେଖି ସ୍ଥାନୀୟ ଲୋକମାନେ ଦୋକାନୀଙ୍କୁ କାବୁ କରିବା ସହ ଷଣ୍ଢଟିର ଚିକିତ୍ସା ପାଇଁ ଉଦ୍ୟମ କରିଥିଲେ, ମାତ୍ର ଦେଖୁ ଦେଖୁ କିଛି ମିନିଟ ମଧ୍ୟରେ ହିଁ ଷଣ୍ଢଟିର ମୃତ୍ୟୁ ହୋଇଯାଇଥିଲା। ତେବେ ଖବର ପାଇ ହୀରାକୁଦ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଦୋକାନୀ ଶିବରାମ ମହାନ୍ତିକୁ ଗିରଫ କରିଛି। ସେପଟେ ଏହି ଘଟଣାକୁ ସବୁ ମହଲରୁ ନିନ୍ଦା କରାଯାଉଥିବାର ଦେଖିବାକୁ ମିଳିଛି।