ସବୁଠୁ ଦୀର୍ଘ ସମୟ ପର୍ଯ୍ୟନ୍ତ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ରହିବାରେ ରେକର୍ଡ କରିବେ ସିଦ୍ଦାରମୈୟା

NEWS7
salman-khan-congratulates-sheikh-hamdan-for-his-twins

ବେଙ୍ଗାଲୁରୁ ୫।୧: କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ସିଦ୍ଦାରମୈୟା ଓ ଉପମୁଖ୍ୟମନ୍ତ୍ରୀ ଡି.କେ.ଶିବକୁମାରଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ଏଥି ମଧ୍ୟରେ ମୁଖ୍ୟମନ୍ତ୍ରୀ ସିଦ୍ଦାରମୈୟା ରାଜ୍ୟର ସବୁଠୁ ଦୀର୍ଘ ସମୟ ଧରି ମୁଖ୍ୟମନ୍ତ୍ରୀ ରହିବାରେ ରେକର୍ଡ କରିବାକୁ ଯାଉଛନ୍ତି। ୬ ଜାନୁୟାରୀ ମଙ୍ଗଳବାର ସେ ଏହି ରେକର୍ଡ ନିଜ ନାମରେ କରିବେ। ଏହା ସହିତ ସେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଡି.ଦେବରାଜ ଉର୍ସଙ୍କ ରେକର୍ଡ ଭାଙ୍ଗିବେ। ମୁଖ୍ୟମନ୍ତ୍ରୀ ପଦବୀରେ ଉର୍ସ ୭ବର୍ଷ ୨୩୯ ଦିନ ଅତିବାହିତ କରିଥିଲେ। ସିଦ୍ଦାରମୈୟା ମୁଖ୍ୟମନ୍ତ୍ରୀ ରୂପେ ସୋମବାର ୭ବର୍ଷ ୨୩୯ ଦିନ ପୁରଣ କରିଛନ୍ତି।

ଦେବରାଜ ଉର୍ସ ପାଖାପାଖି ସାଢେ ୭ ବର୍ଷ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଗାଦିରେ ଥିଲେ। ସିଦ୍ଦାରମୈୟା ତାଙ୍କ ପ୍ରଥମ କାର୍ଯ୍ୟକାଳ ପୂରଣ କରିବା ପରେ କଂଗ୍ରେସ ରାଜ୍ୟ ଶାସନରୁ ବେଦଖଲ ହୋଇଥିଲା। ୨୦୧୮ ବିଧାନସଭା ନିର୍ବାଚନରେ ସ୍ପଷ୍ଟ ବହୁମତ ନ ମିଳିବାରୁ କଂଗ୍ରେସ ଜେଡିଏସ୍ ସହିତ ମିଶି ମେଣ୍ଟ ସରକାର କରିଥିଲା। ତେବେ କୁମାର ସ୍ୱାମୀଙ୍କ ସରକାର ମାତ୍ର ୧୪ ମାସରେ ଭାଙ୍ଗି ଯାଇଥିଲା। ପରେ ବିଜେପିର ବି.ଏସ.ୟଦଉରପ୍ପା ଓ ବାସବରାଜ ବୋମାଇଙ୍କ ସରକାର ହୋଇଥିଲା ଓ ସେମାନେ ଜଣକ ପରେ ଜଣେ ମୁଖ୍ୟମନ୍ତ୍ରୀ ହୋଇଥିଲେ।

ସିଦ୍ଦାରମୈୟା ଯିଏ ପୂର୍ବରୁ ଲୋକ ଦଳ ଓ ଜନତା ଦଳ ପାର୍ଟିରେ ଥିଲେ ୨୦୦୬ ମସିହାରେ କଂଗ୍ରେସରେ ଯୋଗ ଦେବା ସହ ବିଭିନ୍ନ ଦାୟିତ୍ୱ ତୁଲାଇଥିଲେ। ବିରୋଧୀ ଦଳ ନେତା ପଦରୁ ଆରମ୍ବ କରି ମୁଖ୍ୟମନ୍ତ୍ରୀ ପଦବୀ ପର୍ଯ୍ୟନ୍ତ ସିଦ୍ଦାରମୈୟା ରାଜ୍ୟରେ ଦ୍ୱିତୀୟ ବାର ସରକାର ଚଳାଉଛନ୍ତି। ସେ ରାଜ୍ୟ ବଜେଟ୍ ଉପସ୍ଥାପନାରେ ମଧ୍ୟ ରେକର୍ଡ କରିଛନ୍ତି। ସେ ଏପର୍ଯ୍ୟନ୍ତ ୧୬ ବଜେଟ୍ ଉପସ୍ଥାପନ କରିସାରିଲେଣି। ତେବେ ୧୩ଟି ବଜେଟ୍ ଉପସ୍ଥାପନ କରିଥିବା ରାମକୃଷ୍ଣ ହେଗଡେ ଦ୍ୱିତୀୟ ସ୍ଥାନରେ ଅଛନ୍ତି।