ବସନ୍ତ ପଞ୍ଚମୀକୁ ଖୋଲିପାରେ ଗୁଣ୍ଡିଚା ମନ୍ଦିର, ଖୁବ୍‌ଶୀଘ୍ର ଶୀତତାପ ନିୟନ୍ତ୍ରିତ ହେବ ଶ୍ରୀମନ୍ଦିର ନାଟମଣ୍ଡପ

NEWS7
sachin-pilot-has-to-think-over-possible-consequences-on-congress-partys-request-for-coming-back

ପୁରୀ ୯।୧: ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଅନେକ ଗୁଡ଼ିଏ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ବୈଠକ ପରେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି, ଆଗାମୀ ରଥଯାତ୍ରା ଅବସରରେ ରଥ ନିର୍ମାଣ ପାଇଁ ଆବଶ୍ୟକ ଥିବା ରଥ କାଠକୁ ନେଇ ବୈଠକରେ ଆଲୋଚନା ହୋଇଛି । ରଥ ନିର୍ମାଣ ପାଇଁ ସମସ୍ତ କାଠ କିଭଳି ଠିକ୍ ସମୟରେ ପହଞ୍ଚି ପାରିବ ସେନେଇ ଗୁରୁତ୍ବ ଦିଆଯାଇଛି । ରତ୍ନ ଭଣ୍ଡାରର ରତ୍ନ ଅଳଙ୍କାରର ଗଣତି ମଣତି ନେଇ ଆସନ୍ତା ଜାନୁଆରୀ ୧୭ ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟିର ଜରୁରୀ ବୈଠକ ଡକାଯାଇଛି । ରତ୍ନ ଅଳଙ୍କାର ଗଣତି ମଣତି ନେଇ ପ୍ରସ୍ତୁତ ଏସଓପି ଉପରେ ବୈଠକରେ ଆଲୋଚନା ହେବ। ମହାପ୍ରଭୁ ବିଜେ ପୁରୀ ରାଜସ୍ବ ଜମି ଉପରେ ମଧ୍ୟ ଆଲୋଚନା ହୋଇଛି । ଶ୍ରୀଗୁଣ୍ଡିଚା ମନ୍ଦିରରେ ସର୍ବସାଧାରଣଙ୍କ ଦର୍ଶନ ନେଇ ଖୁବ୍‌ଶୀଘ୍ର ନିଷ୍ପତ୍ତି ନିଆଯିବ। ମାଗଣାରେ ଜୋତା ଷ୍ଟାଣ୍ଡ ସହିତ ଅନ୍ୟାନ୍ୟ ବ୍ୟବସ୍ଥା କରାଯିବ। ବସନ୍ତ ପଞ୍ଚମୀକୁ ଖୋଲିପାରେ ଗୁଣ୍ଡିଚା ମନ୍ଦିର। ଶ୍ରୀଗୁଣ୍ଡିଚା ମନ୍ଦିର ଖୋଲିବା ପରେ ପ୍ରଥମ ତିନିଦିନ ନିଃଶୁକ୍ଳରେ ପ୍ରବେଶ କରିବେ ଭକ୍ତ ।

ଭକ୍ତ ନିବାସ ପାର୍କିଂ ବିବାଦ ନେଇ ପ୍ରତିକ୍ରିୟା ରଖି ମୁଖ୍ୟ ପ୍ରଶାସକ କହିଛନ୍ତି, ଭକ୍ତ ନିବାସରେ ରୁମ୍ ଭଡ଼ା ବୃଦ୍ଧି କରାଯିବ ନାହିଁ । ଯେଉଁମାନେ ଭକ୍ତ ନିବାସରେ ରହିବା ପାଇଁ ଚାରିଚକିଆ ଆଣି ଆସୁଛନ୍ତି ସେମାନେ ଏହି ପାର୍କିଂ ଫି ଦିନକୁ ୫ଶହ ଟଙ୍କା ଦେବେ । ଅନ୍ୟ ବାହାର ଲୋକ କେହି ରଖି ଭକ୍ତ ନିବାସରେ ଗାଡ଼ି ପାର୍କିଂ କରିପାରିବେ ନାହିଁ । ଅନ୍ୟ ପାର୍କିଂ ସ୍ଥଳରେ ୨୪୦ ଟଙ୍କା ଦେଇ ଗାଡ଼ି ପାର୍କିଂ କରୁଛନ୍ତି ଯାତ୍ରୀ । ଯେଉଁମାନେ ଚାହୁଁଛନ୍ତି ସେମାନେ ଅନ୍ୟ ପାର୍କିଂ ସ୍ଥଳରେ ଗାଡ଼ି ରଖି ଭକ୍ତ ନିବାସରେ ମଧ୍ୟ ରହିପାରିବେ । ସେହିପରି ଏପ୍ରିଲ୍ ୨୦୨୬ ମଧ୍ୟରେ ଶ୍ରୀମନ୍ଦିର ସହିତ ଜଡିତ ସମସ୍ତ ପ୍ରକଳ୍ପ କାର୍ଯ୍ୟ ସାରିବାକୁ ଓବିସିସିକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିର୍ଦ୍ଦେଶ ଦେଇଛନ୍ତି । ଦିବ୍ୟାଙ୍ଗ‌ ଓ ବରିଷ୍ଠ ନାଗରିକଙ୍କ ଦର୍ଶନ ବ୍ୟବସ୍ଥା ସୁଗମ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଖୁବଶୀଘ୍ର ପଦକ୍ଷେପ ନିଆଯିବ । ନାଟମଣ୍ଡପକୁ ଶୀତତାପ ନିୟନ୍ତ୍ରିତ କରିବା ପାଇଁ ଟେଣ୍ଡର ପ୍ରକ୍ରିୟା ସରିଛି । ଠାକୁରଙ୍କ ନୀତିକାନ୍ତିରେ ଯେଭଳି କୌଣସି ଅସୁବିଧା ନହେବ ତାକୁ ନେଇ ଗୁରୁତ୍ବ ଦିଆଯାଇଛି । ଖୁବଶୀଘ୍ର ଶ୍ରୀମନ୍ଦିର ନାଟମଣ୍ଡପକୁ ଶୀତତାପ ନିୟନ୍ତ୍ରିତ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି ।