ବାଲିଯାତ୍ରା ୨୦୨୫
LIVE TV

ଶୂନଶାନ୍ ମୀନା ବଜାର, ଗ୍ରାହକଙ୍କୁ ଅପେକ୍ଷା କରିଛନ୍ତି ଦୋକାନୀ....ବିସ୍ଫୋରଣ ଅଞ୍ଚଳରେ ପରିସ୍ଥିତି କେମିତି ?

NEWS7
russia-behind-coronavirus-disinformation-campaign-says-america

ନୂଆଦିଲ୍ଲୀ ୧୩/୧୧: କୁହାଯାଏ ସ୍ୱପ୍ନର ସହର ଦିଲ୍ଲୀ । ଜାତୀୟ ରାଜଧାନୀ ଐତିହାସିକ ଗାଥା ବଖାଣେ । ସବୁବେଳେ କୋଳାହଳ, ଧାଁ ଦଦୌଡ ଜୀବନ । ଆଜି ହତାଶାର ଭାବନାରେ ବୁଡ଼ିଛି ସହର । ଘରୁ ବାହାରିବାରେ ବି ଲାଗିଛି କଟକଣା । ଜନଗହଳି ରାସ୍ତାରେ ରାଜୁତି କରୁଛି ନୀରବତା । ବାରମ୍ୱାର ମନେପକାଇଦେଉଛି ସେଇ ବିସ୍ଫୋରଣର କଳା ସମୟ । ଲାଲକିଲ୍ଲାରୁ ଚାନ୍ଦନୀ ଚୌକ, ଜାମା ମସଜିଦ, ମୀନା ବଜାର ଓ ଖାରୀ ବାଓଲି ମାର୍କେଟ ଏବେ ଶୂନ୍ ଶାନ୍ ।

ଏ ସବୁ ସେହି ଅଞ୍ଚଳ ଯେଉଁଠାରେ ଅନେକ ଐତିହାସିକ ରାଜିନାମା ହୋଇଥିଲା । ଦେଶ ଗଢି ତୋଳିବାରେ ଅନେକ ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ଆଜି, ଏସବୁ କେବଳ ମୂକସାକ୍ଷୀ ପାଲଟିଛି । ସବୁଠି ଦୁଃଖର ବେଦନା ରହିଛି । ଯାହାର ପ୍ରତିକାର ସମ୍ଭବ ନୁହେଁ। ଖାଁ ଖାଁ ଦୋକାନ ବଜାର । ଏମିତିକି ଚା ଦୋକାନରେ ବି ଖଟି ନାହିଁ । ଲୋକେ ନିଜ ନିଜ ଭିତରେ ବି କଥା ହେବାକୁ ଅମଙ୍ଗ ।

ଲାଲକିଲ୍ଲା, ତ୍ରିରଙ୍ଗାକୁ ଛାତିରେ ଜାବୁଡ଼ି ଆଲିଙ୍ଗନ କରେ । ହେଲେ ଆଜି ସେ ସଂପୂର୍ଣ୍ଣ ନୀରବ । ଦୁର୍ଗ ସମ୍ମୁଖରେ ପୋଲିସ ବ୍ୟାରିକେଡ୍, ସାଧାରଣ ଲୋକଙ୍କ ଚଳପ୍ରଚଳ ବନ୍ଦ । ସୁରକ୍ଷା କାରଣରୁ ମେଟ୍ରୋ ଷ୍ଟେସନକୁ ବନ୍ଦ କରିଦିଆଯାଇଛି। ଚାରିପାଖରେ ଏକ ଅଦ୍ଭୁତ ନିର୍ଜନତା ବ୍ୟାପିଯାଇଛି । ଚାନ୍ଦନୀ ଚୌକ ପ୍ରତିଟି ଦୋକାନ ମାଲିକ ଆଜି ଗ୍ରାହକଟିଏ ପାଇଁ ଚାତକ ପରି ଚାହିଁ ରହିଛି । ଯନ୍ତ୍ରଣା, ଆତଙ୍କ ଓ ନୀରବତା ଭିତରେ ଖୋଲାହେଉଛି ଦୋକାନଟିଏ । ଭୟ କେତେବେଳେ କଣ ହେବ । ଦୋକାନ ବଜାର ଅଛି ସତ କିନ୍ତୁ ଦୁଃଖରେ ଛିଡ଼ା ହୋଇଛି କୋଠା ।

ଜାମା ମସଜିଦର ଐତିହାସିକ ପାହାଚ । ମସଜିଦର ଗେଟ୍ ନମ୍ବର ୨ ସାମ୍ନା ଲେନରେ ଥିବା ବଜାର ବନ୍ଦ। ମୀନା ବଜାରର ସଂଲଗ୍ନ ପାଦଚଲା ରାସ୍ତାଗୁଡ଼ିକ ନିର୍ଜନ । ଯେଉଁଠି ଦେନେ ସୋରିଷ ଦାନା ବିଞ୍ଚିବାକୁ ସ୍ଥାନ ନଥିଲା । କାରଣ ଏହି ଅଞ୍ଚଳଗୁଡ଼ିକ ଦିଲ୍ଲୀର ପରିଚୟ ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି। ଐତିହାସିକ ସ୍ମାରକୀ ପରିଦର୍ଶନ କରିବାଠାରୁ ଆରମ୍ଭ କରି ଲୋକଙ୍କ ଦୈନନ୍ଦିନ ଆବଶ୍ୟକତା ପୂରଣ । ଏମିତିକି କ୍ଷୁଧା ମେଣ୍ଟାଇବା ସହ ସ୍ୱାଦିଷ୍ଟ ଖାଦ୍ୟ ପାଇଁ ଫେମସ। କିନ୍ତୁ ବିସ୍ଫୋରଣ ପରେ, ଅଞ୍ଚଳର ପରିବେଶ ସମ୍ପୂର୍ଣ୍ଣ ଭିନ୍ନ। ଏଠାକାର ବାସିନ୍ଦା କହିଛନ୍ତି ଯେ ସୋମବାର ସନ୍ଧ୍ୟାଠାରୁ ଆତଙ୍କର ପରିବେଶ ସୃଷ୍ଟି ହୋଇଛି ବାହାର ଲୋକ ଏଠାକୁ ଆସୁନାହାଁନ୍ତି।

ତେବେ ବିସ୍ଫୋରଣ ପୂରା ପ୍ରଭାବ ପଡିଛି ଛୋଟ ବ୍ୟବସାୟୀଙ୍କ ଉପରେ । ଦିନକୁ ଷ୍ଟଲକୁ ଅତି କମରେ ଶହେ ଲୋକ ଆସୁଥିବାବେଳେ ଏବେ ସାରା ଦିନ କଟିଯାଉଛି ଖାଲି ଖାଲିରେ । ଏମିତିକି ଦୋକାନ ଭଡ଼ା ବି ଉଠିବ କେମିତି ସେ ଚିନ୍ତାରେ । ବ୍ୟବସାୟ ଏବେ ଜିରୋ ପଏଣ୍ଟରେ, ୯୯ ପ୍ରତିଶତ କ୍ଷତି । କେବଳ ଦୋକାନ ନୁହେଁ ରିକ୍ସା ଚାଳକଙ୍କ ଦୁଃଖ କହିଲେ ନସରେ । ବିସ୍ଫୋରଣ ପରେ ପରିସ୍ଥିତି ବହୁତ ଖରାପ। ଲୋକେ ମାର୍କେଟ ଆସୁନାହାଁନ୍ତି ଆଉ ରିକ୍ସାରେ ବସିବେ କଣ । ଦିନକୁ ବାରରୁ ତେର ଶହ ରୋଜଗାର ଜାଗାରେ କେବଳ ଦୁଇରୁ ତିନି ଶହ ଟଙ୍କା ରୋଜଗାର ହେଉଛି । ଫାଷ୍ଟଫୁଡ ଦୋକାନୀଙ୍କ ଅବସ୍ଥା ବି ସେମିତି । ଅପେକ୍ଷା କେବେ ସାଧାରଣ ହେବ ଜୀବନଶୈଳୀ ।