ଅରୁଣାଚଳ ପ୍ରଦେଶକୁ ନେଇ ପେଣ୍ଟାଗନ ରିପୋର୍ଟକୁ ଚୀନର ପ୍ରତ୍ୟାଖ୍ୟାନ, କହିଲା, ଭାରତ-ଚୀନ ସମ୍ପର୍କ ବିଗାଡ଼ିବାକୁ ଚାହୁଁଛି ଆମେରିକା

NEWS7
rohit-sharma-will-be-the-new-odi-captain-of-team-india-virat-will-captain-only-in-tests

ନୂଆଦିଲ୍ଲୀ: US Pentagon report, ​​​ଅରୁଣାଚଳ ପ୍ରଦେଶ ନେଇ ପେଣ୍ଟାଗନର ରିପୋର୍ଟ ଉପରେ ଅସନ୍ତୋଷ ପ୍ରକାଶ କଲା ଚୀନ। ଭାରତର ଅରୁଣାଚଳ ପ୍ରଦେଶକୁ ଚୀନ ନିଜର କୋର ଇଣ୍ଟରେଷ୍ଟ ଭାବୁଥିବା ଆମେରିକାର ପେଣ୍ଟାଗନ ରିପୋର୍ଟ ଦେଇଥିଲା। ଏହି ରିପୋର୍ଟ ପ୍ରକାଶ ପାଇବା ପରେ ଗୁରୁବାର ବେଜିଂ ପକ୍ଷରୁ ପ୍ରତିକ୍ରିୟା ଆସିଛି। ଚୀନର ପ୍ରତିରକ୍ଷା ଆଭିମୁଖ୍ୟକୁ ଭୁଲ ଭାବରେ ଦର୍ଶାଇ ଆମେରିକା ଭାରତ ସହ ଆମର ସୁଧୁରୁଥିବା ସମ୍ପର୍କରେ ବାଧା ସୃଷ୍ଟି କରିବାକୁ ଚାହୁଁଛି ବୋଲି ବେଜିଂ ଅଭିଯୋଗ କରିଛି। ସୀମା ଟେନସନ କମ୍ କରିବାକୁ ଅସ୍ତ୍ର କରି ଚୀନ ଆମେରିକା-ଭାରତ ସମ୍ପର୍କ ଖରାପ କରିବାକୁ ଚାହୁଁଛି ବୋଲି ପେଣ୍ଟାଗନ ଯେଉଁ ଦାବି କରିଛି, ଚୀନ ଏହାକୁ ବି ଖଣ୍ଡନ କରିଛି।

ମିଡିଆରେ ପ୍ରତିକ୍ରିୟା ଦେଇ ଚୀନ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପ୍ରବକ୍ତା ଲିନ ଜିଆନ କହିଛନ୍ତି ଯେ ଚୀନ ଭାରତ ସହିତ ତାର ସମ୍ପର୍କକୁ ଏକ ରଣନୈତିକ ଏବଂ ଦୀର୍ଘକାଳୀନ ଦୃଷ୍ଟିକୋଣରୁ ଦେଖୁଛି। ସୀମା ବିବାଦ ସମ୍ପୂର୍ଣ୍ଣ ଦୁଇ ଦେଶର ବ୍ୟକ୍ତିଗତ ମାମଲା। ଏଥିରେ ଅନ୍ୟ କେଉଁ ଦେଶର ମତାମତାକୁ ଚୀନ ଦୃଢ଼ ବିରୋଧ କରେ ବୋଲି ଲିନ ଜିଆନ କହିଛନ୍ତି।

ଆମେରିକାର ପେଣ୍ଟାଗନ ଏକ ରିପୋର୍ଟରେ କହିଥିଲା ଯେ ଚୀନ୍ ଭାରତ ସହିତ ଦ୍ୱିପାକ୍ଷିକ ସମ୍ପର୍କକୁ ସ୍ଥିର କରିବା ପାଇଁ ଉଦ୍ୟମ କରୁଛି। ସମ୍ଭବତଃ ଭାରତ ସହିତ ହ୍ରାସ ପାଇଥିବା ଉତ୍ତେଜନାର ଫାଇଦା ଉଠାଇବାକୁ ଯାଇ ଚୀନ ଭାରତ-ଆମେରିକାର ଗଭୀର ସମ୍ପର୍କକୁ ରୋକିବାକୁ ଚାହୁଁଛି।

ଆମେରିକା କଂଗ୍ରେସକୁ ପ୍ରଦାନ କରାଯାଇଥିବା ସାମ୍ପ୍ରତିକ ପେଣ୍ଟାଗନ ରିପୋର୍ଟରେ ଅରୁଣାଚଳ ପ୍ରଦେଶକୁ ଚୀନର "ମୁଖ୍ୟ ସ୍ୱାର୍ଥ" ମଧ୍ୟରେ ଦର୍ଶାଯାଉଛି। ତାଇୱାନ ଏବଂ ଦକ୍ଷିଣ ଚୀନ ସାଗରରେ ବେଜିଂର କ୍ଷେତ୍ରୀୟ ଏବଂ ସାମୁଦ୍ରିକ ଦାବି ହି ଚୀନର କୋର ଇଣ୍ଟରେଷ୍ଟରେ ରହିଛି। ଉତ୍ତର-ପୂର୍ବ ଭାରତୀୟ ରାଜ୍ୟ ଭବିଷ୍ୟତରେ ଭାରତ-ଚୀନ୍ ସମ୍ପର୍କରେ ଏକ ପ୍ରମୁଖ ବିବାଦୀୟ ସ୍ଥାନ ଭାବରେ ଉଭା ହୋଇପାରେ ବୋଲି ରିପୋର୍ଟରେ ଚେତାବନୀ ଦିଆଯାଇଛି।

ରିପୋର୍ଟ ଅନୁଯାୟୀ, ଅରୁଣାଚଳ ପ୍ରଦେଶକୁ ଚୀନ ଦକ୍ଷିଣ ତିବ୍ଦତର ଅଂଶ ଜାଙ୍ଗନାନ ବୋଲି ଦାବି କରୁଛି। ୨୦୪୯ ସୁଦ୍ଧା ଏକ ବଡ଼ ପୁନରୁଦ୍ଧାର ଯୋଜନାରେ ସେ ଏହାକୁ ହାସଲ କରିବାର ବ୍ୟାପକ ଯୋଜନା କରୁଛି। କେମିତି ଏହାକୁ ଯୁଦ୍ଧ କରି ଜିତି ହେବ ଏହି ଲକ୍ଷ୍ୟରେ ବେଜିଂ ଏକ ଉଚ୍ଚ ବିଶ୍ୱ ସ୍ତରର କାର୍ଯ୍ୟ କରୁଛି। ଯୁଦ୍ଧ କରି ଜିତିବା ସକ୍ଷମ ଏକ ବିଶ୍ୱସ୍ତରୀୟ ସାମରିକ ବାହିନୀ ପ୍ରସ୍ତୁତ କରିବାକୁ ଚାହୁଁଛି ବୋଲି ପେଣ୍ଟାଗନ ରିପୋର୍ଟ ଦେଇଛି।

ସେପଟେ ଭାରତ ଚୀନ୍ର ଦାବିକୁ ନିରନ୍ତର ପ୍ରତ୍ୟାଖ୍ୟାନ କରିଆସିଛି। ଅରୁଣାଚଳ ପ୍ରଦେଶ ଦେଶର ଏକ ଅବିଚ୍ଛେଦ୍ୟ ଅଂଶ "ଥିଲା, ଅଛି ଏବଂ ସବୁବେଳେ ରହିବ ବୋଲି ଭାରତ କହି ଆସିଛି। ୧୯୧୪ ମସିହାରେ ସୀମା ନିର୍ଦ୍ଧାରଣ ବେଳେ ବ୍ରିଟିସ ସରକାର ତତ୍କାଳୀନ ସ୍ୱାଧୀନ ତିବ୍ବତର ସହମତିରେ ମ୍ୟାକମୋହନ ଲାଇନ ଟାଣିଥିଲେ। ହେଲେ ଚୀନ ଏହାକୁ ପ୍ରତ୍ୟାଖ୍ୟାନ କରୁଛି। ଚୀନ ମ୍ୟାକ୍ମୋହନ ଲାଇନକୁ ନ ମାନି ଅରୁଣାଚଳ ପ୍ରଦେଶ ତାଙ୍କ ଅଂଶ ବୋଲି ଦାବି କରି ଆସୁଛି।

ସେପଟେ ପୂର୍ବ ଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖା ପାଖରେ ସେନା ହଟାଇବା ପାଇଁ ଗତ ବର୍ଷ ଭାରତ ଓ ଚୀନ୍ ମଧ୍ୟରେ ଏକ ଚୁକ୍ତିନାମା ହୋଇଥିଲା। ଉଭୟ ଦେଶର ସେନା ନିଜ ନିଜ ପୋଜିସନରୁ ହଟିଥିଲା ବୋଲି କୁହାଯାଉଥିଲା। ହେଲେ ସମ୍ପ୍ରତି କିଛି ଘଟଣାକ୍ରମ ଦୁଇ ଦେଶ ମଧ୍ୟରେ ଚାଲିଥିବା ସଂଘର୍ଷ ଶେଷ ହୋଇନଥିବା ଦର୍ଶାଉଛି। କିଛି ମାସର ଆପେକ୍ଷିକ ଶାନ୍ତି ପରେ ଅରୁଣାଚଳ ପ୍ରଦେଶକୁ ନେଇ ପୁଣି ଉତ୍ତେଜନା ଦେଖାଦେଇଛି, ଯାହାକୁ ଚୀନ୍ ନିଜ ଅଞ୍ଚଳର ଅଂଶ ବୋଲି ଦାବି କରୁଛି।

ଗତ ମାସରେ ଅରୁଣାଚଳ ପ୍ରଦେଶର ପ୍ରେମା ଥୋଙ୍ଗଡୋକ୍ ନାମକ ଜଣେ ମହିଳା ଚୀନ ଦେଇ ଜାପାନ ଯାଉଥିବା ବେଳେ ଚୀନ ଅଧିକାରୀମାନେ ତାଙ୍କୁ ଅଟକାଇଥିଲେ। ସେ ଲଣ୍ଡନରୁ ଜାପାନ ଯାଉଥିବା ସମୟରେ ସାଂଘାଇର ପୁଡୋଂ ବିମାନ ବନ୍ଦରରେ ୩ ଘଣ୍ଚା ପାଇଁ ଲେଓଭର ସମୟ ଥିଲା। ହେଲେ ତାଙ୍କ ଜନ୍ମସ୍ଥାନ ଅରୁଣାଚଳ ପ୍ରଦେଶ ଥିବାରୁ ଚୀନ ଅଧିକାରୀମାନେ ତାଙ୍କ ପାସ୍ପୋର୍ଟ ବୈଧ ନୁହେଁ ବୋଲି କହିଥିଲେ। ତୁମେ ଭାରତ ବଦଳରେ ଚୀନର ପାସ୍ପୋର୍ଟ ନିଅ ବୋଲି କହି ଥଟା କରିଥିଲେ। ଏବଂ ଖାଇବା ପିଇବା ବି ଦେଇନଥିଲେ। ଦୀର୍ଘ ୧୮ ଘଣ୍ଟାକାଳ ଫସି ରହିବା ପରେ ଭାରତୀୟ ଦୂତାବାସ ହସ୍ତକ୍ଷେପ ପରେ ତାଙ୍କୁ ସେଠାରୁ ଉଦ୍ଧାର କରାଯାଇଥିଲା। ଭାରତ ଏହାକୁ ନେଇ ତୀବ୍ର ବିରୋଧ କରିଥିଲା। ହେଲେ ଚୀନ କିନ୍ତୁ ଏହାକୁ ସଠିକ ବୋଲି ଦର୍ଶାଇଥିଲା।

ସେହିପରି ଚଳିତ ସପ୍ତାହ ଆରମ୍ଭରେ ଜଣେ ୟୁଟ୍ୟୁବରଙ୍କୁ ମଧ୍ୟ ଚୀନ ବିମାନବନ୍ଦରରେ ଅଟକ ରଖାଯାଇଥିଲା। ସେ ପେମାଙ୍କୁ ସମର୍ଥନ କରି ଏକ ଭିଡିଓରେ ଅରୁଣାଚଳ ପ୍ରଦେଶ ଭାରତର ଅଭିଚ୍ଛେଦୀୟ ଅଙ୍ଗ ବୋଲି ଦର୍ଶାଇଥିଲେ। ଯାହାଫଳରେ ଚୀନରେ ତାଙ୍କୁ ଅଟକ ରଖାଯାଇଥିଲା। ସମ୍ପ୍ରତି ଏଭଳି ଘଟଣା ଦୁଇ ଦେଶ ମଧ୍ୟରେ ଥିବା ମନାନ୍ତରକୁ ସାମ୍ନାକୁ ଆଣୁଛି। ଯାହାକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଖୁବ୍ ଆଲୋଚନା ବି ହେଉଛି।

ତେବେ ପେଣ୍ଟାଗନର ଏହି ରିପୋର୍ଟକୁ ହାଲୁକା ଭାବରେ ନେବା ବି ଉଚିତ ନୁହେ। କାରଣ ୧୯୬୨ ମସିହାରେ ଚୀନ ଯେଉଁଭଳି ଭାବରେ ଭାରତକୁ ଧୋକା ଦେଇ ଆକ୍ରମଣ କରିଥିଲା ଠିକ୍ ସେମିତି ଚୀନ ଷଡ଼ଯନ୍ତ୍ର କରୁଥାଇପାରେ। ତେଣୁ ଭାରତକୁ ବି ଭିତରେ ଭିତରେ ସଜାଗ ରହିବାର ଆବଶ୍ୟକତା ରହିଛି।