ଅପରେସନ ସିନ୍ଦୂରର ହିରୋ ରାଫେଲ୍; ଫ୍ରାନ୍ସ ସହ ହୋଇପାରେ ୧୧୪ ଯୁଦ୍ଧ ବିମାନ କ୍ରୟ ନେଇ ଡିଲ୍

NEWS7
road-strike-in-bhadrak

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ଆହୁରି ବଳଶାଳୀ ହେବ । ପ୍ରତିରକ୍ଷା କ୍ଷେତ୍ର ସହ ଜଡ଼ିତ ସୂତ୍ର ଅନୁସାରେ, ଭାରତ ଖୁବଶୀଘ୍ର ଫ୍ରାନ୍ସ ସହ ରାଫେଲ୍ ଯୁଦ୍ଧ ବିମାନକୁ ନେଇ ଏକ ବଡ଼ ଡିଲ୍ କରିପାରେ । ଏହାରି ଭିତରେ ଆଇଏଏଫ୍ ଭାଇସ୍ ଚିଫ୍ ଏୟାର ମାର୍ଶଲ ନାଗେଶ କପୁର ରାଫେଲକୁ ଅପରେସନ ସିନ୍ଦୂରର ହିରୋ ରୂପେ ଅଭିହିତ କରିଛନ୍ତି । ଭାରତୀୟ ସେନା ଜମ୍ମୁ ଓ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ବିରୁଦ୍ଧରେ ଗତ ବର୍ଷ ମେ ସାରେ ଅପରେସନ ସିନ୍ଦୂରରେ ସାମରିକ କାର୍ଯ୍ୟାନୁଷ୍ଠାନ ନେଇଥିଲା । ସେହି ସମୟରେ ପାକିସ୍ତାନ ସୀମାରେ ପ୍ରବେଶ କରି ଆତଙ୍କବାଦୀ ଠିକଣାକୁ ଭାରତୀୟ ବାୟୁ ସେନା ଦ୍ୱାରା ଟାର୍ଗେଟ୍ କରାଯାଇଥିଲା ।

ଇଣ୍ଡିଆ ଟୁଡେକୁ ପ୍ରତିକ୍ରିୟା ଦେଇ ଏୟାର ମାର୍ଶଲ କପୁର କହିଛନ୍ତି, ରାଫେଲ୍ ନିଶ୍ଚିତ ଭାବରେ ଚର୍ଚ୍ଚାରେ ରହିଛି । ଅନ୍ୟ ହିରୋଙ୍କ ପରି ରାଫେଲ୍ ମଧ୍ୟ ଅପରେସନ ସିନ୍ଦୂରର ହିରୋ ଅଟେ ।

ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ ଫେବ୍ରୁଆରୀ ୧୭-୧୯ ଯାଏ ସରକାରୀ ଗସ୍ତରେ ଭାରତ ଆସିବେ । ଏହି ସମୟରେ ସେ ଏଆଇ ଇମ୍ପାକ୍ଟ ସମିଟ୍‌ରେ ଅଂଶଗ୍ରହଣ କରିବେ । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ ଉପରେ ମଧ୍ୟ ଚର୍ଚ୍ଚା କରିବେ । ଫ୍ରାନ୍ସ ରାଷ୍ଟ୍ରପତି ପିଏମ୍ ମୋଦୀଙ୍କ ଆମନ୍ତ୍ରଣରେ ଭାରତ ଆସିବେ । ଫ୍ରାନ୍ସ ରାଷ୍ଟ୍ର ମୁଖ୍ୟଙ୍କ ଏହି ଗସ୍ତ ପ୍ରଧାନମନ୍ତ୍ରୀ ମୋଦୀଙ୍କ ୨୦୨୫ ଫେବ୍ରୁଆରୀ ଗସ୍ତ ପରେ ହେବାକୁ ଯାଉଛି ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଫ୍ରାନ୍ସ ରାଷ୍ଟ୍ରପତିଙ୍କ ଏହି ଯାତ୍ରା ଏପରି ସମୟରେ ହେବାକୁ ଯାଉଛି, ଯେତେବେଳେ ଭାରତରେ ବାୟୁ ସେନା ପାଇଁ ଅତିରିକ୍ତ ୧୧୪ ରାଫେଲ ଯୁଦ୍ଧ ବିମାନ କ୍ରୟ ଉପରେ ସହମତି ହେଉଥିବା ନଜର ଆସୁଛି । ପ୍ରଧାନମନ୍ତ୍ରୀ ମୋଦୀ ଓ ଇମାନୁଏଲ୍ ମାକ୍ରୋନଙ୍କ ମଧ୍ୟରେ ଏହି ପ୍ରସଙ୍ଗ ଉପରେ ପ୍ରାରମ୍ଭିକ ଆଲୋଚନା ହୋଇପାରେ । ରାଫେଲ ନିର୍ମାଣ କରୁଥିବା କମ୍ପାନି ଡସଲ୍ଟ ଭାରତରେ ରାଫେଲ ବିମାନର ନିର୍ମାଣ ପାଇଁ ନୀତିଗତ ରୂପେ ସହମତି ଦେଇଥିବା ଦାବି କରାଯାଉଛି ।

ଭାରତୀୟ ବାୟୁ ସେନା ପାଇଁ ସ୍ୱୀକୃତି ସଂଖ୍ୟା ୪୨ ଥିବା ବେଳେ ବର୍ତ୍ତମାନ କେବଳ ୩୦ ଯୁଦ୍ଧ ବିମାନର ସ୍କ୍ୱାଡ୍ରନ୍ ରହିଛି । ପାକିସ୍ତାନ ଓ ବାଂଲାଦେଶ ଏବଂ ପାକିସ୍ତାନ ଓ ଚୀନ ମଧ୍ୟରେ ବଢୁଥିବା ସମ୍ପର୍କ ବିପଦ ଆଶଂକାକୁ ଅଧିକ କରିଛି । ଆଶା କରାଯାଉଛି ଯେ ଏହି ପ୍ରୋଜେକ୍ଟ ଭାରତୀୟ ବାୟୁ ସେନାକୁ ଦୀର୍ଘ ଅବଧିରେ ୪.୫-ଜେନେରେସନ-ପ୍ଲସ୍ ମଲ୍ଟିରୋଲ ଯୁଦ୍ଧ ବିମାନର ଆବଶ୍ୟକତାକୁ ପୂରା କରିବାରେ ସାହାଯ୍ୟ କରିବ । ଡିଲ୍ ଅନୁସାରେ କ୍ରୟ ହେବାକୁ ଥିବା ୧୧୪ ରାଫେଲ୍ ଯୁଦ୍ଧ ବିମାନ ମଧ୍ୟରୁ ପ୍ରାୟ ୮୦ ପ୍ରତିଶତ ଭାରତରେ ନିର୍ମାଣ କରିବା ଯୋଜନା ରହିଛି ।