ବିଜେପି ଅଧ୍ୟକ୍ଷ ହେବା ମାତ୍ରେ ଆକ୍ସନରେ ନିତିନ ନବୀନ, ଦିନ ସାରା କଲେ ଉଚ୍ଚସ୍ତରୀୟ ବୈଠକ

NEWS7
rising-water-level-in-balimela-dam-threatens-gurupriya

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି(ବିଜେପି)ର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ ନୂଆ ଦାୟିତ୍ଵ ସମ୍ଭାଳିବା ପରେ ବୁଧବାର ପାର୍ଟିର ପଦାଧିକାରୀଙ୍କ ସହିତ ପ୍ରଥମ ରାଜନୈତିକ ବୈଠକ କରିଛନ୍ତି। ପଶ୍ଚିମବଙ୍ଗ ସହିତ ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଦୁଇଟି ସେସନରେ ଦିନ ସାରା ଚାଲିଥିବା ବୈଠକରେ ନବୀନ ପାର୍ଟିର ପଦାଧିକାରୀଙ୍କ ସହ ତୃଣମୂଳସ୍ତରରେ ସଂଗଠନକୁ ଆହୁରି ମଜବୁତ କରିବାକୁ କହିଛନ୍ତି। ଏହା ସହିତ ଭିବି- ଜି ରାମ ଜି ଅଧିନିୟମକୁ ନେଇ କଂଗ୍ରେସର ନକରାତ୍ମକ ଅଭିଯାନର ଜବାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ନୂଆ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି ଯୋଜନାର ଲାଭ ବିଷୟରେ ଲୋକଙ୍କୁ ସଚେତନ କରିବା ପାଇଁ ପ୍ରୟାସ କରିବାକୁ କହିଛନ୍ତି।

ସୂତ୍ର ଅନୁସାରେ, ବୈଠକରେ ନବୀନ ପାର୍ଟିର ପଦାଧିକାରୀଙ୍କ ସହିତ ସମଗ୍ର ଦେଶରେ ନିର୍ବାଚନ ପ୍ରଚାର ଅଭିଯାନର ସଞ୍ଚାଳନ ପ୍ରକ୍ରିୟା ଉପରେ ଆଲୋଚନା କରିଛନ୍ତି। ଏହା ସହିତ ସଂଗଠନ ମଜବୁତ ପାଇଁ ଆବଶ୍ୟକୀୟ ପ୍ରସ୍ତାବ ଦେବାକୁ କହିଛନ୍ତି।

ବୈଠକରେ ଜେପି ନଡ୍ଡା ବି ଥିଲେ

ଏହି ବୈଠକରେ ଅନେକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ଏଥିରେ ବିଜେପିର ପୂର୍ବତନ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ପାର୍ଟିର ପଦାଧିକାରୀ ଓ ରାଜ୍ୟ ବିଜେପି ପଦାଧିକାରୀଙ୍କ ସହିତ ବରିଷ୍ଠ ନେତା ଉପସ୍ଥିତ ଥିଲେ। ଜଣେ ନେତା କହିଛନ୍ତି, ନଡ୍ଡା ପ୍ରତିନିଧିଙ୍କୁ ସମ୍ବୋଧିତ କରିଥିଲେ ଏବଂ ବୈଠକରେ ଆଲୋଚନା ହୋଇଥିବା ବିଭିନ୍ନ ପ୍ରସଙ୍ଗ ଉପରେ ମାର୍ଗଦର୍ଶନ ଦେବା ସହ ପ୍ରସ୍ତାବ ଦେଇଛନ୍ତି।

ଗୋଟିଏ ଦିନ ପୂର୍ବରୁ ନିର୍ବାଚନ ପ୍ରଭାରୀଙ୍କୁ ନିଯୁକ୍ତି

ଗୋଟିଏ ଦିନ ପୂର୍ବେ ସେ କେରଳ ବିଧାନସଭା ଓ ଗ୍ରେଟର ବେଙ୍ଗାଲୁରୁ ମହାନଗର ନିଗମର ନିର୍ବାଚନ ପାଇଁ ନିର୍ବାଚନୀ ପ୍ରଭାରୀ ଓ ସହ ନିର୍ବାଚନ ପ୍ରଭାରୀ ନିଯୁକ୍ତ କରିଛନ୍ତି। ପାର୍ଟିର ରାଷ୍ଟ୍ରୀୟ ସାଧାରଣ ସଂପାଦକ ଅରୁଣ ସିଂ ମଙ୍ଗଳବାର ଅଲଗା-ଅଲଗା ପ୍ରେସ ବିବୃତିରେ ଏହାର ସୂଚନା ଦେଇଥିଲେ। ନିତିନ ନବୀନ କେରଳ ପାଇଁ ରାଷ୍ଟ୍ରୀୟ ସାଧାରଣ ସଂପାଦକ ବିନୋଦ ତାଓ୍ଵଡ଼େଙ୍କୁ ନିର୍ବାଚନ ପ୍ରଭାରୀ ଓ କେନ୍ଦ୍ର ମନ୍ତ୍ରୀ ଶୋଭା କରନ୍ଦଲାଜେଙ୍କୁ ସହ ପ୍ରଭାରୀ ନିଯୁକ୍ତ କରିଥିଲେ।