ଏଲ୍ ମେଞ୍ଚୋକୁ ହତ୍ୟା ପଛରେ ଟ୍ରମ୍ପଙ୍କ ହାତ ! ମେକ୍ସିକୋକୁ ଗୁଇନ୍ଦା ରିପୋର୍ଟ ଦେଇଥିଲା ଆମେରିକୀୟ ଏଜେନ୍ସି

NEWS7
reliance-jio-stopped-rs-19-and-rs-50-plan

ମେକ୍ସିକୋ ସିଟି, ୨୩/୦୨: ସରିଛି ଦଶନ୍ଧିର ରାଜୁତି । ମେକ୍ସିକୋ ସେନା ଅପରେସନରେ ପ୍ରାଣ ହରାଇଛି ଡ୍ରଗ୍ସ ମାଫିଆ । ବିଶ୍ୱର ସବୁଠୁ କୁଖ୍ୟାତ ଏବଂ ମୋଷ୍ଟ୍ ଓ୍ୱାଣ୍ଟେଡ୍ ନିଶା କାରବାରୀ ନେମୋସିୟୋ ରୁବନ୍ ଓସେଗୁଏରା ସର୍ବେଟେସ୍ ଏବେ ପ୍ରାଣ ହରାଇଛି । ସେ ସ୍ଥାନୀୟ ଅଞ୍ଚଳରେ ଏଲ୍ ମେଞ୍ଚୋ ନାଁରେ କୁଖ୍ୟାତି ଅର୍ଜନ କରିଥିଲା । ତେବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଇଶାରାରେ ଓସେଗୁଏରାକୁ ନିପାତ କରାଯାଇଥିବା ଚର୍ଚ୍ଚା ହେଉଛି ।

ଅପରେସନ ପଛରେ ଟ୍ରମ୍ପଙ୍କ ହାତ

ଆମେରିକାର କହିବାନୁସାରେ, ଏହି ଅପରେସନର ୟୁଏସ ସମସ୍ତ ସହାୟତା ପ୍ରଦାନ କରିଥିଲା । ସେମାନେ ଓସେଗୁଏରା ବାବଦରେ ମେକ୍ସିକୋକୁ ତଥ୍ୟ ଦେଇଥିଲେ । ସାମରିକ ଅଭିଯାନ ପରେ ମେକ୍ସିକୋ ସେନାକୁ ଆମେରିକା ସରକାର ଧନ୍ୟବାଦ ମଧ୍ୟ ଜଣାଇଛି । ବର୍ଷେ ହେଲା ଆମେରିକାରେ ବଢୁଥିବା ନିଶା କାରବାର ରୋକିବାକୁ ଟ୍ରମ୍ପ୍ ପଦକ୍ଷେପ ନେଉଥିଲେ ।

ରୟଟର୍ସର ରିପୋର୍ଟ ଅନୁସାରେ, ଓସେଗୁଏରା କେଉଁଠି ରହୁଥିଲା ଏବଂ କଣ କରୁଥିଲା ସେନେଇ ଆମେରିକାର ଗୁଇନ୍ଦା ବିଭାଗ ପାଖରେ ତଥ୍ୟ ରହିଥିଲା । ସେମାନେ ଏହି ତଥ୍ୟାକୁ ମେକ୍ସିକୋ ସେନାକୁ ପ୍ରଦାନ କରିଥିଲେ । ଗତ ଜାନୁଆରୀ ମାସରେ ଓସେଗୁଏରାକୁ ଧରିବା କିମ୍ବା ନିପାତ ପାଇଁ ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତ ହୋଇଥିଲା । କାରଣ ମେକ୍ସିକୋ ସହ ଆମେରିକାର ସୀମାରେ ମଧ୍ୟ ନିଶା କାରବାର ପଛରେ ମାଫିଆ ଓସେଗୁଏରାର ହାତ ରହିଥିଲା ।

ମୋଷ୍ଟ୍ ଓ୍ୱାଣ୍ଟେଡ୍ ଡ୍ରଗ୍ସ ମାଫିଆ

ଓସେଗୁଏରାର ମୃତ୍ୟୁ ନେଇ ମେକ୍ସିକୋର ପ୍ରତିରକ୍ଷା ବିଭାଗ ରବିବାର ରାତିରେ ନେମୋସିୟୋର ମୃତ୍ୟୁ ନେଇ ଘୋଷଣା କରିଛି । ସେ ବିଶ୍ୱର ମୋଷ୍ଟ୍ ଓ୍ୱାଣ୍ଟେଡ୍ ନିଶା କାରବାରୀଙ୍କ ମଧ୍ୟରେ ସାମିଲ ଥିଲା । ଦେଶର ଜରିସ୍କୋରେ ମେକ୍ସିକାନ୍ ସୁରକ୍ଷା ବଳ ଅପରେସନ ଆରମ୍ଭ କରିଥିଲା । ଏଥିରେ ୫୯ ବର୍ଷୀୟ ନେମୋସିୟୋକୁ ଗୁଳି ବାଜି ଥିଲା । ତାକୁ ଏୟାର ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ନେଉଥିବା ସମୟରେ ସେ ପ୍ରାଣ ହରାଇଛି ।

ଦଶ ବର୍ଷର ଲୁଚକାଳି ଖେଳ

ଏଲ୍ ମେଞ୍ଚୋ ବା ଓସେଗୁଏରା ନିଜର ସଙ୍ଗଠନ ଜଲିସ୍କୋ ନ୍ୟୁ ଜେନେରେସନ କର୍ଟେଲ ନାଁରେ ସାମ୍ରାଜ୍ୟ ବିସ୍ତାର କରିଥିଲା । ଗତ ଏକ ଦଶନ୍ଧୀ ଧରି ସେ ଦେଶର ଅନେକ ସ୍ଥାନରେ ନିଶା କାରବାରକୁ ପ୍ରୋତ୍ସାହନ କରିଥିଲା । ଆମେରିକାକୁ ମଧ୍ୟ ସେ ନିଶା ରପ୍ତାନୀ କରୁଥିଲା । ତେବେ ତାହାର ମୃତ୍ୟୁ ପରେ ମେକ୍ସିକୋର ଅନେକ ଜାଗାରେ ହିଂସା ଦେଖିବାକୁ ମିଳିଛି । ତାର ସଙ୍ଗଠନ ଯେଉଁ ସବୁ ରାଜ୍ୟରେ ଶକ୍ତିଶାଳୀ ରହିଛି ସେଠାରେ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଛି । କିଛି ସ୍ଥାନରେ ଲୋକେ ରାସ୍ତାରେ ନିଆଁ ଜାଳି ପ୍ରତିବାଦ କରୁଛନ୍ତି । ଗାଡିମୋଟରକୁ ଜାଳି ଦେବା ସହ ମୁଖ୍ୟ ରାସ୍ତାକୁ ବନ୍ଧୁକ ଧରି ଆତତାୟୀମାନେ ବନ୍ଦ କରିଦେଉଥିବା ଦେଖିବାକୁ ମିଳିଛି ।