LIVE TV
LIVE TV

ଟେଷ୍ଟକୁ ଫେରିବେନି କୋହଲି, କେବଳ ODIରେ ଆସିବେ ନଜର : ସବୁ ଗୁଜବରେ ପଡିଲା ପୂର୍ଣ୍ଣଚ୍ଛେଦ

NEWS7
rehabilitation-clinic-opens-in-bhubaneswarwill-meet-the-special-educational-needs-of-the-child

ରାଞ୍ଚି,୦୧ /୧୨: ଦକ୍ଷିଣ ଆଫ୍ରିକା ବିପକ୍ଷ ରାଞ୍ଚି ଦିନିକିଆରେ ରୋମାଞ୍ଚକର ବିଜୟ ହାସଲ କରିଛି ଭାରତ । ବିରାଟ କୋହଲିଙ୍କ ଶତକ ଏବଂ ରୋହିତ ଶର୍ମାଙ୍କ ଅର୍ଦ୍ଧଶତକ ବଳରେ ଟିମ୍ ଇଣ୍ଡିଆ ବିଶାଳ ସ୍କୋର କରିଥିଲା । ଯାହାକୁ ଶେଷ ଯାଏଁ ଲଢି ଚେଜ୍ କରିପାରିନଥିଲା ଭ୍ରମଣକାରୀ ଟିମ୍ । ବିଜୟଠୁ ୧୭ ରନ ଦୂରରେ ରହି ପରାସ୍ତ ହୋଇଥିଲା ଦକ୍ଷିଣ ଆଫ୍ରିକା ।

ମୁକାବିଲାରେ ସବୁଠୁ ଚର୍ଚ୍ଚାରେ ଥିଲେ ବିରାଟ କୋହଲି । ସେ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ । ୧୧ ଚଉକା ଏବଂ ୭ ଛକା ବଳରେ ୧୨୦ ବଲରେ କରିଥିଲେ ୧୩୫ ରନ୍ । ତାଙ୍କୁ ସାଥ୍ ଦେଇଥିଲେ ରୋହିତ ଶର୍ମା । ଫଳରେ ଭାରତ ୮୦ ଓଭରରେ ୮ ଓ୍ୱିକେଟ୍ ହରାଇ ୩୪୯ ରନ୍ କରିପାରିଥିଲା । ଜବାବରେ ଦକ୍ଷିଣ ଆଫ୍ରିକା ୩୩୨ ରନରେ ଅଲଆଉଟ୍ ହୋଇଯାଇଥିଲା । ଦମଦାର ପ୍ରଦର୍ଶନ ପାଇଁ ବିରାଟଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ୍ ପୁରସ୍କାର ମିଳିଛି ।

ମୁକାବିଲା ଶେଷ ପରେ ବିରାଟ ଅନେକ ଗୁଜବରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି । କୁହାଯାଉଥିଲା ଯେ, ସେ ଟେଷ୍ଟ କ୍ରିକେଟକୁ ଫେରିପାରନ୍ତି । ନିକଟରେ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକାଠୁ ୦-୨ରେ ପରାସ୍ତ ହେଲା ପରେ ଚର୍ଚ୍ଚା ଜୋର ହୋଇଥିଲା । ଯାହାକୁ ନେଇ କୋହଲି କହିଛନ୍ତି ଯେ, ସେ ଭାରତ ପାଇଁ କେବଳ ଗୋଟିଏ ଫର୍ମାଟ୍ ଖେଳିବେ । ସେ ଯେବେ ବି ଖେଳନ୍ତି ନିଜର ଶ୍ରେଷ୍ଠତା ପ୍ରଦର୍ଶନ କରିବାକୁ ପ୍ରୟାସ କରନ୍ତି ।

ପୁରସ୍କାର ବିତରଣ ଉତ୍ସବରେ ସେ କହିଛନ୍ତି ଯେ, ଆଜି ତାଙ୍କ ପାଇଁ ଖେଳ ବହୁତ ଭଲ ରହିଥିଲା । ପ୍ରଥମ ୨୦-୨୫ ଓଭରରେ ପିଚ୍ ଭଲ ଥିଲା । ପରେ ପିଚ୍ ସ୍ଲୋ ହୋଇଥିଲା । ସେ ପଡିଆକୁ ଯାଇ ବଲକୁ ହିଟ୍ କରିବା କଥା ଭାବନ୍ତି । ଅନ୍ୟ କଥାକୁ ସେ କେବେହେଲେ ଭାବିନାହାଁନ୍ତି । ଆରମ୍ଭରୁ ଭଲ ରନ୍ ହେଲେ ଅଧିକ ଚାପ ରୁହେନାହିଁ । ଅନେକ ଦିନର ଅଭିଜ୍ଞତା କାମରେ ଆସିଥାଏ । ପରିସ୍ଥିତିକୁ ବୁଝି ସ୍କୋରକୁ ଆଗକୁ ବଢାଇବାକୁ ହୋଇଥାଏ ।

ସେ ଆହୁରି କହିଛନ୍ତି ଯେ, ଅଭ୍ୟାସକୁ ସେ ଅଧିକ ଗୁରୁତ୍ୱ ଦିଅନ୍ତି ନାହିଁ । ସେ ସର୍ବଦା ମାନସିକ ସ୍ତରରେ ଖେଳନ୍ତି । ପ୍ରତିଦିନ ପରିଶ୍ରମ କରନ୍ତି । ଫିଟନେଶ୍ ଏବଂ ମାନସ୍ଥିତ ସ୍ଥିତି ଭଲ ଥିବା ଯାଏଁ ଖେଳ ଭଲ ଲାଗିବ । ଯାହାର ସକରାତ୍ମକ ପ୍ରଭାବ ବ୍ୟାଟିଂ ଉପରେ ପଡିଥାଏ । ଯେଉଁଦିନ ଖେଳ ଆରମ୍ଭ ହୁଏ ଭଲ ଷ୍ଟାର୍ଟ ମିଳିଲେ ରନ୍ ଆସିଯାଏ ।

ରନ୍ ମେସିନ୍ ଆହୁରି କହିଛନ୍ତି ଯେ, ଯଦି ସେ କେଉଁଠି ଖେଳନ୍ତି ତାହାଲେ ନିଜର ୧୨୦ ପ୍ରତିଶତ ଦିଅନ୍ତି । ରାଞ୍ଚି ସେ ଆଗୁଆ ପହଁଚିଥିଲେ । ଯାହା ଦ୍ୱାରା ସେଠାକାର ପରିବେଶ ଏବଂ ପିଚକୁ ବୁଝିବା ସହଜ ହୋଇଥିଲା । ମ୍ୟାଚର ଗୋଟିଏ ଦିନ ପୂର୍ବରୁ ସେ ବିଶ୍ରାମ ନେଇଥିଲେ । ଏବେ ତାଙ୍କୁ ୩୭ ବର୍ଷ । ଶରୀରକୁ ବିଶ୍ରାମ ଦରକାର । ଆଜି ବି ସେ ବୋଲର ଏବଂ ଫିଲ୍ଡରଙ୍କୁ ଚ୍ୟାଲେଞ୍ଜ୍ ଦେଇପାରିବେ ବୋଲି ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ, ବିରାଟ ୩୦୦ରୁ ଅଧିକ ଦିନିକିଆ ଖେଳିଛନ୍ତି । ତାଙ୍କ ବ୍ୟାଟରୁ ଏହି ଫର୍ମାଟରେ ୫୨ଟି ଶତକ ବାହାରିଛି । ରାଞ୍ଚି ମୁକାବିଲାରେ ସେ ପୂର୍ବଭଳି ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ । ନିଜ ସମାଲୋଚକଙ୍କୁ ସେ ବ୍ୟାଟରେ ଜବାବ ଦେଇଥିଲେ ।