LIVE TV

୨୦୨୬ରୁ ବଦଳିବ ବ୍ୟାଙ୍କିଂ ନିୟମ, ଲକର୍‌ରୁ ଚୋରି ହେଲେ ୧୦୦ ଗୁଣ ଯାଏ ମିଳିବ କ୍ଷତିପୂରଣ

NEWS7
rbi-says-its-not-possible-to-give-loan-moratorium-beyond-six-months

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ଦେଶର ବ୍ୟାଙ୍କିଂ ବ୍ୟାବସ୍ଥରେ ବଡ଼ ସଂସ୍କାର ଆଣିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ଆରବିଆଇ ୨୩୮ ନୂଆ ବ୍ୟାଙ୍କିଂ ନିୟମର ଡ୍ରାଫ୍ଟ ଜନତାଙ୍କ ପାଇଁ ଜାରି କରିଛି । ନଭେମ୍ୱର ୧୦ ସୁଦ୍ଧା ପରାମର୍ଶ ଓ ସୁପାରିଶ ଲୋଡ଼ିଛି । ଏହି ନିୟମ ଉପରେ ଲୋକଙ୍କ ମତ ଓ ବ୍ୟାଙ୍କିଂ ସଂସ୍ଥାନର ପ୍ରତିକ୍ରିୟା ପରେ ୨୦୨୬ ଆରମ୍ଭରୁ ଏହାକୁ ଲାଗୁ କରାଯାଇପାରେ । ଏହି ପ୍ରସ୍ତାବିତ ପରିବର୍ତ୍ତନର ଉଦ୍ଦେଶ୍ୟ ଗ୍ରାହକଙ୍କ ସୁରକ୍ଷା ବଢାଇବା, ବ୍ୟାଙ୍କିଂ ସେବାକୁ ସରଳ କରିବା ଓ ବ୍ୟାଙ୍କଗୁଡ଼ିକର ଉତ୍ତରଦାୟିତ୍ୱ ସ୍ଥିର କରିବା ।

ଆରବିଆଇର କହିବା କଥା, ଯଦି କୌଣସି ଗ୍ରାହକଙ୍କ ଖାତାରୁ ସାଇବର୍ ଠକେଇ ହୁଏ ଓ ତିନି ଦିନ ଭିତରେ ବ୍ୟାଙ୍କକୁ ସେ ଏହି ସୂଚନା ଦିଅନ୍ତି, ତେବେ ତାଙ୍କର ଦାୟିତ୍ୱ ଶୂନ ହେବ । ଅର୍ଥାତ୍ ଗ୍ରାହକଙ୍କୁ କୌଣସି କ୍ଷତି ସହିବାକୁ ପଡ଼ିବ ନାହିଁ । ଏହା ସହ, ଯଦି ବ୍ୟାଙ୍କ ଏପରି ମାମଲାରେ ସଠିକ୍ ସମୟରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରେ, ତେବେ ତା ଉପରେ ୨୫ ହଜାର ଟଙ୍କା ଜରିମାନା ଲଗାଯିବ । ଏହାଦ୍ୱାରା ବ୍ୟାଙ୍କଗୁଡ଼ିକ ସାଇବର ସୁରକ୍ଷାକୁ ନେଇ ଅଧିକ ସତର୍କ ରହିବେ ।

ଲକର୍ ସହ ଜଡ଼ିତ ବିବାଦରେ ବି ଗ୍ରାହକଙ୍କ ହିତରେ ବଡ଼ ପରିବର୍ତ୍ତନ କରାଯାଇଛି । ଯଦି କୌଣସି ଗ୍ରାହକଙ୍କ ଲକର୍, ବ୍ୟାଙ୍କର ଅବହେଳା କିମ୍ୱା ସୁରକ୍ଷା ତ୍ରୁଟି ଯୋଗୁ ଚୋରି କିମ୍ୱା କ୍ଷତିର ଶିକାର ହୁଏ, ତେବେ ବ୍ୟାଙ୍କକୁ ଲକର୍ ଭଡ଼ାର ୧୦୦ ଗୁଣ ଯାଏ କ୍ଷତିପୂରଣ ଦେବାକୁ ପଡ଼ିବ ।

ନୂଆ ନିୟମରେ କେୱାଇସି ପ୍ରକ୍ରିୟାକୁ ଆହୁରି ଅଧିକ ସରଳ କରାଯାଇଛି । ସାଧାରଣ ବ୍ୟାଙ୍କ ଆକାଉଣ୍ଟଗୁଡ଼ିକ ପାଇଁ କେୱାଇସି ପ୍ରତି ୧୦ ବର୍ଷରେ ଥରେ କରିବାକୁ ହେବ । ମଧ୍ୟମ ବିପଦ ଥିବା ଆକାଉଣ୍ଟ ପାଇଁ ପ୍ରତି ୮ ବର୍ଷ ଓ ଉଚ୍ଚ ବିପଦ ଥିବା ଆକାଉଣ୍ଟ ପାଇଁ ପ୍ରତି ୨ ବର୍ଷରେ ଏହି ପ୍ରକ୍ରିୟା ପୂରା କରିବାକୁ ପଡ଼ିବ । ଏହାଦ୍ୱାରା ଗ୍ରାହକଙ୍କୁ ବାରମ୍ୱାର ଦସ୍ତାବିଜ ଜମା କରିବାକୁ ପଡ଼ିବ ନାହିଁ ।

ଲୋନ୍ ସହ ଜଡ଼ିତ ମାମଲାରେ ବି ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି ଦିଆଯାଇଛି । ଏବେ ସବୁ ବ୍ୟାଙ୍କଗୁଡ଼ିକୁ ସୁଧ ହାର ସ୍ଥିର କରିବା ପାଇଁ ଏକ ସମାନ ଫର୍ମୁଲା ଆପଣାଇବାକୁ ହେବ, ଫଳରେ ପାରଦର୍ଶିତା ରହିପାରିବ । ଏହାସହ ସମସ୍ତ ଲୋନ୍ ଉପରେ ପ୍ରିପେମେଣ୍ଟ ପେନାଲ୍ଟି (ଆଗୁଆ ଲୋନ ପରିଶୋଧ ଉପରେ ଜରିମାନା)କୁ ସମ୍ପୂର୍ଣ୍ଣ ରୂପେ ଶେଷ କରାଯିବ । ଏହା ଦ୍ୱାରା ଗ୍ରାହକ ବିନା କୌଣସି ଅତିରିକ୍ତ ଶୁଳ୍କରେ ସମୟ ପୂର୍ବରୁ ନିଜ ଲୋନ୍ ପରିଶୋଧ କରିପାରିବେ ।

 ୭୦ ବର୍ଷ କିମ୍ୱା ଏହାଠାରୁ ଅଧିକ ବୟସର ଗ୍ରାହକଙ୍କୁ ଘରେ ବ୍ୟାଙ୍କିଂ ସୁବିଧା ପହଞ୍ଚାଇବା ପାଇଁ ପ୍ରସ୍ତାବ ରଖାଯାଇଛି । ଅର୍ଥାତ୍ ସେମାନଙ୍କୁ ବ୍ୟାଙ୍କ ଶାଖା ଯିବାକୁ ପଡ଼ିବ ନାହିଁ ଏବଂ ବ୍ୟାଙ୍କ ଅଧିକାରୀ ଗ୍ରାହକଙ୍କ ଘରକୁ ଯାଇ ଜରୁରି ସେବା ପ୍ରଦାନ କରିବେ । ଆରବିଆଇ ଅନୁସାରେ, ଜନତା ଓ ବ୍ୟାଙ୍କର ପରାମର୍ଶ ଉପରେ ବିଚାର କରିବା ପରେ ୨୦୨୬ ଜାନୁଆରୀ ୧ରୁ ଏପ୍ରିଲ୍ ୧ ମଧ୍ୟରେ ସବୁ ନୂଆ ନିୟମ ପର୍ଯ୍ୟାୟକ୍ରମେ ଲାଗୁ କରାଯିବ । ଏପରି ପରିବର୍ତ୍ତନ ଲାଗୁ ହେବା ପରେ ବ୍ୟାଙ୍କିଂ ସେକ୍ଟରରେ ପରାଦର୍ଶିତା ବଢିବ ।