ମକର ମେଳାରେ ଯୁବକଙ୍କ ଉନ୍ମତ୍ତକାଣ୍ଡ, ବିଚ୍ ରାସ୍ତାରେ ଗାଡ଼ି ଅଟକାଇ ବୁଲାଇଲେ ଖଣ୍ଡା

NEWS7
rbi-dismiss-new-bank-licence-recommendation

ଚାନ୍ଦବାଲି ୧୯।୦୧ : ମହଙ୍ଗା ପଡ଼ିଲା ରାଜପଥରେ ଖଣ୍ଡା ବୁଲାଇବା । ବେକରେ ଗାମୁଛା ଏବଂ ହାତରେ ବିରାଟ ଖଣ୍ଡା ଧରି ମକର ମେଳାରେ ବୁଲାଇଲେ । ଏବେ ପୋଲିସ ସଂପୃକ୍ତ ଯୁବକଙ୍କୁ ବାନ୍ଧିଛି ।

ଭଦ୍ରକ ଜିଲ୍ଲା ଧାମରାରେ ଚାଲିଛି ମକର ମେଳା । ହଜାର ହଜାର ଯାତ୍ରୀଙ୍କ ଭିଡ଼ ଲାଗିଛି । ଏହି ସମୟରେ ଜଣେ ଯୁବକ ଖଣ୍ଡା ଧରି ରାଜପଥ ଉପରେ ଆତଙ୍କ ସୃଷ୍ଟି କରିଥିଲେ । ଯାହାଫଳରେ ଲୋକମାନେ ଦୌଡାଦୌଡି କରିଥିଲେ । ଯୁବକ ଜଣକ ଟ୍ରକକୁ ଅଟକାଇ ଡ୍ରାଇଭରକୁ ଧମକାଇ ୫୦୦୦ ଟଙ୍କା ନେଇ ଯାଇଥିଲେ । ଏପିରିକି ଅନେକ କାର ଓ ବାଇକ ଚାଳକ ନିଜ ନିଜ ଗାଡ଼ି ଛାଡ଼ି ପଳାଇଥିଲେ । ଶେଷରେ କିଛି ସାହାସୀ ଯୁବକ ଏହି ଖଣ୍ଡାଧାରୀ ଯୁବକଙ୍କୁ ମାଡ଼ିବସିବା ପରେ ସାଥୀରେ ଥିବା ୨ ଜଣ ବାଇକ୍ ଧରି ଫେରାର ହୋଇଯାଇଥିଲେ । ଏହି ଘଟଣାଟି କଇଥଖୋଲା ଅଞ୍ଚଳରେ ଘଟିଥିଲା । ଯାହାପରେ ପୋଲିସ ତୁରନ୍ତ ଧାମରା ଥାନାକୁ ଖବର ଦେଇଥିଲେ । ଧାମରା ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସଂପୃକ୍ତ ଯୁବକଙ୍କୁ ଗିରଫ କରିବା ସହ ଖଣ୍ଡା ଓ ୫୦୦୦ ଟଙ୍କା ଜବତ କରିଛନ୍ତି । ଜବତ ୫ ହଜାର ଟଙ୍କାକୁ ଉକ୍ତ ଡ୍ରାଇଭରଙ୍କୁ ଫେରାଇଥିଲା ପୋଲିସ । ତେବେ ଖଣ୍ଡାଧାରୀ ଯୁବକ ଜଣକ ହେଲେ ଶଶିକାଦେଇପୁର ଗାଁର ବାସୁଦେବ ବାରିକଙ୍କ ପୁଅ ମାନସ ବାରିକ ବୋଲି ଜଣାପଡିଛି । ମାନସ ନିଜେ ଅନ୍ୟ ଦୁଇ ଜଣ ସାଙ୍ଗମାନଙ୍କ ସହ ଧାମରା ମକର ମେଳାକୁ ଆସିଥିଲେ । ସେଠାରେ ଏକ ବଡ଼ ଖଣ୍ଡା କିଣିଥିଲେ , ଆଉ ବେକରେ ଗାମୁଛା ପକାଇ ଖଣ୍ଡାକୁ ବୁଲାଇଥିଲେ । ଧାମରା-ବାସୁଦେବପୁର ରାସ୍ତା ଏପରି ଘଟଣା ଘଟିଥିଲା ।