Live Live
LIVE

ଶୋଷିଦେବ ସୁପର ଏଲ୍‌ନିନୋ, ପଶୁପାଳକ କହିଲେ ବଢିବ ଖରା, ଅନିୟମିତ ହେବ ବର୍ଷା

NEWS7
rbi-announce-to-swap-2-billion-us-dollar-for-smooth-of-forex-market

ଭୁବନେଶ୍ୱର ୧୦/୦୩: ଭୟଙ୍କର ରୂପ ନେଇ ଆସୁଛି ସୁପର ଏଲ୍- ନିନୋ । ଜୁଲାଇରୁ ଦେଖାଇବ କୋପ । ଶୁଖିଯିବ ମୌସୁମୀ । ହଜିଯିବ ବର୍ଷା । ବଢ଼ିଯିବ ଖରା ପ୍ରକୋପ । ମାଡ଼ି ଆସିବ ମରୁଡ଼ି । ଏଭଳି ଆଶଙ୍କା ଦେଖାଇଲାଣି ସମ୍ଭାବ୍ୟ ସୁପର ଏଲ୍ନିନୋ ପ୍ରକୋପ । ଲା-ନିନା ପ୍ରଭାବରେ ଏଥର ଥଣ୍ଡା ପ୍ରକୋପ ବେଶ୍ ଜୋରଦାର ରହିବା ସହ ଅବଧି ବି ଲମ୍ବା ରହିଥିଲା । ମାତ୍ର ଲା-ନିନା ପ୍ରଭାବ କମିଲାଣି । ଏବେ ଆସିଲାଣି ନ୍ୟୁଟ୍ରାଲ (ଲା-ନିନା ଓ ଏଲ୍- ନିନୋର ମଧ୍ୟବର୍ତ୍ତୀ ସମୟ) ।

ଆଗକୁ ଆସିବ ଏଲ୍-ନିନୋ । ଏଥର କିନ୍ତୁ ସାଧାରଣ ବର୍ଷଠାରୁ ଏଲ୍-ନିନୋ ପ୍ରଭାବ ପ୍ରଚଣ୍ଡ ରହିପାରେ । ଯାହାକି ସୁପର ଏଲ୍ନିନୋ ବର୍ଷ ହୋଇପାରେ । ଫଳରେ ମୌସୁମୀ ଅନିୟମିତ ହେବ । ବିଶ୍ୱର ବିଭିନ୍ନ ପାଣିପାଗ ପୂର୍ବାନୁମାନ ସଂସ୍ଥାର ମଡେଲ୍ ଏଭଳି ଆକଳନ ଦେଖାଉଛନ୍ତି ।ବିଷୁବ ମଣ୍ଡଳୀୟ କେନ୍ଦ୍ରୀୟ ପ୍ରଶାନ୍ତ ମହାସାଗରରେ ଜଳପତ୍ତନ ତାପମାତ୍ରା ସ୍ୱାଭାବିକଠାରୁ ୦.୫ ଡିଗ୍ରୀ କମିଲେ, ତାହା ଲା-ନିନା ସ୍ଥିତି କୁହାଯାଏ ।

ସେହିପରି ଯଦି ଜଳପତ୍ତନ ତାପମାତ୍ରା ୦.୫ ଡିଗ୍ରୀ ବଢ଼ିଲେ, ତାହାକୁ ଏଲ୍ନିନୋ କୁହାଯାଇଥାଏ । ଏହା ସାରା ବିଶ୍ୱର ପାଣିପାଗକୁ ପ୍ରଭାବିତ କରିଥାଏ । ସବୁ ଏଲ୍-ନିନୋ ବର୍ଷରେ ମୌସୁମୀ ବର୍ଷା ଅନିୟମିତ ହୋଇନଥାଏ, ମାତ୍ର ଅଧିକାଂଶ ଏଲ୍-ନିନୋ ବର୍ଷରେ ପ୍ରଭାବିତ ହୋଇଥାଏ ମୌସୁମୀ । ଓଡ଼ିଶା ଭଳି ରାଜ୍ୟରେ ୬୦% ଜମି ଅଣଜଳସେଚିତ । ତେଣୁ ଚାଷୀ କୁଳ ମୌସୁମୀ ବର୍ଷା ଉପରେ ନିର୍ଭରଶୀଳ । ମୌସୁମୀ ବର୍ଷା ବାଧାପ୍ରାପ୍ତ ହେଲେ ଓଡ଼ିଶାରେ ଧାନ ଫସଲ ବେଶି ପ୍ରଭାବିତ ହେବ ।

ବିଭିନ୍ନ ମଡେଲ୍‌କୁ ବିଶ୍ଳେଷଣ କରି ବିଶିଷ୍ଟ ପାଣିପାଗ ବୈଜ୍ଞାନିକ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି, ଆସନ୍ତା ମେ’ ମାସରୁ କ୍ରମଶଃ ନ୍ୟୁଟ୍ରାଲ ସ୍ଥିତି କମିବ। ଜୁଲାଇରୁ ଏଲି-ନିନୋ ବଢି ଚାଲିବ । ଶୀତ ଋତୁ ପର୍ଯ୍ୟନ୍ତ ଏହା ବଢ଼ି ବଢ଼ି ଚାଲିବ । ଏଭଳି ସ୍ଥିତିକୁ ସୁପର ଏଲ୍- ନିନୋ କୁହାଯାଇପାରେ । ଏହା ପ୍ରଭାବରେ ମୌସୁମୀ ଅନିୟମିତ ହେବା ଆଶଙ୍କା ଅଛି । ସାଧାରଣତଃ ଏମିତି ହେଲେ ଅନେକ ସମୟରେ ମୌସୁମୀ ବର୍ଷା କମିଯାଏ ।

ଶୁଖିଲା ଦିନ ସଂଖ୍ୟା ବଢ଼ିଯାଏ । ଏଭଳି ସ୍ଥିତିରେ ମେଘ ଖଣ୍ଡ ଆସିବନି । ଖରା ପ୍ରକୋପ ସହ ତାପମାତ୍ରା ବଢ଼ିଥାଏ ।ବର୍ଷା କମିଗଲେ ଧାନ ଫସଲ ସର୍ବାଧିକ ପ୍ରଭାବିତ ହେବ । କାରଣ ଧାନ ସମୟରେ ୧୦୦୦ ମିଲିମିଟରରୁ ଅଧିକ ବର୍ଷା ଦରକାର ପଡ଼ିଥାଏ । ବିଶେଷ କରି ଢିପ ଜମି ଓ ମଝିଆଳି ଢିପ ଜମିରେ ଚାଷ ବେଶି କ୍ଷତିଗ୍ରସ୍ତ ହେବା ଆଶଙ୍କା ଅଛି ।

ଆହୁରି ଏକ ଚିନ୍ତାର ବିଷୟ ହେଲା, ଏଲି - ନୋ ପ୍ରଭାବ ଆଗାମୀ ୨୦୨୭କୁ ମଧ୍ୟ ପ୍ରଭାବିତ କରିପାରେ । ଏମିତିକି ଆସନ୍ତା ବର୍ଷ ପ୍ରଚଣ୍ଡ ଗ୍ରୀଷ୍ମ ସହ ବର୍ଷା କମିବା ଆଶଙ୍କା ରହିଛି । ୨୦୧୫ରେ ଏଲ୍-ନିନୋ ଯୋଗୁ ୨୦୧୬ରେ ସାଂଘାତିକ ପ୍ରଭାବ ଦେଖାଯାଇଥିଲା । ଚଳିତବର୍ଷ ମଧ୍ୟ ଖରା ଅଧିକ ରହିବା ସମ୍ଭାବନା ଅଛି ।

ସମ୍ଭାବ୍ୟ ଆଶ୍ୱସ୍ତିର ଗୋଟିଏ ଆଶା ହେଉଛି, ଆସନ୍ତା ଏପ୍ରିଲ ପରଠାରୁ ଇଣ୍ଡିଆନ ଓସନ ଡାଇପୋଲ୍ (ଆଇଓଡି) ପଜିଟିଭ ରହିବା ସମ୍ଭାବନା ଅଛି । ଏହା ମୌସୁମୀ ପାଇଁ ଅନୁକୂଳ ହୋଇପାରେ । ତେବେ ଏମଜେଓ ପ୍ରଭାବ କ’ଣ ରହିବ, ଏବେଠାରୁ କହି ହେବନି । ଏବେ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବ । ୨ ଦିନ ଭିତରେ ପାରଦ ୨ରୁ ୩ ଡିଗ୍ରୀ ସେଲସିୟସ୍ ବଢ଼ିପାରେ । ଆଜି ରାଜ୍ୟର ଅନେକ ସ୍ଥାନରେ ପାରଦ ସାମାନ୍ୟ ବଢ଼ିଛି । କେତେକ ସ୍ଥାନରେ ୩୬ରୁ ୩୮ ଡିଗ୍ରୀ ଭିତରେ ରହିଛି । ଝାରସୁଗୁଡ଼ାରେ ସର୍ବାଧିକ ୩୮, ଟିଟିଲାଗଡ଼ ୩୭.୫, ଢେଙ୍କାନାଳ ୩୭ ଡିଗ୍ରୀ ଥିଲା ।