ରାଜ୍ୟରେ ଅନୁଭୂତ ହେବ ହାଡ଼ଭଙ୍ଗା ଜାଡ଼, ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଥରାଉଛି

NEWS7
rayagada-district-gp-president-died-in-accident

ଭୁବନେଶ୍ୱର,୦୬/୧୨: ରାଜ୍ୟରେ ହାଡ଼ଭଙ୍ଗା ଜାଡ଼ ଅନୁଭୂତ ହେବ । ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ଭୀଷଣ ଥଣ୍ଡା ରହିବ । ଅନ୍ୟ ସ୍ଥାନରେ ବି ଅସମ୍ଭାଳ ଶୀତ ହେବ । ଦେହ, ହାତ ଥରିଯିବ । ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ଅନୁଗୁଳରେ ଶୀତ ଲହରୀ ବହିବ । ଏଭଳି ଆକଳନ କରିଛି ପାଣିପାଗ ବିଭାଗ । ଶନିବାର ରାତିରେ ଫୁଲବାଣୀ ଓ ଝାରସୁଗୁଡ଼ାରେ ପାରଦ ୯ ଡିଗ୍ରୀ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।
​​​​​​​

ବଲାଙ୍ଗୀର, ବୌଦ୍ଧ ଓ କେନ୍ଦୁଝରରେ ୧୧, ଢେଙ୍କାନାଳରେ ୧୨, ସୋନପୁର, ଟିଟିଲାଗଡ଼, ନବରଙ୍ଗପୁର, ବାଲେଶ୍ୱର, ବାରିପଦା, ଯାଜପୁର, କଟକ, କେନ୍ଦ୍ରାପଡ଼ା, ଭୁବନେଶ୍ୱରରେ ୧୩ ଡିଗ୍ରୀ ଅନୁଭୂତ ହୋଇପାରେ । ରବିବାର କୋରାପୁଟ, ଫୁଲବାଣୀ, ନବରଙ୍ଗପୁର, ଭବାନୀପାଟଣା, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ରାଉରକେଲାରେ ରାତି ତାପମାତ୍ରା ୧୦ ଡିଗ୍ରୀ ରହିବ ବୋଲି ପୂର୍ବାନୁମାନ କରାଯାଇଛି ।

ରାଜ୍ୟରେ ଏଭଳି ଥଣ୍ଡା ଜାରି ରହିବ । ୯ ଓ ୧୦ ତାରିଖ ବେଳକୁ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଉପରେ ଏକ ଟ୍ରଫ୍ଲାଇନ୍ ରହିପାରେ । ତଥାପି ପ୍ରବଳ ଥଣ୍ଡା ହେବ ବୋଲି ସୋଆ ପରିବେଶ ଓ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି ।

ଗୁରୁବାର ଦାରିଙ୍ଗବାଡ଼ି ସବୁଠୁ ଥଣ୍ଡା ଅଞ୍ଚଳ ପାଲଟିଥିଲା । ଏଠାରେ ରାତି ତାପମାତ୍ରା ୮.୫ ଡିଗ୍ରୀ ରହିଥିଲା । ଅନୁଗୁଳରେ ୯ଡିଗ୍ରୀ, ଝାରସୁଗୁଡ଼ା ଓ ରାଉରକେଲାରେ ୯.୬, ଫୁଲବାଣୀରେ ୧୦, କୋରାପୁଟ ଓ କେନ୍ଦୁଝରରେ ୧୧.୪, ସୁନ୍ଦରଗଡ଼ରେ ୧୧.୬, ଭବାନୀପାଟଣାରେ ୧୧.୮, ବୌଦ୍ଧରେ ୧୨.୩, ବଲାଙ୍ଗୀରରେ ୧୨.୪, ଢେଙ୍କାନାଳରେ ୧୨.୬, କଟକରେ ୧୩.୨, ବାରିପଦା ଓ ନବରଙ୍ଗପୁରରେ ୧୩.୫, ସମ୍ବଲପୁରରେ ୧୩.୬, ସୋନପୁରରେ ୧୩.୭, ଟିଟିଲାଗଡ଼ ଓ କେନ୍ଦ୍ରାପଡ଼ାରେ ୧୩.୮, ଖୋର୍ଦ୍ଧା ଓ ଜଗତସିଂହପୁରରେ ୧୪, ରାୟଗଡ଼ାରେ ୧୪.୬ ଡିଗ୍ରୀ ରେକର୍ଡ ହୋଇଛି ।