Live Live
LIVE

ରୋଷେଇ ଘରେ ଯୁଦ୍ଧର ପ୍ରଭାବ : ଛୁଆକୁ ଘରେ ଛାଡ଼ି ଲାଇନ୍‌ରେ ମା’, ହୋଟେଲ-ରେଷ୍ଟୁରାଣ୍ଟରେ କମିଲାଣି ମେନ୍ୟୁ

NEWS7
rasogolla-tension-in-reality-show

ଭୁବନେଶ୍ବର ୧୧।୩: ମଧ୍ୟପ୍ରାଚ୍ୟ ଯୁଦ୍ଧର ଅସର ସିଧା ରୋଷେଇ ଘରେ । ଘର ହେଉ କି ହୋଟେଲ । ଏବେ ରୋଷେଇ ହେବ କେମିତି ଲାଗିଲାଣି ଚିନ୍ତା । ଖାଲି ଘରୋଇ ନୁହେଁ ବ୍ୟବସାୟୀ ମଧ୍ୟ ଧର୍ମସଙ୍କଟରେ ପଡ଼ିଛନ୍ତି । ଗୋଟିଏ ପଟେ ଘରେ ଯଦି ରୋଷେଇ ନହୁଏ ହୋଟେଲ, ରେଷ୍ଟୁରାଣ୍ଟରେ ଥିଲା ଭରସା । ହେଲେ ଏବେ ସେଠି ବି ଧର୍ମସଙ୍କଟ । କିଛି ସ୍ଥାନରେ ମେନ୍ୟୁ ବି କମିଗଲାଣି । ରାଜଧାନୀ ଭୁବନେଶ୍ବର ସମେତ ଅନେକ ସ୍ଥାନରେ ବନ୍ଦ ହେବାକୁ ବସିଲାଣି ରେଷ୍ଟୁରାଣ୍ଟ ଓ ହୋଟେଲ । କ’ଣ କରିବେ ସେ ନେଇ ସବୁ ଚିନ୍ତାରେ । ବିଶେଷ କରି ଖାଦ୍ୟ ପାଇଁ ହୋଟେଲ ଉପରେ ନିର୍ଭର କରୁଥିବା ଲୋକେ ଓ ଛାତ୍ରଛାତ୍ରୀ ବେଶ୍ ପ୍ରଭାବିତ ହେଉଥିବା ଦେଖିବାକୁ ମିଳିଲାଣି ।

ହୋଟେଲ-ରେଷ୍ଟୁରାଣ୍ଟରେ ପ୍ରଭାବ:

ଭାରତରେ ଦେଖାଦେଇଛି ଏଲପିଜି ସଙ୍କଟ । ରନ୍ଧନ ଗ୍ୟାସ୍‌ର ମୂଲ୍ୟ ବଢିଛି । ଦେଶରେ ଆବଶ୍ୟକତା ଏଲପିଜିର ପ୍ରାୟ ୨/୩ ଅଂଶ ପଶ୍ଚିମ ଏସିଆ ଦେଶଗୁଡ଼ିକରୁ ଆମଦାନୀ କରିଥାଏ । ବର୍ତ୍ତମାନ ଇରାନ, ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ଚାଲିଛି ଯୁଦ୍ଧ । ଏଥିଯୋଗୁଁ ସମୁଦ୍ର ପଥ ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ ଦେଇ ଗ୍ୟାସ୍ ଆସିବାରେ ବାଧା ସୃଷ୍ଟି ହୋଇଛି । ଏଥିଯୋଗୁଁ ଆନ୍ତର୍ଜାତୀୟ ବଜାରରେ ଗ୍ୟାସ୍ ଦର ବଢ଼ିଛି । ତୈଳ କମ୍ପାନୀ ଗୁଡ଼ିକ ଏଲପିଜି ଦର ବଢାଇଛନ୍ତି । ଘରୋଇ ସିଲିଣ୍ଡର ଦର ବଢ଼ିବା ସହ ବ୍ୟବସାୟିକ ସିଲିଣ୍ଡର ଦାମ୍ ମଧ୍ୟ ବଢିଛି । ଏହାର ସିଧାସଳଖ ପ୍ରଭାବ ହୋଟେଲ ଏବଂ ରେଷ୍ଟୁରାଣ୍ଟ ଉପରେ ପଡ଼ିଛି ।

ଏ ଖବର ବି ପଢ଼ନ୍ତୁ:- ଏକାଧିକ ରାଜ୍ୟକୁ କମର୍ସିଆଲ୍ ଗ୍ୟାସ୍ ସିଲିଣ୍ଡର ଯୋଗାଣ ବନ୍ଦ: ଦେଶରେ ଇଏନ୍‌ସି ଆଇନ ଲାଗୁ କଲେ କେନ୍ଦ୍ର ସରକାର

ରାଜଧାନୀ ଭୁବନେଶ୍ବରରେ ଗୋଟିଏ ଗ୍ୟାସ୍ ସିଲିଣ୍ଡର ପାଇଁ ଗ୍ୟାସ୍ ଏଜେନ୍ସି ବାହାରେ ଗ୍ରାହକଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳିଛି । ଏଜେନ୍ସି ସାମ୍ନାରେ ଲାଇନରେ ଅଛନ୍ତି ଗ୍ରାହକ । ୨୦-୨୫ ଦିନ ହେଲା ଗ୍ୟାସ୍ ବୁକ୍ କରିଥିଲେ ବି ଗ୍ୟାସ୍ ଡେଲିଭରି ହୋଇପାରିନି । ଘରେ ରୋଷେଇ ପାଇଁ ଗ୍ୟାସ୍ ନାହିଁ । ରାତିରୁ ଲମ୍ବା ଲାଇନ୍ରେ ଠିଆ ହେବାକୁ ଗ୍ୟାସ୍ ଡିଷ୍ଟ୍ରିବ୍ୟୁଟରଙ୍କ ପକ୍ଷରୁ କୁହାଯାଉଛି । ମୋଟାମୋଟି ଭାବେ ଗ୍ୟାସ୍ ମିଳୁନଥିବା ଦେଖାଯାଇଛି ।ଗ୍ୟାସ୍ ଏଜେନ୍ସି ବାହାରେ ଶହ ଶହ ଲୋକ ଲମ୍ବା ଲାଇନରେ ଛିଡ଼ା ହୋଇଛନ୍ତି । ଯେଉଁଠି ସିଲିଣ୍ଡର ମିଳୁନାହିଁ, ସେଠାରେ ଅସାଧୁ ବ୍ୟବସାୟୀ ମାନେ ଫାଇଦା ନେଉଛନ୍ତି । ଗୋଟିଏ ସିଲିଣ୍ଡରକୁ ୧୫ଶହ ଟଙ୍କା ପର୍ଯ୍ୟନ୍ତ କଳାବଜାରୀରେ ବିକ୍ରି କରୁଛନ୍ତି । ସେପଟେ ଗ୍ୟାସ୍ ମିଳୁନଥିବାରୁ ଇଲେକ୍ଟ୍ରି ଚୁଲା ଉପରେ ନିର୍ଭର କରିବାକୁ ପଡ଼ିବ ବୋଲି ଗ୍ରାହକ କହୁଛନ୍ତି ।

ଛୁଆ ଛାଡ଼ି ମା' ଲାଇନ୍‌ରେ:

ଅନ୍ୟ କିଛି ସହର ଗୁଡ଼ିକରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି । ସୁନ୍ଦରଗଡ଼ରେ ଏଲପିଜି ଗ୍ୟାସ୍ ସଙ୍କଟ ଦେଖିବାକୁ ମିଳିଛି । ଗ୍ୟାସ୍ ଏଜେନ୍ସି ନିକଟରେ ଲାଇନ୍ ଲଗାଇଛନ୍ତି ଲୋକ । ୧୦-୧୫ ଦିନ ହେଲା ସିଲିଣ୍ଡର ମିଳୁନଥିବା ବେଳେ ରୋଷେଇ କରିବା ପାଇଁ ନାହିଁ ଗ୍ୟାସ୍ ସିଲିଣ୍ଡର । ଛୋଟ ଛୋଟ ଛୁଆଙ୍କୁ ଛାଡି ଗ୍ୟାସ୍ ପାଇଁ ଆସିଛନ୍ତି ବୋଲି କିଛି ଗ୍ରାହକ କହିଛନ୍ତି । ବୁକିଂ ହୋଇଛି ହେଲେ ମିଳୁନାହିଁ ସିଲିଣ୍ଡର । ମହିଳାଙ୍କ ଠାରୁ ଆରମ୍ଭ କରି ବୟସ୍କ ଲୋକ ଏଜେନ୍ସି ପାଖରେ ଗହଳି ଲଗାଇଛନ୍ତି ।

ସେପଟେ କିନ୍ତୁ କଟକ ସହର ସମେତ କଟକ ଜିଲ୍ଲାରେ ରନ୍ଧନ ଗ୍ୟାସ୍‌ର କୌଣସି ଅଭାବ ନାହିଁ ବୋଲି କହିଛନ୍ତି କଟକ ଜିଲ୍ଲାପାଳ । ବିଶେଷ କରି କମର୍ସିଆଲ ସିଲିଣ୍ଡର ସପ୍ଲାଇକୁ ନେଇ କୌଣସି ସମସ୍ୟା ନାହିଁ । ବରଂ ଜିଲ୍ଲା ଭିତରେ ଆବଶ୍ୟକ ଠାରୁ ଅଧିକ ମାତ୍ରାରେ କମର୍ସିଆଲ ସିଲିଣ୍ଡର ଅଛି । କିନ୍ତୁ ବଡ଼ ବଡ଼ ହୋଟେଲ ଏବଂ ରେଷ୍ଟୁରାଣ୍ଟରେ ବହୁଳ ମାତ୍ରାରେ ଘରୋଇ ସିଲିଣ୍ଡର ବ୍ୟବହାର ହେଉଛି । କିଛି ଅସାଧୁ ବ୍ୟବସାୟୀ ଏଲପିଜିର କୃତ୍ରିମ ଅଭାବ ସୃଷ୍ଟି କରାଉଛନ୍ତି । ଯାହା ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ଆରମ୍ଭ ହେଲାଣି ରାଜନୀତି:

ସେପଟେ ଦରଦାମ ବୃଦ୍ଧିକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି । ଏହାର ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଛି ବିଜେଡି । ରାସ୍ତାରେ ଚୁଲି ଜାଳି ପ୍ରତିବାଦ କଲେ ବିଜୁ ମହିଳା ଜନତା ଦଳର ବହୁ ନେତ୍ରୀ । ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକରେ ଚୁଲି ଜାଲି ଅଭିନବ ପ୍ରତିବାଦ କରିଛନ୍ତି । ରନ୍ଧନ ଗ୍ୟାସ୍ ଦର ବୃଦ୍ଧି ନେଇ ରାଜାରାସ୍ତାରେ ପ୍ରତିବାଦ କରୁଛି ବିଜେଡି । ବିଜୁ ମହିଳା ଜନତା ଦଳର ବହୁ ସଦସ୍ୟ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିଛନ୍ତି । ରାସ୍ତା ଉପରେ କାଠ ଚୁଲି ଜାଳି ଚା’କରି ପ୍ରତିବାଦ କଲା ବିଜେଡି । ଡବଲ ଇଞ୍ଜିନ ସରକାର ରାଜ୍ୟବାସୀଙ୍କୁ ପ୍ରତାରଣା କରିଛନ୍ତି । ସାଧାରଣଲୋକଙ୍କୁ ଲୁଟ୍ କରିବା କାର୍ଯ୍ୟ କରୁଛନ୍ତି ଉଭୟ ସରକାର ।

ରାଜ୍ୟରେ ଚାକିରି ନାହିଁ ବେରୋଜଗାରୀ ବଢିଚାଲିଛି, ସେପଟେ ଦର ବୃଦ୍ଧି ମଧ୍ୟ ବଢିଚାଲିଛି ଏହା କ’ଣ ଜନତାଙ୍କ ପାଇଁ ସରକାରଙ୍କ ଦାଇତ୍ୱ କି ବୋଲି ପ୍ରଶ୍ନ କରିଛନ୍ତି । କୋଭିଡ୍ ସମୟରେ ଅର୍ନ୍ତଜାତୀୟ ସ୍ତରରେ ପେଟ୍ରୋଲ ଏବଂ ଡିଜେଲ ଦର କମିଲା କିନ୍ତୁ ଦେଶରେ କମିଲା ନାହିଁ । ଯୁଦ୍ଧ କେବଳ ଏକ ବାହନା ଯଦି ସତରେ ଯୁଦ୍ଧ କାରଣରୁ ଦର ବୃଦ୍ଧି ହେଉଛି ତେବେ କୋଭିଡ୍ ସମୟରେ ଯେଉଁ ମୁନାଫା କମାଇଥିଲେ ସେଥିରେ ଦରକୁ ନିୟନ୍ତ୍ରଣରେ ଆଣନ୍ତୁ ବୋଲି ଦାବି କରିଛନ୍ତି । ରାଜ୍ୟ ବିଜେପି ସଭାପତି କହୁଥିଲେ ଜିଏସ୍ଟିରେ ପେଟ୍ରୋଲ ଡିଜେଲ ଅଂଶ କାଟିଦେଲେ ଦର କମିଯିବ ବୋଲି, ଏବେ ଉପଯୁକ୍ତ ସମୟ ସେହି ଫର୍ମୁଲାକୁ କାହିଁକି ଲାଗୁ କରୁନାହାନ୍ତି ବଲି ବିଜେଡି ପ୍ରଶ୍ନ କରିଛି । ଆଗାମୀ ଦିନରେ ଆନ୍ଦୋଳନକୁ ଅଧିକ ବ୍ୟାପକ କରାଯିବ ବୋଲି ଚେତାବନୀ ଦେଇଛି ଦଳ । ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଅଫିସ ସମ୍ମୁଖରେ ଆନ୍ଦୋଳନ କରିବା ସହ ବିଧାନସଭା ଘେରାଉ କରାଯିବ ବୋଲି ଚେତାବନୀ ଦେଇଛି ବିଜେଡି ।