ତାରିକ ରହମାନଙ୍କ ବାଂଲାଦେଶ ପ୍ରତ୍ୟାବର୍ତ୍ତନକୁ ନେଇ ବିବାଦ, ମୁହଁ ଖୋଲିା ଶେଖ ହସିନାଙ୍କ ପାର୍ଟି

NEWS7
rape-of-a-widow-after-a-road-accident-6-months-pregnant

ଢାକା ୨୫।୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ପୁଅ ତଥା ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନପି) କାର୍ଯ୍ୟକାରୀ ଅଧ୍ୟକ୍ଷ ତାରିକ ରହମାନଙ୍କ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ଏବେ ଦେଶର ରାଜନୀତିକୁ ଉଷ୍ମ କରିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପାର୍ଟି ଆବାମୀ ଲିଗ୍ ର ଛାତ୍ର ସଙ୍ଗଠନ ବାଂଲାଦେଶ ଷ୍ଟୁଡେଣ୍ଟସ୍ ଲିଗ୍ ରହମାନଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ଗୁରୁତର ଅଭିଯୋଗ ଆଣିଛି। ବାଂଲାଦେଶ ଷ୍ଟୁଡେଣ୍ଟସ ଲିଗ୍ ସଭାପତି ସଦ୍ଦାମ ହୁସେନ କହିଛନ୍ତି ଯେ ତାରିକଙ୍କ ପ୍ରତ୍ୟାବର୍ତ୍ତନ ଗଣତାନ୍ତ୍ରିକ ସଂସ୍କାର ଲାଗି ନୁହେଁ ବରଂ ଆଗାମୀ ବର୍ଷ ଫେବୃଆରୀରେ ହେବାକୁ ଥିବା ସାଧାରଣ ନିର୍ବାଚନକୁ ଏକତରଫା କରିବାକୁ ବ୍ୟାକ୍ ଡୋର ଡିଲର ଅଂଶବିଶେଷ।

ସେ କହିଛନ୍ତି ଯେ ଏହା ଦ୍ୱାରା ଦେଶରେ ରାଜନୈତିକ ସ୍ଥିରତା ଆସି ପାରିବନି। ଏହା ଦ୍ୱାରା ଧ୍ରୁବି କରଣ ଆହୁରି ବଢିବ। ସଦ୍ଦାମ ହୁସେନ କହିଛନ୍ତି ଯେ ଯେବେ ତାରିକ ରହମାନ ଶାସନର ପାଖାପାଖି ଥିଲେ ସେତେବେଳେ ଦେଶର ଆଇନଶୃଙ୍ଖଳା ବିଗିଡିବା ସହିତ ଉଗ୍ରବାଦ ବଢିଥିଲା, ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାର ମଧ୍ୟ ବଢିଥିଲା। ସେ ଏହା ବି କହିଛନ୍ତି ଯେ ତାରିକ ରହମାନ ଅନେକ ମାମଲାରେ ଦୋଷୀ ବି ଥିଲେ। ଏଣୁ ନ୍ୟାୟିକ ପ୍ରକ୍ରିୟାକୁ ଟାଳି ତାଙ୍କୁ ଅଣାଯାଇଛି। ତାରିକ ରହମାନ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆ ଓ ରାଷ୍ଟ୍ରପତି ଜିଆଉର ରହେମାନଙ୍କ ପୁଅ। ସେ ଗୁରୁବାର ଲଣ୍ଡନରୁ ବାଂଲାଦେଶ ଫେରିଛନ୍ତି।

ତାରିକ ରହେମାନ ଏପରି ଏକ ସମୟରେ ଦେଶକୁ ଫେରିଛନ୍ତି ଯେତେବେଳେ ବାଂଲାଦେଶ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ଏଥି ମଧ୍ୟରେ ମହମଦ ୟୁନୁସ ଆବାମୀ ଲିଗର ନିର୍ବାଚନ ଲଢିବା ଉପରେ କଟକଣା ଲଗାଇବା ଘଟଣାକୁ ନେଇ ମଧ୍ୟ ବିବାଦ ରହିଛି। ଏଣୁ ଛାତ୍ର ସଙ୍ଗଠନ କହିଛି ଯେ ଏହା ଦ୍ୱାରା ଜନତାଙ୍କ ସ୍ୱରକୁ ଚପାଇ ଦିଆଯାଇଛି ଓ ନିର୍ବାଚନର ନିରପେକ୍ଷତା ଉପରେ ପ୍ରଶ୍ନ ଚିହ୍ନ ଲାଗିଛି। ସଦ୍ଦାମ ହୁସେନ କହିଛନ୍ତି ଯେ ନିର୍ବାଚନ ନିରପେକ୍ଷ କରିବା ପାଇଁ ସରକାର ଆଇନ ଓ ସାମ୍ବିଧାନିକ ଦୃଷ୍ଟିରୁ ତଟସ୍ଥ ରହିବା କଥା। ହେଲେ ଏବେକା ପରିସ୍ଥିତିରେ ଏହି ସର୍ତ୍ତ ପୂରଣ ହେଉ ନାହିଁ।

ସଦ୍ଦାମ ହୁସେନ କହିଛନ୍ତି ଯେ ଯାହା ହେବାକୁ ଯାଉଛି ତାହା ବାଂଲାଦେଶ ନିର୍ବାଚନ ନୁହେଁ ବରଂ ପୂର୍ବ ନିର୍ଦ୍ଧାରିତ ରାଜନୈତିକ କାର୍ଯ୍ୟକ୍ରମ। ଏଣୁ ସେ ଚେତାବନୀ ଦେଇ କହିଛନ୍ତି ଯେ ଯଦି ରାଜନୈତିକ ପ୍ରକ୍ରିୟା ଗଣତାନ୍ତ୍ରିକ ନ ହେଲା ତେବେ ବାଂଲାଦେଶ ରାଜନୈତିକ ସଂକଟ ଆହୁରି ଗୁରୁତର ହେବ।