ବିଜେପିକୁ ଶିବସେନା ଅଡୁଆ ! ବିଏମସି ମେୟର ପଦ ନେବାକୁ ସିନ୍ଦେଙ୍କ ଦାବି, ଉଦ୍ଧବ ବି ଆକ୍ଟିଭ୍

NEWS7
ramesh-pokhrial-nishank-announce-2021-3rd-and-4th-jee-main-exam-date

ମୁମ୍ବାଇ,୯|୦୧ : ବ୍ରିହନ ମୁମ୍ବାଇ ନଗର ନିଗମ (ବିଏମସି) ନିର୍ବାଚନରେ ମହାୟୁତିକୁ ସଫଳତା ମିଳିବା ପରେ ମହାରାଷ୍ଟ୍ର ରାଜନୀତି ନୂଆ ପେଞ୍ଚରେ ଫସିଛି । ବିଜେପି ମୁମ୍ବାଇରେ ସବୁଠୁ ବଡ଼ ଦଳ ହୋଇ ଉଭାହୋଇଥିବାବେଳେ ପ୍ରଥମ କରି ବିଜେପିର କେହି ମୁମ୍ବାଇ ମେୟର ହେବାର ସଙ୍କେତ ମିଳୁଛି । କିନ୍ତୁ ବିଜେପି ରାସ୍ତାକୁ ଅଡ଼ୁଆ କରିଛନ୍ତି ଏହାର ସହଯୋଗୀ ଏକନାଥ ସିନ୍ଦେ ।

ସିନ୍ଦେଙ୍କ ଶିବସେନା ୨୯ କର୍ପୋରେଟର ଆସନ ଜିତିଥିବାରୁ ମେୟର ନିର୍ବାଚନରେ ଏହା ବଡ଼ ଭୂମିକା ତୁଲାଇବ । କାରଣ ୨୨୭ ୱାର୍ଡରୁ ବିଜେପି ୮୯ ୱାର୍ଡରେ ଜିତିଛି । ବହୁମତ ସଂଖ୍ୟା ୧୧୪ ରହିଥିବାରୁ ବିଜେପିକୁ ସିନ୍ଦେ ଗୋଷ୍ଠୀର କର୍ପୋରେଟର ଆବଶ୍ୟକ ପଡ଼ିବ । ଏପରି ସ୍ଥିତିରେ ସିନ୍ଦେ କିନ୍ତୁ ମେୟର ପଦ ହାତକୁ ନେବାକୁ ଅଡ଼ି ବସିଥିବା ଚର୍ଚ୍ଚା ହେଉଛି । ତେଣୁ ସିନ୍ଦେ ତାଙ୍କ ୨୯ କର୍ପୋରେଟରଙ୍କୁ ବାନ୍ଦ୍ରା ସ୍ଥିତ ଏକ ପଞ୍ଚତାରକା ହୋଟେଲକୁ ପଠାଇ ଦେଇଛନ୍ତି । ବାହାରେ କଡ଼ା ପହରା ଦିଆଯାଉଛି ।

ରିପୋର୍ଟ ଅନୁସାରେ,୨୦୨୬ ହେଉଛି ଶିବସେନା ସଂସ୍ଥାପକ ବାଲା ସାହେବ ଠାକ୍ରେଙ୍କ ଜନ୍ମ ଶତାବ୍ଦୀ ବର୍ଷ । ତେଣୁ ଅତିକମ୍ରେ ଅଢ଼େଇ ବର୍ଷ ପାଇଁ ଶିବସେନା ମେୟର ପଦ ଦାବି କରୁଛି । ଏହାକୁ ନେଇ ବିଜେପି ଏବଂ ସିନ୍ଦେ ଗୋଷ୍ଠୀ ମଧ୍ୟରେ ତୁତୁ ମେଁମେଁ ଆରମ୍ଭ ହୋଇଯାଇଛି । ସିନ୍ଦେଙ୍କୁ ମନାଇବା ବିଜେପି ପାଇଁ ବଡ଼ ଟେନ୍ସନ ହୋଇଛି । ଅନ୍ୟପକ୍ଷରେ ଉଦ୍ଧବ ଗୋଷ୍ଠୀ ଶିବସେନା ନେତା ସଞ୍ଜୟ ରାଉତ ଦାବି କରିଛନ୍ତି ଯେ,ଏକନାଥ ସିନ୍ଦେ ନିଜେ ଚାହୁଁନାହାନ୍ତି ଯେ ବିଏମ୍ସିରେ ବିଜେପି ମେୟର ଦେଉ । ତେଣୁ ସିନ୍ଦେ ନିଜ କର୍ପୋରେଟରଙ୍କୁ ହୋଟେଲରେ ବନ୍ଦୀ ରଖିଛନ୍ତି ।

ଏବେକାର ମୁମ୍ବାଇ ସ୍ଥିତି ୨୦୨୨ରେ ଶିବସେନାରେ ହୋଇଥିବା ବିଭାଜନ ସ୍ମୃତିକୁ ତାଜା କରିଛି । ସେତେବେଳେ ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ଥିବା ଏକନାଥ ସିନ୍ଦେ ନିଜ ୩୯ ସମର୍ଥକ ବିଧାୟକଙ୍କୁ ଏକାଠି କରି ଶିବସେନାରେ ବିଦ୍ରୋହ କରିଥିଲେ । ମୁମ୍ବାଇରେ ଦ୍ୱିତୀୟ ସବୁଠୁ ବଡ଼ ଦଳ ହୋଇ ଉଭା ହୋଇଥିବା ଉଦ୍ଧବଙ୍କ ଶିବସେନା (୬୫ ୱାର୍ଡରେ ବିଜୟୀ) ପକ୍ଷରୁ କୁହାଯାଇଛି ଯେ ଭଗବାନ ଚାହିଁଲେ ତାଙ୍କ ଦଳର କେହି ମଧ୍ୟ ମେୟର ବନିପାରନ୍ତି । ଏହି ବୟାନ ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି । ରାଜ୍ ଠାକ୍ରେଙ୍କ ଏମଏନଏସ ପାଖରେ ୬ କର୍ପୋରେଟର ଥିବାବେଳେ ଶରଦ ପାୱାରଙ୍କ ଏନ୍ସିପି ପାଖରେ ଗୋଟିଏ ସିଟ୍ ରହିଛି ।

ସେହିପରି କଂଗ୍ରେସ ପାଖରେ ୨୪,ଏଆଇଏମଏମ ପାଖରେ ୮ ଏବଂ ସମାଜବାଦୀ ପାର୍ଟି ୨ ୱାର୍ଡରେ ବିଜୟୀ ହୋଇଛି । ଯଦି ସବୁ ବିରୋଧୀ ବି ଏକଜୁଟ ହୁଅନ୍ତି ତେବେ ମୋଟ କର୍ପୋରେଟରଙ୍କ ସଂଖ୍ୟା ୧୦୬ ହେବ । ଅର୍ଥାତ ବହୁମତ ପାଇଁ ଆହୁରି ୮ ସିଟ୍ ଆବଶ୍ୟକ । ତେଣୁ ଏଠାରେ ଘୋଡ଼ା ବେପାର କିମ୍ବା ଦଳବଦଳ ଘଟଣା ମଧ୍ୟ ଘଟିପାରେ । ଯଦି ଠାକରେ ପରିବାର ଆଉ ୮ କର୍ପୋରେଟରଙ୍କୁ ନିଜ ସହ ସାମିଲ କରାଇଦେଇ ପାରନ୍ତି ତେବେ ବିଜେପିକୁ ମେୟର ପଦରୁ ଦୂରେଇ ରଖିପାରିବେ ।