LIVE TV

ମୋଦିଙ୍କୁ ଭେଟିଲେ ବିଶ୍ୱ ବିଜୟିନୀ, ପ୍ରଧାନମନ୍ତ୍ରୀଙ୍କୁ ଦେଲେ ଖାସ ଉପହାର

NEWS7
ramasetu-stone-to-puri

ନୂଆଦିଲ୍ଲୀ ୫।୧୧: ଆଇସିସି ମହିଳା ୱାର୍ଲଡକପ୍ ୨୦୨୫ ଚାମ୍ପିୟନ ଭାରତୀୟ କ୍ରିକେଟ ଟିମ୍ ୫ ନଭେମ୍ବର ବୁଧବାର ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି। ଭାରତୀୟ ଟିମ୍ ସାଉଥ ଆଫ୍ରିକାକୁ ୫୨ ରନ୍ ରେ ହରାଇ ଇତିହାସ ରଚିଥିଲା ଓ ପ୍ରଥମଥର ମହିଳା ଟାଇଟଲ ନିଜ ନାମରେ କରିଛି। ଟିମ୍‌ ମଙ୍ଗଳବାର ଦିଲ୍ଲୀ ପହଞ୍ଚି ଯାଇଥିଲା। ଆଜି ପ୍ରଧାନମନ୍ତ୍ରୀଙ୍କୁ ଭେଟିଛି। ଏହି ଅବସରରେ ବିସିସିଆଇ ଅଧ୍ୟକ୍ଷ ମିଥୁନ ମନହାସ ମଧ୍ୟ ଉପସ୍ଥିତ ଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଖାସ ସାକ୍ଷାତ କାର୍ଯ୍ୟକ୍ରମରେ ଟିମ୍ ଇଣ୍ଡିଆ ଖେଳାଳିଙ୍କ ସହ କଥାବାର୍ତ୍ତା ମଧ୍ୟ ହୋଇଛନ୍ତି ଓ ଫଟୋସୁଟ୍ ମଧ୍ୟ ହୋଇଛି। ଏହି ଅବସରରେ ବିଶ୍ୱବିଜୟିନୀମାନେ ପ୍ରଧାନମନ୍ତ୍ରୀଙ୍କୁ ଖାସ ଉପହାର ମଧ୍ୟ ଦେଇଛନ୍ତି, ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଉଲ୍ଲେଖଯୋଗ୍ୟ ଯେ ଭାରତୀୟ ମହିଳା କ୍ରିକେଟ ଟିମ୍‌ ପ୍ରଧାନମନ୍ତ୍ରୀଙ୍କୁ ଟିମ୍‌ ଇଣ୍ଡିଆର ଏକ ସ୍ୱାକ୍ଷରିତ ଜର୍ସି ଉପହାର ଦେଇଛନ୍ତି। ଏହି ଜର୍ସିର ନମ୍ବର ୧ ହୋଇଥିବା ବେଳେ ‘ନମୋ’ ନାମ ମଧ୍ୟ ଲେଖା ଯାଇଛି।

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ବିଜୟ ନିମନ୍ତେ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି। ଏହା ଛଡା ପ୍ରଧାନମନ୍ତ୍ରୀ ଲଗାତାର ୩ ପରାଜୟ ଓ ସୋସିଆଲ ମିଡିଆରେ ଟ୍ରୋଲିଂର ସମ୍ମୁଖୀନ ହେବା ପରେ ଟୁର୍ଣ୍ଣାମେଣ୍ଟରେ ଟିମ୍‌ର ଉଲ୍ଲେଖନୀୟ ପ୍ରତ୍ୟାବର୍ତ୍ତନର ଉଚ୍ଚ ପ୍ରଶଂସା କରିଛନ୍ତି। ଟୁର୍ଣ୍ଣାମେଣ୍ଟ ମଝି ବେଳକୁ ଟିମ୍‌ ଇଣ୍ଡିଆ ବାହାର ହୋଇଯିବାର ଭୟ ଦେଖା ଦେଇଥିଲା। ତେବେ ତା ପରେ ଟିମ୍ ଉଲ୍ଲେଖନୀୟ ପ୍ରଦର୍ଶନ କରି ସେମିଫାଇନାଲରେ ନିଜ ପାଇଁ ସ୍ଥାନ ହାସଲ କରିପାରିଥିଲା। ଏହା ପରେ ଅଷ୍ଟ୍ରେଲିୟାକୁ ହରେଇ ଫାଇନାଲକୁ ଏଣ୍ଟ୍ରି କରିଥିଲା।

ୱାନଡେ ୱାର୍ଲଡକପ ଟାଇଟଲ ଜିତିବାରେ ଭାରତ ବିଶ୍ୱରେ ଚତୁର୍ଥ ଦେଶ। ଏହା ପୂର୍ବରୁ ଅଷ୍ଟ୍ରେଲିୟା, ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ ଚାମ୍ପିୟନ ହୋଇଥିଲେ। ଏଣୁ ଏହି ବିଜୟ ଭାରତୀୟ ମହିଳା କ୍ରିକେଟ ଟିମ୍ ଲାଗି ଏକ ଐତିହାସିକ କ୍ଷଣ। ଏଥି ପାଇଁ ଟିମ୍‌ କୁ ୫୨ ବର୍ଷ ଅପେକ୍ଷା କରିବାକୁ ପଡିଛି।