ନା ଫ୍ୟାକ୍ଟ୍ରି, ନା ଫାର୍ମ... କୁମ୍ଭକାରଙ୍କୁ ୧ କୋଟି ଟଙ୍କାର ଜିଏସ୍‌ଟି ନୋଟିସ୍ , ଉଡିଗଲା ହୋସ୍

NEWS7
ram-mandir-work-is-under-progress

ନୂଆଦିଲ୍ଲୀ ୨୩।୦୨; ଉତ୍ତରପ୍ରଦେଶ ରାୟବରେଲିର ଜଣେ କୁମ୍ଭକାର ମହମ୍ମଦ ସଇଦଙ୍କୁ ନିକଟରେ ୧ କୋଟିରୁ ଅଧିକ ଟଙ୍କାର ଜିଏସ୍ଟି ନୋଟିସ୍ ମିଳିଛି । ସେଥିରେ ତାଙ୍କ ନାମରେ ବିହାରରେ ୬ଟି କମ୍ପାନି ଥିବା ଉଲ୍ଲେଖ ରହିଛି । ସେହି କମ୍ପାନି ଜରିଆରେ ସେ ଲକ୍ଷ ଲକ୍ଷ ଟଙ୍କାର ଜିଏସ୍ଟି ଚୋରି କରିଥିବା ଦର୍ଶାଯାଇଛି । ନୋଟିସ୍ ପାଇବା ପରେ ସଇଦ ଗଭୀର ମାନସିକ ଦୁଶ୍ଚିନ୍ତାରେ ଅଛନ୍ତି । ଏଭଳି ଜାଲିଆତି କରିବାକୁ ତାଙ୍କର ପ୍ୟାନ୍ ଏବଂ ଆଧାର କାର୍ଡ ବିବରଣୀର ଅପବ୍ୟବହାର ହୋଇଥିବା ସେ ଆଶଙ୍କା ପ୍ରକାଶ କରିଛନ୍ତି ।

ସୂଚନା ଅନୁସାରେ, ୪ ମାସ ପୂର୍ବରୁ ତାଙ୍କୁ ନବରାତ୍ରୀ ସମୟରେ ପ୍ରଥମେ ଏକ ଜିଏସ୍ଟି ନୋଟିସ୍ ମିଳିଥିଲା । ନିରକ୍ଷର ହୋଇଥିବାରୁ ସେ ଚିଠିକୁ ଏତେ ଗୁରୁତ୍ୱ ଦେଇନଥିଲେ । ପରେ ଫେବ୍ରୁଆରୀ ୧୫ରେ ତାଙ୍କୁ ଆଉ ଏକ ନୋଟିସ୍ ମିଳିଥିଲା । ଚିଠିରେ କିଛି ଗୁରୁତ୍ୱପୂର୍ଣ୍ଣ କଥା ଥାଇପାରେ ଭାବି ସେ ଜଣେ ଗାଁ ଲୋକଙ୍କୁ ତାହା ପଢ଼ି ଶୁଣାଇବାକୁ କହିଥିଲେ। ବ୍ୟକ୍ତିଜଣକ ତାହା ପଢ଼ିବା ପରେ ତାଙ୍କ ପାଦତଳୁ ଯେପରି ମାଟି ଖସିଗଲା । ଏହାପରେ ନିରୁପାୟ ସଇଦ ଏବଂ ତାଙ୍କ ପରିବାର ଜିଲ୍ଲାପାଳଙ୍କ ଅଫିସ୍ରେ ହାଜର ହୋଇ ଏଥିରେ ହସ୍ତକ୍ଷେପ କରିବାକୁ ନିବେଦନ କରିଛନ୍ତି ।

ଅଭିଯୋଗପତ୍ରରେ ସଇଦ୍ ଦର୍ଶାଇଛନ୍ତି, ବହୁ ବର୍ଷ ତଳେ ତାଙ୍କ ଗାଁର ଜଣେ ଲୋକ ତାଙ୍କୁ ଏକ ଋଣ ପାଇଁ ଆବେଦନ କରିବାକୁ ପ୍ୟାନ୍ ଏବଂ ଆଧାର କାର୍ଡ ପାଇବାରେ ସାହାଯ୍ୟ କରିଥିଲେ । ତେବେ ଅନେକ ଉଦ୍ୟମ କରିବା ପରେ ବି ତାଙ୍କୁ ଋଣ ମିଳିଲାନି । ପରବର୍ତ୍ତୀ ସମୟରେ ସେ ଦସ୍ତାବିଜକୁ ହଜାଇ ମଧ୍ୟ ଦେଲେ । ହଜିଯାଇଥିବା ତାଙ୍କର ସେହି ଦସ୍ତାବିଜକୁ ବ୍ୟବହାର କରି ଜାଲ୍ କମ୍ପାନି ବନାଯାଇଥିବା ନେଇ ସେ ଆଶଙ୍କା ପ୍ରକାଶ କରିଛନ୍ତି ।

ଅଧିକ ପଢନ୍ତୁ-ରମଜାନରେ କାହିଁକି ଖଜୁରୀ ଖାଇ ଖୋଲାଯାଏ ରୋଜା ? ଜାଣନ୍ତୁ ଏହାର ଧାର୍ମିକ ମହତ୍ତ୍ଵ