ଇମ୍ରାନ ଖାନଙ୍କୁ ଦିଆଯାଉ ଉପଯୁକ୍ତ ଚିକିତ୍ସା...ପାକିସ୍ତାନ ସରକାରଙ୍କୁ ଚିଠି ଲେଖିଲେ ୧୪ ପୂର୍ବତନ ଅଧିନାୟକ

NEWS7
rajnikanta-daughter-soundarya-going-to-marrige-11-feb

ନୂଆଦିଲ୍ଲୀ: ଜେଲରେ ବନ୍ଦୀ ପାକିସ୍ତାନର ପୂର୍ବତନ ଅଧିନାୟକ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଛି। ତାଙ୍କର ଚିକତ୍ସା ହେବା ଦରକାର ବୋଲି ଦାବି ଜୋର ଧରିଛି । ଇମ୍ରାନଙ୍କ ଚିକିତ୍ସା ଦାବି କରି ପାକିସ୍ତାନ ସରକାରଙ୍କୁ ଚିଠି ଲେଖିଛନ୍ତି ୧୪ ଜଣ ପୂର୍ବତନ ଅଧିନାୟକ । ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କୁ ଜେଲରେ ଥିବା ଇମ୍ରାନ ଖାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇବାକୁ ସେମାନେ ଚିଠି ମାଧ୍ୟମରେ ଦାବି କରିଛନ୍ତି।

ଇମ୍ରାନ ୮୦୦ ଦିନରୁ ଅଧିକ ସମୟ ଧରି ଜେଲରେ ଅଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେଉଛି । ଜେଲରେ ତାଙ୍କର ଚିକିତ୍ସାକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଇମ୍ରାନ ଖାନଙ୍କ ଭଉଣୀ ଅଲିମା ଖାନ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ବିରୁଦ୍ଧରେ ସ୍ୱର ଉଠାଇଥିଲେ । ରିପୋର୍ଟ ଅନୁସାରେ, ପାକିସ୍ତାନ ସରକାରଙ୍କୁ ଦିଆଯାଇଥିବା ଏହି ଚିଠିରେ ବେଲିଣ୍ଡା କ୍ଲାର୍କ, ଗ୍ରେଗ୍ ଚାପେଲ, ମାଇକେଲ୍ ଆଥରଟନ୍, ସୁନୀଲ ଗାଭାସ୍କର, କପିଲ ଦେବ, ନାସିର ହୁସେନ, ଇଆନ୍ ଚାପେଲ, ମାଇକେଲ୍ ବ୍ରେଆର୍ଲି, ଆଲାନ୍ ବର୍ଡର, ଡେଭିଡ୍ ଗାୱର୍, କିମ୍ ହ୍ୟୁଜ୍, କ୍ଲାଇଭ୍ ଲଏଡ୍, ଷ୍ଟିଭ୍ ୱ ଏବଂ ଜନ୍ ରାଇଟ୍ ସ୍ୱାକ୍ଷର କରିଛନ୍ତି।

ଇମ୍ରାନ ଖାନ ଦୁଇ ବର୍ଷରୁ ଅଧିକ ସମୟ ଧରି ଜେଲରେ ଅଛନ୍ତି । କିଛି ଦିନ ପୂର୍ବରୁ ଜଣେ ଓକିଲ କୋର୍ଟରେ ଦାବି କରିଥିଲେ ଯେ, ଇମ୍ରାନ ଖାନଙ୍କ ଡାହାଣ ଆଖିରେ କେବଳ ୧୫ ପ୍ରତିଶତ ଦୃଷ୍ଟିଶକ୍ତି ବାକି ଅଛି। ସେ ଅଭିଯୋଗ କରିଥିଲେ ଯେ, କର୍ତ୍ତୃପକ୍ଷ ତିନି ମାସ ଧରି ତାଙ୍କ ଅଭିଯୋଗର ସମାଧାନ ପାଇଁ କିଛି କରିନାହାନ୍ତି।

ସୁନୀଲ ଗାଭାସ୍କର ଏବଂ କପିଲ ଦେବଙ୍କ ସମେତ ୧୪ ପୂର୍ବତନ ଅଧିନାୟକ ପାକିସ୍ତାନ ସରକାରଙ୍କୁ ଚିଠି ଲେଖିଛନ୍ତି । ଇମ୍ରାନ ଖାନଙ୍କୁ ଜେଲରେ ଉପଯୁକ୍ତ ଚିକିତ୍ସା ପ୍ରଦାନ କରିବାକୁ ସେମାନେ ଦାବି କରିଛନ୍ତି। ଟାଇମ୍ସ ଅଫ୍ ଇଣ୍ଡିଆ ଅନୁଯାୟୀ, ଚିଠିରେ କୁହାଯାଇଛି, ‘ଆମେ, ଜାତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକମାନେ, ପାକିସ୍ତାନର ଜଣେ ପ୍ରସିଦ୍ଧ ପୂର୍ବତନ ଅଧିନାୟକ ଏବଂ ବିଶ୍ୱ କ୍ରିକେଟର ଜଣେ ମହାନ ଖେଳାଳି ଇମ୍ରାନ ଖାନଙ୍କ ଚିକିତ୍ସା ଏବଂ ଅବସ୍ଥା ବିଷୟରେ ଗଭୀର ଚିନ୍ତାର ସହିତ ଲେଖୁଛୁ।’

ପୂର୍ବତନ ଅଧିନାୟକମାନେ ପାକିସ୍ତାନ ସରକାରଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରାଯାଇଛି, ‘ଖେଳ ପ୍ରତି ଇମ୍ରାନ ଖାନଙ୍କ ଅବଦାନ ବିଶ୍ୱବ୍ୟାପୀ ପ୍ରଶଂସିତ। ଅଧିନାୟକ ଭାବରେ, ସେ ୧୯୯୨ ବିଶ୍ବକପରେ ପାକିସ୍ତାନକୁ ଐତିହାସିକ ବିଜୟ ଦେଇଥିଲେ । ଖେଳ ପ୍ରତି ତାଙ୍କର ପ୍ରେମ ଏବଂ ଦୃଢ଼ ନେତୃତ୍ୱ ଯୋଗୁଁ ଏହା ସମ୍ଭବ ହୋଇଥିଲା । ତାଙ୍କର ଏହି କାର୍ଯ୍ୟ ସାରା ବିଶ୍ୱରେ ଏକ ନୂତନ ପିଢ଼ିକୁ ପ୍ରେରଣା ଦେଇଥିଲା। ଆମେ ତାଙ୍କଠାରୁ ଶିଖିଥିଲୁ। ସେ କ୍ରିକେଟର ଜଣେ ମହାନ ଅଲରାଉଣ୍ଡର, ସମସ୍ତଙ୍କ ଦ୍ୱାରା ସମ୍ମାନିତ। କ୍ରିକେଟ ବ୍ୟତୀତ, ସେ ପ୍ରଧାନମନ୍ତ୍ରୀ ଭାବରେ ମଧ୍ୟ ପାକିସ୍ତାନର ସେବା କରିଥିଲେ । ପାକିସ୍ତାନକୁ କଷ୍ଟକର ସମୟରେ ମାର୍ଗଦର୍ଶନ କରିଥିଲେ।’

ଜେଲରେ ଇମ୍ରାନ ଖାନଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ସମ୍ପର୍କରେ ଚିଠିରେ ଲେଖାଯାଇଛି, ‘ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ରିପୋର୍ଟ ଆମକୁ ଚିନ୍ତାରେ ପକାଇଛି। ପୂର୍ବତନ ଅଧିନାୟକମାନେ ଲେଖିଛନ୍ତି ଯେ, ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ବିଶ୍ୱସ୍ତରୀୟ କ୍ରୀଡା ଆଇକନଙ୍କ ସହ ଜେଲରେ ଭଲ ବ୍ୟବହାର କରାଯିବା ଉଚିତ।