ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବୋର୍ଡ ପରୀକ୍ଷା; ମାର୍ଗଦର୍ଶିକା ଜାରି, ସକାଳ 10ଟା ପରେ ଗେଟ୍ ବନ୍ଦ

NEWS7
rajinikanth-likely-to-announce-his-political-entry-on-monday

ନୂଆଦିଲ୍ଲୀ : ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବୋର୍ଡ ପରୀକ୍ଷା ମଙ୍ଗଳବାର, ଫେବ୍ରୁଆରୀ ୧୭ରୁ ଆରମ୍ଭ ହେବ । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ ଉଭୟ ଶ୍ରେଣୀର ମୋଟ ୪୬ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଏହି ସବୁ ଛାତ୍ରଛାତ୍ରୀଙ୍କ ପାଇଁ କିଛି ମାର୍ଗଦର୍ଶିକା ଜାରି କରାଯାଇଛି ।

ସିବିଏସଇ ବୋର୍ଡ ପରୀକ୍ଷା ସକାଳ ୧୦ଟା ୩୦ ମିନିଟରୁ ଆରମ୍ଭ ହେବ । କିନ୍ତୁ ବୋର୍ଡ ପକ୍ଷରୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା କେନ୍ଦ୍ରକୁ ୧୦ ସୁଦ୍ଧା ପହଞ୍ଚିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପରୀକ୍ଷା କେନ୍ଦ୍ରରେ ସକାଳ ୧୦ଟା ଯାଏ ହିଁ ଏଣ୍ଟ୍ରି ମିଳିବ, ଏହା ପରେ ଗେଟ୍ ବନ୍ଦ କରିଦିଆଯିବ । ତେଣୁ ପରୀକ୍ଷାର୍ଥୀମାନଙ୍କୁ ସମୟ ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ହେବ ।

ବୋର୍ଡ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀମାନେ ପ୍ରବେଶ ପତ୍ର ସହ ପରୀକ୍ଷା କେନ୍ଦ୍ରକୁ ଆସିବେ । ବିନା ଆଡମିଟ୍ କାର୍ଡରେ ଆପଣଙ୍କୁ ପରୀକ୍ଷା ହଲରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ । ଏହି କ୍ଷେତ୍ରରେ ସଂପୃକ୍ତ ପରୀକ୍ଷାର୍ଥୀ ପରୀକ୍ଷା ଦେବାରୁ ଅଯୋଗ୍ୟ ଘୋଷିତ ହୋଇପାରନ୍ତି ।

ରେଗୁଲାର୍ ମୋଡ୍ ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷା କେନ୍ଦ୍ରକୁ ସ୍କୁଲ ୟୁନିଫର୍ମ ପିନ୍ଧି ଯିବାକୁ ପରାମର୍ଶ ଦିଆଯାଇଛି । ଅନ୍ୟ ମୋଡ୍ ଛାତ୍ରଛାତ୍ରୀମାନେ ସାଦା ସାର୍ଟ, ଟି-ସାର୍ଟ ଏବଂ ସାଦା ପ୍ୟାଣ୍ଟ କିମ୍ବା ଟ୍ରାଉଜର ପିନ୍ଧିପାରିବେ । ଛାତ୍ରୀମାନଙ୍କୁ ଭାରୀ ପୋଷାକ, ଏମ୍ବ୍ରୋଡେରୀ କିମ୍ବା ଲେୟର ଥିବା ପୋଷାକ, କାନଫୁଲ, ନାକପିନ୍, ଆଙ୍କଲେଟ୍, ବ୍ରେସଲେଟ୍, ମୁଦି ଏବଂ ଅନ୍ୟ ଅଳଙ୍କାର ନ ପିନ୍ଧିବା ପାଇଁ ପରାମର୍ଶ ଦିଆଯାଇଛି ।

ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ନିୟମ

• ପରୀକ୍ଷା କେନ୍ଦ୍ରକୁ ସ୍ମାର୍ଟୱାଚ୍, କାଲକୁଲେଟର, ମୋବାଇଲ୍ ଫୋନ୍, ବ୍ଲୁଟୁଥ୍ କିମ୍ବା ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍ ଭଳି କୌଣସି ନିଷିଦ୍ଧ ଜିନିଷ ଆଣିବା ମନା ।

• କପି ସହିତ ଜଡିତ ଯେକୌଣସି ସାମଗ୍ରୀ ରଖିବା ନିଷେଧ ।

• ସମସ୍ତ ଛାତ୍ରଛାତ୍ରୀଙ୍କୁ କେନ୍ଦ୍ରରେ ସମୟସୀମା ମଧ୍ୟରେ ଉପସ୍ଥିତ ରହିବାକୁ ପଡିବ । ଯେକୌଣସି ବିଳମ୍ବ ପାଇଁ ସମ୍ପୂର୍ଣ୍ଣ ଦାୟୀ ରହିବେ ।

ସିବିଏସଇ ବୋର୍ଡ ଫେବ୍ରୁଆରୀ ୧୭ରୁ ମାର୍ଚ୍ଚ ୧୧, ୨୦୨୬ ପର୍ଯ୍ୟନ୍ତ ଦଶମ ଶ୍ରେଣୀ ପରୀକ୍ଷା ପରିଚାଳନା କରିବ । ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଫେବ୍ରୁଆରୀ ୧୭ରୁ ଏପ୍ରିଲ ୧୦, ୨୦୨୬ ପର୍ଯ୍ୟନ୍ତ ହେବ । ବୋର୍ଡ ପରୀକ୍ଷା ଗୋଟିଏ ସିଫ୍ଟରେ ଅନୁଷ୍ଠିତ ହେବ । ପରୀକ୍ଷା ସମୟ ସକାଳ ୧୦ଟା ୩୦ରୁ ଅପରାହ୍ନ ୧ଟା ୩୦ ପର୍ଯ୍ୟନ୍ତ ରହିବ । କିଛି ବିଷୟ ପାଇଁ, ପରୀକ୍ଷା ସମୟ ସକାଳ ୧୦ଟା ୩୦ରୁ ମଧ୍ୟାହ୍ନ ୧୨ଟା ୩୦ ପର୍ଯ୍ୟନ୍ତ ହେବ ।