ମୁମ୍ବାଇର ଶତାବ୍ଦୀ ପୁରୁଣା ଇରାନୀ କାଫେରେ ଝୁଲୁଛି ତାଲା, ଶଟର୍‌ରେ ଲାଗିଛି ହାତଲେଖା ସୂଚନା

NEWS7
rajasthan-bjp-no-confidence-motion-in-assembly-ashok-gehlot

ମୁମ୍ବାଇ ୨୨।୦୧: ଦୀର୍ଘ ଏକ ଶତାବ୍ଦୀରୁ ଉଦ୍ଧ୍ୱର୍ ସମୟ ଧରି ଗ୍ରାହକଙ୍କୁ ସେବା ଯୋଗାଇ ଆସୁଥିବା ମୁମ୍ବାଇର ଅନ୍ୟତମ ସବୁଠୁ ପ୍ରାଚୀନ କାଫେ ବି. ମେରୱାନ ଆଣ୍ଡ୍ କୋ. ସବୁଦିନ ପାଇଁ ବନ୍ଦ ହୋଇଛି । ଏହା ଏକ ଇରାନୀ କାଫେ ଓ ବେକରୀ । ସାଉଥ୍ ମୁମ୍ବାଇର ଗ୍ରାଣ୍ଟ୍ ରୋଡ୍ ରେଲୱେ ଷ୍ଟେସନ୍ ଅପରପାଶ୍ୱର୍ରେ ଅବସ୍ଥିତ ଏକ ଐତିହାସିକ ଭୋଜନାଳୟ । ୧୯୧୪ ମସିହାରେ ପ୍ରତିଷ୍ଠା ପରଠୁ ପିଢ଼ି ପରେ ପିଢ଼ି ଏହା ଲୋକଙ୍କ ଦୈନନ୍ଦିନ ଜୀବନର ଅଂଶ ହୋଇ ରହିଥିଲା । ପ୍ରବାସୀ ଉଦ୍ୟମୀ ବୋମନ ମେରୱାନ ନଜାରାବାଦି ଏହାର ପ୍ରତିଷ୍ଠାତା । ନିକଟରେ କାଫେର ଶଟର୍ରେ ମରାଯାଇଥିବା ଏକ ହାତଲେଖା ସୂଚନା ଦେଖିବା ପରେ କାଫେ ବନ୍ଦ ହେବା କଥା ଲୋକଲୋଚନକୁ ଆସିଲା ।

ସୂଚନାରେ ଲେଖାଯାଇଥିଲା ‘ଆମେ ବନ୍ଦ ହେଲୁ । ଆପଣଙ୍କ ସହଯୋଗ ପାଇଁ ଧନ୍ୟବାଦ ।’ ଜାନୁଆରୀ ୧, ୨୦୨୬ର ଏହି ସୂଚନାରେ ଏହା ବ୍ୟତୀତ ଆଉ କିଛି ଲେଖାନଥିଲା । କାଫେ ମାଲିକଙ୍କ ତରଫରୁ କାଫେ ବନ୍ଦ ହେବା ପଛର କାରଣ ସମ୍ପର୍କରେ କୌଣସି ଔପଚାରିକ ବିବୃତ୍ତି ଜାରି ହୋଇନାହିଁ । ଦୀର୍ଘ ଶତାବ୍ଦୀ ଧରି ବି. ମେରୱାନ୍ ଆଣ୍ଡ୍ କୋ. କେବଳ ଖାଦ୍ୟ ପାଇଁ ନୁହେଁ, ନିଜର ପୁରୁଣା ଦିନର ଆକର୍ଷଣ ପାଇଁ ମଧ୍ୟ ସ୍ୱତନ୍ତ୍ର ପରିଚିତି ହାସଲ କରିଥିଲା । ମୁମ୍ବାଇର ଇରାନୀ କାଫେ ସଂସ୍କୃତିର ଏହା ଏକ ଜୀବନ୍ତ ସ୍ମାରକୀ ଥିଲା । ତେବେ ଗତ କିଛି ବର୍ଷ ହେଲା ଧୀରେ ଧୀରେ ଏହା ନିଜର ଚମକ ହରାଇଛି । ପ୍ରାତଃ ଭ୍ରମଣକାରୀ, ପାଖ-ପଡ଼ୋଶୀ ଓ ପୁରୁଣା ଗ୍ରାହକଙ୍କ ପାଇଁ ଏହା ଅତି ପରିଚିତ ଠିକଣା ଥିଲା, ଯେଉଁମାନେ ଶସ୍ତା ଜଳଖିଆ ଓ ଚା’ ସହିତ ପ୍ରତିଦିନ ପରିବର୍ତ୍ତିତ ସହରରେ ଦୈନନ୍ଦିନ ଜୀବନର ସ୍ୱାଦ ପାଇବା ପାଇଁ ସବୁଦିନ ଏଠାକୁ ଆସୁଥିଲେ । ଅତି ସରଳ କିନ୍ତୁ ସ୍ମରଣୀୟ ବ୍ୟଞ୍ଜନ ପାଇଁ ଏହା ଲୋକପ୍ରିୟତା ପାଇଥିଲା । କଡ଼ା ଇରାନୀ ଚା’ ସହିତ ପରସା ଯାଉଥିବା ବନ୍ ମାସ୍କା ପାଇଁ ଏ କାଫେ ପ୍ରସିଦ୍ଧ ଥିଲା । ମାୱା କେକ୍ ବି ଏହାର ଅନ୍ୟତମ ପରିଚୟ ଥିଲା, ଯାହା ସକାଳେ ସବୁଠୁ ଶୀଘ୍ର ସରିଯାଉଥିଲା ।

କାଫେରେ ପ୍ରସ୍ତୁତ ଗ୍ରାହକଙ୍କ ପ୍ରିୟ ଖାଦ୍ୟ ମଧ୍ୟରେ ମାୱା ସମୋସା, ଜାମ୍ ପଫ୍, ଖାରି ବିସ୍କୁଟ୍ ଓ ସାଧାରଣ ଅଣ୍ଡା ବ୍ୟଞ୍ଜନ ଅନ୍ୟତମ । ଏଭଳି ସରଳ ବ୍ୟଞ୍ଜନ ପାଇଁ ଏହା ଗ୍ରାହକଙ୍କର ଏକ ଭରସାଯୋଗ୍ୟ ଦୈନନ୍ଦିନ ଭୋଜନାଳୟ ଭାବେ ନିଜର ସମ୍ମାନ ବଜାୟ ରଖିଥିଲା । କାଫେ ବନ୍ଦ ହେବାର ଖବର ଏହାର ନିୟମିତ ଗ୍ରାହକ ଓ ଖାଦ୍ୟପ୍ରେମୀଙ୍କୁ ଦୁଃଖୀ କରିଛି । ଦିନ ଥିଲା, ସମଗ୍ର ମୁମ୍ବାଇରେ କାୟା ବିସ୍ତାର କରିଥିଲା ଇରାନୀ କାଫେ । ଉନବିଂଶ ଶତାବ୍ଦୀ ଶେଷ ଭାଗ ଓ ବିଂଶ ଶତାବ୍ଦୀ ପ୍ରାରମ୍ଭରେ ଜୋରୋଆଷ୍ଟ୍ରିଆନ୍ ଇରାନୀ ପ୍ରବାସୀମାନେ ଶତାଧିକ କାଫେ ପ୍ରତିଷ୍ଠା କରିଥିଲେ । କିନ୍ତୁ ମୂଲ୍ୟ ବୃଦ୍ଧି ଓ ସହରୀ ଢାଞ୍ଚା ଯୋଗୁ ଏଗୁଡ଼ିକର ସଂଖ୍ୟା କମିଲା । ଏଥିସହିତ ବଳକା କାଫେ ସହରର ପାକ ଇତିହାସର ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଲେ ।