Economic survey2025-26: ଭୁଶୁଡ଼ି ପଡ଼ୁଛି ଭାରତର ଭବିଷ୍ୟତ, ସମସ୍ତେ ସୋସିଆଲ୍ ମିଡିଆରେ ବ୍ୟସ୍ତ, କେମିତି ବାହାରିବେ ପ୍ରତିଭା?

NEWS7
rahul-vaidya-tie-knot-with-disha-parmar-on-16-july

ନୂଆଦିଲ୍ଲୀ: youth digital addiction, ଗୁରୁବାର ସଂସଦରେ ଉପସ୍ଥାପିତ ହୋଇଛି ଅର୍ଥନୈତିକ ସର୍ଭେ ୨୦୨୫-୨୬ । ଏଥିରେ ଦେଶର ଭବିଷ୍ୟତମାନଙ୍କର ସୋସିଆଲ୍ ମିଡିଆ ଆଦି ଡିଜିଟାଲ୍ ନିଶା ଏବଂ ଦ୍ରୁତ ଗତିରେ ବଢ଼ୁଥିବା ସ୍କ୍ରିନ୍-ସମ୍ବନ୍ଧୀୟ ମାନସିକ ସ୍ୱାସ୍ଥ୍ୟ ଚ୍ୟାଲେଞ୍ଜକୁ ନେଇ ଗଭୀର ଚିନ୍ତା ବ୍ୟକ୍ତ କରାଯାଇଛି। ବିଶେଷକରି ଛୋଟ ପିଲା ଏବଂ କିଶୋରମାନଙ୍କ ମଧ୍ୟରେ ଏହି ଲକ୍ଷ୍ୟଣ ଏକ ମହାମାରୀ ପରି ବ୍ୟାପିଲାଣି। ଯାହା ଏବେ ସରକାରଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି।

ସର୍ଭେ ରିପୋର୍ଟରେ ଦେଶର ଭବିଷ୍ୟତମାନଙ୍କର ଏପରି ଟ୍ରେଣ୍ଡକୁ ଅନୁସରଣ କରିବା ଏକ ଭୟଙ୍କର ପରିସ୍ଥିତି ଆଡ଼କୁ ଟାଣି ନେଉଛି ବୋଲି ଚେତାବନୀ ଦିଆଯାଇଛି। ରିପୋର୍ଟରେ ଚେତାବନୀ ଦିଆଯାଇଛି ଯେ ସ୍ମାର୍ଟଫୋନ୍, ସୋସିଆଲ ମିଡିଆ, ଗେମିଂ ଏବଂ ଅନଲାଇନ୍ ପ୍ଲାଟଫର୍ମଗୁଡ଼ିକର ଅତ୍ୟଧିକ ବ୍ୟବହାର ହେବା ଦ୍ୱାରା ସୁସ୍ଥତା, ଶିକ୍ଷଣ ଫଳାଫଳ ଏବଂ ଦୀର୍ଘକାଳୀନ ଆର୍ଥିକ ଉତ୍ପାଦକତା ଉପରେ ଗଭୀର ପ୍ରଭାବ ପଡ଼ିବା ଆରମ୍ଭ ହୋଇଛି।

କେନ୍ଦ୍ର ସରକାରଙ୍କ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭି. ଅନନ୍ତ ନାଗେଶ୍ୱରନଙ୍କ ଦ୍ୱାରା ଲିଖିତ ରିପୋର୍ଟରେ କୁହାଯାଇଛି “ ବୟସ ଅନୁସାରେ ବ୍ୟବହାରର ସୀମା ସମ୍ବନ୍ଧୀୟ ନୀତିଗୁଡ଼ିକ ବିଷୟରେ ବିଚାର କରାଯାଇପାରେ। କାରଣ ଯୁବ ୟୁଜରମାନନେ ବାଧ୍ୟତା ମୂଳକ ବ୍ୟବହାର ଏବଂ କ୍ଷତିକାରକ କଣ୍ଟେଣ୍ଟ ପ୍ରତି ଅଧିକ ସମ୍ବେଦନଶୀଳ ହୋଇଥାନ୍ତି।”

ସର୍ଭେରେ ଡିଜିଟାଲ୍ ଏଡିକ୍ସନକୁ ଡିଜିଟାଲ୍ ଡିଭାଇସ୍ ଏବଂ ଅନଲାଇନ୍ କାର୍ଯ୍ୟକଳାପର ନିରନ୍ତରତା, ଅତ୍ୟଧିକ କିମ୍ବା ବାଧ୍ୟତାମୂଳକ ବ୍ୟବହାରର ଏକ ପେଟର୍ଣ୍ଣ ବୋଲି କୁହାଯାଇଛି। ଯେଉଁଥିରେ ମାନସିକ ଯନ୍ତ୍ରଣା ଏବଂ କାର୍ଯ୍ୟକ୍ଷମତାରେ ସୃଷ୍ଟି ହେଉଥିବା ସମସ୍ୟା ସୃଷ୍ଟି ହୋଇପାରେ ବୋଲି କୁହାଯାଇଛି। ରିପୋର୍ଟ ଅନୁସାରେ, ଏଭଳି ଆଚରଣ ପିଲାଙ୍କ ମଧ୍ୟରେ ଧ୍ୟାନ କେନ୍ଦ୍ରିତ କରିବାର ଲକ୍ଷ୍ୟଣ, ନିଦ୍ରାହୀନତା, ଚିନ୍ତା, ପାଠପଢ଼ା ଓ କାମ କରିବା ଦିଗରେ ବାଧା ସୃଷ୍ଟି କରିଥାଏ। ସମୟ ଗଡ଼ିବା ସହିତ ଏହି ଅଭ୍ୟାସ ଯୋଗୁ ପିଲା କୌଣସି ସମୂହ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରେ ନାହିଁ। ପିଲାର ଅଫଲାଇନ୍ ସାମାଜିକ ଦକ୍ଷତାକୁ ହ୍ରାସ ପାଏ।

ଡିଜିଟାଲ ନିଶା ଦ୍ୱାରା କେବଳ ଯେ ପିଲାର ବ୍ୟକ୍ତିଗତ ଓ ସାମାଜିକ କ୍ଷତି ହେଉଛି ତାହା ନୁହେଁ, ଦେଶର ଅର୍ଥନୀତି ଉପରେ ଏହା କିଭଳି ଦୀର୍ଘବ୍ୟାପୀ ପ୍ରଭାବ ପକାଉଛି, ତାହା ମଧ୍ୟ ରିପୋର୍ଟରେ ଦର୍ଶା ଯାଇଛି। ଏକାଧିକ ଅନ୍ଲାଇନ ଖର୍ଚ୍ଚ, ଗେମିଂ ଏବଂ ସାଇବର ଠକେଇ ଆଦି ସିଧାସଳକ ଆର୍ଥିକ କ୍ଷତି ସହିତ ପିଲା ଭିତରେ ନିଯୁକ୍ତିକ୍ଷମତା ହ୍ରାସ, ଉତ୍ପାଦକତା ହ୍ରାସ, ଏବଂ ଜୀବନବ୍ୟାପୀ ରୋଜଗାର ହ୍ରାସ ପାଇବା ଆଦି ପରୋକ୍ଷ ଆର୍ଥିକ କ୍ଷତି ହେଉଛି ବୋଲି ରିପୋର୍ଟରେ କୁହାଯାଇଛି।

ସର୍ଭେରେ ଉଲ୍ଲେଖ କରାଯାଇଛି ଯେ, ବାଧ୍ୟତାମୂଳକ ଡିଜିଟାଲ୍ ବ୍ୟବହାର ପିଲାଙ୍କ ମଧ୍ୟରେ ଚିନ୍ତା, ଚାପ, ଅବସାଦ ଏବଂ ନିଦ୍ରାହୀନତା ଭଳି ରୋଗ ତିଆରି କରୁଛି। ବିଶେଷକରି ଶିକ୍ଷାଗତ ଚାପ ଥିବା ଛାତ୍ରମାନଙ୍କ ମଧ୍ୟରେ ଏବଂ ସାଇବର ଧମକ ଏବଂ ଉଚ୍ଚ-ଉତ୍ତେଜକ ଡିଜିଟାଲ୍ ପ୍ଲାଟଫର୍ମର ସମ୍ମୁଖୀନ ହେଉଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏହି ସମସ୍ୟା ଅଧିକ ସୃଷ୍ଟି ହେଉଛି।

ସୋସିଆଲ୍ ମିଡିଆ ନିଶା

ଅର୍ଥନୈତିକ ସର୍ଭେ ୨୦୨୫-୨୬ ରିପୋର୍ଟରେ ପିଲାଙ୍କ ମଧ୍ୟରେ ଦେଖାଯାଉଥିବା ସୋସିଆଲ୍ ମିଡିଆ ନିଶାକୁ ଗୁରୁତ୍ୱର ସହ ନିଆଯାଇଛି। ଏଥିପାଇଁ ଚିନ୍ତା, ବିଷାଦ, କମ ଆତ୍ମସମ୍ମାନ, ସାଇବର ଧମକର ଚାପ ଏବଂ ଆତ୍ମହତ୍ୟା ଭଳି ମାମଲା ବଢୁଛି ବୋଲି କୁହାଯାଉଛି। ବହୁବିଧ ଭାରତୀୟ ଏବଂ ବିଶ୍ୱସ୍ତରୀୟ ଅଧ୍ୟୟନରୁ ଏହା ଜଣାପଡ଼ିଛି ଯେ ୧୫ ରୁ ୨୪ ବର୍ଷ ବୟସର ଯୁବକମାନଙ୍କ ମଧ୍ୟରେ ଏହି ସମସ୍ୟାଗୁଡ଼ିକ ଅଧିକ ଦେଖାଯାଉଛି ବୋଲି ଉଲ୍ଲେଖ କରାଯାଇଛି।

ଏସବୁ ସମସ୍ୟା ସତ୍ତ୍ୱେ, ପିଲାମାନଙ୍କ ମଧ୍ୟରେ ଡିଜିଟାଲି ବ୍ୟସ୍ତ ରହିବାର ନିଶା ବଢ଼ି ଚାଲିଛି। ୨୦୨୪ରେ ପାଖାପାଖି ଭାରତର ଅଧା ଲୋକ ଇଣ୍ଟରନେଟ୍ରେ ଅନ୍ଲାଇନ ଭିଡିଓ ଦେଖିବାରେ ବିତାଇଥିଲେ। ସେହିପରି ୪୩ ପ୍ରତିଶତ ସୋସିଆଲ ମିଡିଆ, ୦ ପ୍ରତିଶତ ଇ-ମେଲ ଓ ଷ୍ଟ୍ରିମିଂ ମ୍ୟୁଜିକ ଏବଂ ୨୬ ପ୍ରତିଶତ ଡିଜିଟାଲ ପେମେଣ୍ଟ ବ୍ୟବହାର କରିଥିଲେ। ମୋଟାମୋଟି ଦେଶର ମୋଟ ୟୁଜରଙ୍କ ମଧ୍ୟରେ ୪୦ କୋଟି ୟୁଜର ଓଟିଟି ଭିଡିଓ ଓ ଫୁଡ ଡେଲିଭରି ପ୍ଲାଟଫର୍ମରେ ୪୦ କୋଟି ୟୁଜର୍ସ ଏବଂ ସୋସିଆଲ୍ ମିଡିଆରେ ୩୫ କୋଟି ୟୁଜର୍ସ ଥିଲେ। ତେଣୁ ଭାରତର ଯୁବପିଢ଼ି ଏକ ତୀବ୍ର ଡିଜିଟାଲ୍ ପରିବେଶରେ ବଢ଼ୁଥିବା ଜଣାପଡ଼ୁଛି ବୋଲି ସର୍ଭେରେ କୁହାଯାଇଛି।

ଏସବୁ ସମସ୍ୟାକୁ ରୋକିବା ପାଇଁ ନୀତି ଆଣିବାକୁ ସର୍ଭେରେ ଗୁରୁତ୍ୱ ଦିଆଯାଇଛି। ଆଚରଣଗତ ସ୍ୱାସ୍ଥ୍ୟ ଚିନ୍ତା(ବିହେଭରାଲ ହେଲ୍ଥ କନଶର୍ନ), ନିଶା ବିପଦ(ଆଡିକ୍ସନ ରିକ୍ସ), ବିଷୟବସ୍ତୁ ମାନ(କଣ୍ଟେଣ୍ଟ କ୍ୱାଲିଟି), ସୁସ୍ଥତା ପ୍ରଭାବ(ୱେଲବିଂ ଇମ୍ପାକ୍ଟ) ଏବଂ ଡିଜିଟାଲ୍ ସ୍ୱଚ୍ଛତା ଆଡ଼କୁ ଧ୍ୟାନରେ ରଖି ନୀତି ତିଆରି ହେବା ଆବଶ୍ୟକ ବୋଲି ସର୍ଭେରେ କୁହାଯାଇଛି।

ଏଥିରେ ସାଇବର-ସୁରକ୍ଷା ଶିକ୍ଷା, ସହକର୍ମୀ-ପରାମର୍ଶଦାତା କାର୍ଯ୍ୟକ୍ରମ, ସ୍କୁଲରେ ବାଧ୍ୟତାମୂଳକ ଶାରୀରିକ କାର୍ଯ୍ୟକଳାପ, ସ୍କ୍ରିନ-ଟାଇମ୍ ପରିଚାଳନା ଉପରେ ଅଭିଭାବକଙ୍କ ତାଲିମ, ବୟସ-ଉପଯୁକ୍ତ ଡିଜିଟାଲ୍ ପ୍ରବେଶ ନୀତି ଏବଂ କ୍ଷତିକାରକ ବିଷୟବସ୍ତୁ ହୋଷ୍ଟ କରୁଥିବା ଅନଲାଇନ୍ ପ୍ଲାଟଫର୍ମ ପାଇଁ ଅଧିକ ଉତ୍ତରଦାୟିତ୍ୱ ନିର୍ଦ୍ଦାରଣ କରିବା ଆଦି ରହିବା ଉଚିତ୍ ବୋଲି ପରାମର୍ଶ ଦିଆଯାଇଛି। ନୀତି ଆଣିବା ସତ୍ତ୍ୱେ ବି ପରିବାରକୁ ଅଧିକ ସତର୍କ ରହିବା ଆବଶ୍ୟକତା ରହିଛି ବୋଲି କୁହାଯାଇଛି।

ଅନ୍ୟ ଦେଶମାନେ ନେଇଥିବା ଭଲ ପଦକ୍ଷେପ

ଏହି ରିପୋର୍ଟରେ ଅନ୍ତର୍ଜାତୀୟ ସ୍ତରରେ ବାହାର ଦେଶ ଉଠାଇଥିବା ପଦକ୍ଷେପକୁ ଉଦାହରଣରେ ନିଆଯାଇଛି। ଅଷ୍ଟ୍ରେଲିଆ ଯୁବପିଢ଼ିଙ୍କ ଡିଜିଟାଲ୍ ନିଶା ବିରୁଦ୍ଧରେ ବିଶ୍ୱର କିଛି କଠୋର ପଦକ୍ଷେପ ଗ୍ରହଣ କରିଛି, ଯେଉଁଥିରେ ଏକ ନିର୍ଦ୍ଦିଷ୍ଟ ବୟସରୁ କମ୍ ବୟସର ପିଲାମାନଙ୍କ ପାଇଁ ସୋସିଆଲ ମିଡିଆ ଆକାଉଣ୍ଟ ଉପରେ ଦେଶବ୍ୟାପୀ ପ୍ରତିବନ୍ଧକ ଲଗାଯାଇଛି।

ସେହିଭଳି ଦକ୍ଷିଣ କୋରିଆ ୨୦୧୧ରେ ଲାଗୁ କରାଯାଇଥିବା "ସଟ୍ଡାଉନ୍ ଆଇନ"ର ଉଲ୍ଲେଖ କରାଯାଇଛି। ଏହି ଆଇନରେ ମଧ୍ୟରାତ୍ରି ପରେ ନାବାଳକମାନଙ୍କୁ ଗେମିଂ ୱେବସାଇଟ୍ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। କିନ୍ତୁ ପରେ ଏହାକୁ ଅଭିଭାବକ ନିୟନ୍ତ୍ରଣ ମଡେଲରେ ପରିଣତ କରାଯାଇଥିଲା। ଚୀନ୍ କଠୋର ଗେମିଂ ସୀମା ଲାଗୁ କରାଯାଇଛି। ଯେଉଁଥିରେ ସପ୍ତାହାନ୍ତ ଏବଂ ଛୁଟିଦିନରେ ପ୍ରତିଦିନ ଗୋଟିଏ ଘଣ୍ଟା ପର୍ଯ୍ୟନ୍ତ ଖେଳ ସମୟ ନିର୍ଦ୍ଧାରିତ କରାଯାଇଛି।

ସିଙ୍ଗାପୁର ଏହାର ମିଡିଆ ସାକ୍ଷରତା ପରିଷଦ ମାଧ୍ୟମରେ ଏକ ସମ୍ପ୍ରଦାୟ-ଆଧାରିତ ପଦ୍ଧତି ଗ୍ରହଣ କରିଛି, ସ୍କୁଲ ଏବଂ ସାର୍ବଜନୀନ ପ୍ଲାଟଫର୍ମରେ ସାଇବର ସୁସ୍ଥତା ଏବଂ ଦାୟିତ୍ୱପୂର୍ଣ୍ଣ ଡିଜିଟାଲ୍ ନାଗରିକତାକୁ ପ୍ରୋତ୍ସାହିତ କରୁଛି। ଫ୍ରାନ୍ସ, ସ୍ପେନ୍, ଫିନଲ୍ୟାଣ୍ଡ, ଜାପାନ, ବ୍ରାଜିଲ୍, ଅଷ୍ଟ୍ରେଲିଆ, ଦକ୍ଷିଣ କୋରିଆ ଏବଂ କିଛି ଆମେରିକୀୟ ରାଜ୍ୟ ସମେତ ଅନେକ ଦେଶ ମଧ୍ୟ ଛାତ୍ରଙ୍କୁ ଅଧୋଗତିକୁ ରୋକିବା ପାଇଁ ଶ୍ରେଣୀଗୃହରେ ସ୍ମାର୍ଟଫୋନ୍ ବ୍ୟବହାରକୁ ପ୍ରତିବନ୍ଧକ, ସୀମା କିମ୍ବା କର୍ଫ୍ୟୁ ମାଧ୍ୟମରେ କଟକଣା ଲଗାଇଛନ୍ତି।

ତେବେ ସର୍ଭେରେ ଭାରତ ପାଇଁ ଅଫଲାଇନ୍ ଯୁବ କେନ୍ଦ୍ର(ଅଫଲାଇନ ୟୁଥ ହବ୍) ସୃଷ୍ଟି କରିବା, ସ୍ୱେଚ୍ଛାକୃତ "ଡିଜିଟାଲ୍ ଡାଏଟ୍"କୁ ପ୍ରୋତ୍ସାହିତ କରିବା, ପିଲାମାନଙ୍କ ପାଇଁ କେବଳ ଶିକ୍ଷା-ସମ୍ପନ୍ନ ଡିଜିଟାଲ୍ ଡିଭାଇସ୍ ପ୍ରଚଳନ କରିବା ଏବଂ ସରକାରଙ୍କ ଟେଲି-ମାନସ୍ ମାନସ ମେଣ୍ଟାଲ୍ ହେଲ୍ଥ ହେଲ୍ପଲାଇନ୍ ବିସ୍ତାର କରିବା ଭଳି ଅତିରିକ୍ତ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି।