ଟିଣ୍ଡରରୁ ପ୍ରେମ, ସୁଟକେସ୍ ମର୍ଡର ଓ ଏବେ ବିବାହ; ଓପନ ଜେଲରେ ଫୁଟି ଉଠିଲା ପ୍ରିୟା ସେଠ୍ ଓ ହନୁମାନଙ୍କ ଭଲ ପାଇବା

NEWS7
rahul-and-priyanka-targets-union-govt-for-hike-excise-duty-on-petroleum

ନୂଆଦିଲ୍ଲୀ: ରାଜସ୍ଥାନର ଅଲଓ୍ଵର ଜିଲ୍ଲାରେ ଏକ ଗାଁରେ ସଂପ୍ରତି ଆଜୀବନ ସଜା କାଟୁଥିବା ଦୁଇ କଏଦୀଙ୍କ ବିବାହ ବହୁତ ଚର୍ଚ୍ଚାରେ ରହିଛି। କନ୍ୟା ହେଉଛନ୍ତି ୩୪ ବର୍ଷୀୟ ପ୍ରିୟା ସେଠ ଏବଂ ବର ହେଉଛି ହନୁମାନ ପ୍ରସାଦ। ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ପ୍ରିୟା ସେଠ କୌଣସି ସାଧାରଣ କନ୍ୟା ନୁହେଁ। ସେ ଜୟପୁରର ସବୁଠୁ ଭୟାନକ ଅପରାଧ ମଧ୍ୟରୁ ଗୋଟିଏ ଟିଣ୍ଡର ସୁଟକେସ୍ ମର୍ଡର କେସର ମୁଖ୍ୟ ଅଭିଯୁକ୍ତ। ଏହି ହତ୍ୟାକାଣ୍ଡରେ କୋର୍ଟ ତାଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଥିଲେ।

ପ୍ରିୟା ସେଠ ପୁଣି ଥରେ ଚର୍ଚ୍ଚାରେ। ପ୍ରିୟାଙ୍କୁ ଆଜୀବନ ସଜା ଭୋଗୁଥିବା ହନୁମାନ ପ୍ରସାଦଙ୍କ ସହ ବିବାହ କରିବାକୁ ୧୫ ଦିନର ପାରୋଲ ମିଳିଛି। ପ୍ରିୟା ଓ ହନୁମାନ ପ୍ରସାଦଙ୍କ ସାକ୍ଷାତ ରାଜସ୍ଥାନର ସାଙ୍ଗାନେର ଓପନ ଜେଲରେ ହୋଇଥିଲା। ସେଠାରେ ଉଭୟ ପରସ୍ପରରେ ପ୍ରେମରେ ପଡ଼ିଥିଲେ। ଜେଲର ଚାରି କାନ୍ଥ ପଛରେ ଆରମ୍ଭ ହୋଇଥିବା ଉଭୟଙ୍କ ସଂପର୍କ ବିବାହର ରୂପ ନେଇଛି। କିନ୍ତୁ ଏହି ବିବାହକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ପୁଣି ଥରେ ସେହି ଅପରାଧର ସ୍ମୃତି ତାଜା ହୋଇ ଉଠିଛି, ଯାହା ଦିନେ ପୂରା ଦେଶକୁ ଦୋହଲାଇ ଦେଇଥିଲା।

କଣ ଥିଲା ଘଟଣାକ୍ରମ

ହିନ୍ଦୁସ୍ଥାନ ଟାଇମ୍ସର ରିପୋର୍ଟ ମୁତାବକ, ୨୭ ବର୍ଷୀୟ ଯୁବକ ଉଦ୍ୟୋଗପତି ଦୁଷ୍ୟନ୍ତ ଶର୍ମା ୨୦୧୮ ଆରମ୍ଭରେ ଟିଣ୍ଡରରେ ପ୍ରିୟା ସେଠଙ୍କ ସହ ଦେଖା ହୋଇଥିଲା। ସପ୍ତାହ ସପ୍ତାହ ଧରି ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ଚାଲିଲା। ଦୁହେଁ ନିଜର ସ୍ଵପ୍ନ, ଜୀବନ ଓ ଭଲ ପାଇବା ବିଷୟରେ ଖୁବ୍ କଥା ହେଲେ। ଦୁଷ୍ୟନ୍ତୁଙ୍କୁ ଲାଗିଲା ଯେ, ତାଙ୍କୁ ଉଚିତ୍ ସାଥୀଟିଏ ମିଳିଗଲା। ମାତ୍ର କିଏ ଜାଣିଥିଲା ପ୍ରିୟା ଏକ ଭୟାନକ ଖେଳ ଖେଳୁଥିଲା।

ଦୁଷ୍ୟନ୍ତ ଶର୍ମା ଅଜଣା ଥିଲା ଯେ, ପ୍ରିୟା ନିଜର ବୟଫ୍ରେଣ୍ଡ ଦିକ୍ଷାନ୍ତ କାମରା ସହ ରହୁଥିଲା ଏବଂ ୨୧ ଲକ୍ଷ ଟଙ୍କାର କରଜରେ ବୁଡି ରହିଥିଲା। ଉଭୟ ମିଶି ଟଙ୍କା ପାଇଁ ଦୁଷ୍ୟନ୍ତଙ୍କ ଅପହରଣର ଯୋଜନା କରିଥିଲେ। କାରଣ ଦୁଷ୍ୟନ୍ତ ଅନଲାଇନରେ କଥାବାର୍ତ୍ତା ବେଳେ ପ୍ରିୟାକୁ ନିଜର କାରବାର ଏବଂ ଧନ ଦୌଲତ ବିଷୟରେ ଜଣାଇ ଦେଇଥିଲେ। ତେଣୁ ଦୁଷ୍ୟନ୍ତଙ୍କ ରୂପେ ହିଁ ପ୍ରିୟା ଓ କାମରା ପାଇଁ ଭଲ ଟାର୍ଗେଟ୍ ମିଳି ଯାଇଥିଲା।

ଯୋଜନା ଅନୁସାରେ ପ୍ରିୟା ଦୁଷ୍ୟନ୍ତଙ୍କୁ ଜୟପୁରର ବଜାଜ ନଗର ସ୍ଥିତ ନିଜ ଭଡ଼ା ଘରକୁ ଭେଟିବା ପାଇଁ ଡାକିଥିଲା। ପ୍ରିୟା କଥାକୁ ଭରସା କରି ଦୁଷ୍ୟନ୍ତ ଭେଟିବାକୁ ପହଞ୍ଚି ଯାଇଥିଲେ। ଆଉ କେବେ ଫେରି ପାରି ନ ଥିଲେ।

ଦୁଷ୍ୟନ୍ତ ଯେମିତି ପ୍ଲାଟରେ ପ୍ରବେଶ କରିଥିଲେ, ପ୍ରିୟା ଓ ତାର ବୟଫ୍ରେଣ୍ଡ ତାକୁ କାବୁ କରି ବାନ୍ଧିବା ସହ ବନ୍ଧକ ରଖିଥିଲେ। ଏହା ପରେ ସେ ନିଜର ଆଉ ଜଣେ ସାଙ୍ଗ ଲକ୍ଷ୍ୟ ବାଲିଆଙ୍କ ସହିତ ଦୁଷ୍ୟନ୍ତଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଦାବି କରିଥିଲେ। ଅଭିଯୁକ୍ତ ଜଣକ ଦୁଷ୍ୟନ୍ତଙ୍କ ବାପାଙ୍କୁ କଲ୍ କରି ଧମକ ଚମକ ଦେଇଥିଲେ। ଦୁଷ୍ୟନ୍ତ କଲରେ ଗୁହାରି କରିଥିଲା ଯେ, ବାପା ମୋତେ ଏମାନେ ମାରି ଦେବେ। ପ୍ଲିଜ ସେମାନଙ୍କୁ ୧୦ ଲକ୍ଷ ଟଙ୍କା ଦେଇ ଦିଅନ୍ତୁ।

ଦୁଷ୍ୟନ୍ତଙ୍କ ପରିବାର ବହୁ ପ୍ରୟାସ ପରେ କେବଳ ୩ ଲକ୍ଷ ଟଙ୍କା ଯୋଗାଡ଼ କରି ପାରିଥିଲେ। ଟଙ୍କା ଟ୍ରାନ୍ସଫର ବି ହୋଇଗଲା। ମାତ୍ର ଏହି ଅର୍ଥ ଅଭିଯୁକ୍ତଙ୍କ ପାଇଁ ପର୍ଯ୍ୟାପ୍ତ ନ ଥିଲା। ଧରା ପଡ଼ିବା ଭୟ ଏବଂ ନିଜର ଶିକାରକୁ ଛାଡ଼ିବା ପାଇଁ ସେମାନେ ପ୍ରସ୍ତୁତ ନ ଥିଲେ। ତେଣୁ ସବୁ ଦିନ ପାଇଁ ଦୁଷ୍ୟନ୍ତଙ୍କୁ ଚିର ନିଦ୍ରାରେ ଶୁଆଇବାକୁ ନିଷ୍ପତ୍ତି ନେଇଥିଲେ।

ଏହା ପରେ ଦୁଷ୍ୟନ୍ତଙ୍କ ତଣ୍ଟି ଚିପିବା ସହ ତକିଆରେ ମୁହଁ ଦବା ଯାଇଥିଲା। ଦୁଷ୍ୟନ୍ତଙ୍କ ନିଃଶ୍ଵାସ ଚାଲୁଥିବା ଦେଖି ବାରମ୍ବାର ଛୁରିରେ ଭୁସି ହତ୍ୟା କରାଗଲା ଏବଂ ବେକ କାଟି ଦିଆଗଲା। ମୃତଦେହକୁ ସୁଟକେସରେ ଭର୍ତ୍ତି କରି ଜୟପୁରର ବାହ୍ୟ ଅଞ୍ଚଳରେ ଏକ ଗାଁରେ ଫିଙ୍କି ଦିଆଗଲା। କିଛି ଦିନ ପରେ ପୋଲିସକୁ ସୁଟକେସ୍ ମିଳିଥିଲା। ସୁଟକେସରୁ ଯେଉଁ ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳିଲା, ତାହା ପୂରା ରାଜସ୍ଥାନକୁ ଦୋହଲାଇ ଦେଇଥିଲା।

ସ୍ଵୀକାରୋକ୍ତି ଓ ଆଜୀବନ କାରାଦଣ୍ଡ

ଗିରଫଦାରୀ ପରେ ପ୍ରିୟା ସେଠ ନିଜର ଅପରାଧ ସ୍ଵୀକାର କରିଥିଲା। ପୋଲିସକୁ ସେ ଜଣାଇଥିଲା ଯେ, ଦୁଷ୍ୟନ୍ତ ନିଜ ବିଷୟରେ ମିଛ କହିଥିଲା। ସେ ନିଜକୁ ଧନୀ ବୋଲି କହିଥିଲା। ଆମକୁ ଅର୍ଥର ଆବଶ୍ୟକତା ଥିଲା, ଏଥିପାଇଁ ଆମେ ଦୁଷ୍ୟନ୍ତଙ୍କୁ ଅପହରନ କରି ହତ୍ୟାର ଯୋଜନା କରିଥିଲୁ।

ଜୟପୁରର ଏକ ଅଦାଲତ ୨୦୨୩ରେ ପ୍ରିୟା ସେଠ ଏବଂ ତାର ବୟଫ୍ରେଣ୍ଡକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ପ୍ରିୟାକୁ ରାଜସ୍ଥାନର ସାଙ୍ଗାନେର ଓପନ ଜେଲ୍ ପଠାଇ ଦିଆଗଲା। ଏଠାରେ ହିଁ ପ୍ରିୟା ସେଠ ଓ ହନୁମାନ ପ୍ରସାଦଙ୍କ ସାକ୍ଷାତ ହୋଇଥିଲା। ହନୁମାନ ମଧ୍ୟ ଚାରି ଜଣଙ୍କ ହତ୍ୟା ଅପରାଧରେ ଆଜୀବନ ସଜା କାଟୁଥିଲା। ସେ ଅଲଓ୍ଵରରେ ମୃତକଙ୍କ ପତ୍ନୀ ସହିତ ପ୍ରେମ ସଂପର୍କ ପରେ ମହିଳାଙ୍କ ସ୍ଵାମୀ, ତିନି ପୁଅ ଏବଂ ପୁତୁରାର ହତ୍ୟା କରିଥିଲା।

ଦୁଇ ହତ୍ୟାକାରୀଙ୍କ ମାସ ମାସ ଧରି ଚାଲିଥିବା ସାକ୍ଷାତ ଶୀଘ୍ର ବନ୍ଧୁତା ଏବଂ ବିବାହରେ ପରିଣତ ହୋଇଥିଲା। ରାଜସ୍ଥାନ ହାଇକୋର୍ଟ ଚଳିତ ମାସ ଆରମ୍ଭରେ ଜେଲ୍ ଅଧିକାରୀଙ୍କୁ ଉଭୟଙ୍କ ପାରୋଲ ଆବେଦନ ଉପରେ ଶୀଘ୍ର ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେଇଥିଲେ। ପାରୋଲ୍ କମିଟି ଦୁହିଁଙ୍କୁ ବିବାହ ପାଇଁ ୧୫ ଦିନର ପାରୋଲକୁ ମଞ୍ଜୁରୀ ଦେଇଥିଲେ। ଏହା ପରେ ଉଭୟ ଜାନୁଆରୀ ୨୪ରେ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।