LIVE TV

କେତେ ଶକ୍ତିଶାଳୀ ତାଲିବାନ ଲଢ଼ୁଆ ? ଏମାନଙ୍କ ପାଖରେ ଅଛି କେଉଁ କେଉଁ ଅସ୍ତ୍ରଶସ୍ତ୍ର...

NEWS7
questions-asked-during-upsc-ias-interview

ନୂଆଦିଲ୍ଲୀ ୧୬।୧୦: ପାକିସ୍ତାନ-ଆଫଗାନିସ୍ତାନ ଲଢେଇ। ଶୁକ୍ରବାର ପାକିସ୍ତାନ ଏୟାରଷ୍ଟ୍ରାଇକର ଜବାବ ଶନିବାର ଦେଇଥିଲା ତାଲିବାନ । ବୁଧବାର ପାକିସ୍ତାନ-ଆଫଗାନିସ୍ତାନ ମଧ୍ୟରେ ୪୮ ଘଣ୍ଟିଆ ଯୁଦ୍ଧବିରତି ପାଇଁ ସହମତି ହୋଇଛି । ସୀମାରେ ଉତ୍ତେଜନା ଚରମସୀମାରେ ପହଞ୍ଚିବାରୁ ଉଭୟ ଦେଶ ଏଭଳି ନିଷ୍ପତ୍ତି ନେଇଛନ୍ତି । ତେବେ ଏହାରି ମଧ୍ୟ ଚର୍ଚ୍ଚା ହେଉଛି କି ତାଲିବାନ ଲଢ଼ୁଆ କେତେ ଶକ୍ତିଶାଳୀ ? ଏମାନଙ୍କ ପାଖରେ କେଉଁ ଅସ୍ତ୍ରଶସ୍ତ୍ର ଅଛି ?  ଯଦି ଯୁଦ୍ଧ ହୁଏ  ତେବେ ପାକ୍‌ ସେନା ବିରୁଦ୍ଧରେ କେତେଦିନ ତିଷ୍ଠି ପାରିବେ ?

ପାକିସ୍ତାନ ଏବଂ ଆଫଗାନିସ୍ତାନ ଉଭୟ ଦକ୍ଷିଣ ଏସୀୟ ଦେଶ । କିନ୍ତୁ ଉଭୟ ଦେଶ ଦୀର୍ଘ ସମୟ ଧରି ଦାରିଦ୍ର୍ୟ, ରାଜନୈତିକ ଅସ୍ଥିରତା ଏବଂ ଆତଙ୍କବାଦର ଶିକାର ହୋଇଛନ୍ତି। ଆଫଗାନିସ୍ତାନ ବର୍ତ୍ତମାନ ତାଲିବାନ ଶାସନ ଅଧୀନରେ ଅଛି । ତାଲିବାନ ସରକାରରେ ବର୍ତ୍ତମାନ ୨ ଲକ୍ଷ ନ୍ୟାସନାଲ୍‌ ଫୋର୍ସ ରହିଛି । ସେମାନେ ଗରିଲା ଯୁଦ୍ଧରେ ମାହିର । ଅର୍ଥାତ୍ ସେମାନେ ସାଧାରଣ ସେନା ପରି ନୁହଁନ୍ତି । ସେମାନେ ହଠାତ୍‌ ଆଟାକ୍‌, ଗୁପ୍ତ ଆକ୍ରମଣ ଏବଂ ଦ୍ରୁତ ମୁଭମେଣ୍ଟ ରଣନୀତି ବ୍ୟବହାର କରିବାରେ ମାହିର ।

ଏବେ ପ୍ରଶ୍ନ ଆସୁଛି ତାଲିବାନ ପାଖରେ କେଉଁ ଅସ୍ତ୍ର ରହିଛି ?  ଆଫଗାନିସ୍ତାନର ସବୁଠାରୁ ବଡ଼ ଦୁର୍ବଳତା ହେଉଛି ଏହାର ଟେକ୍ନୋଲୋଜି ଅଭାବ । ତାଲିବାନ ପାଖରେ  ନିଜସ୍ୱ ଆଧୁନିକ ଅସ୍ତ୍ର ଉତ୍ପାଦନ ବ୍ୟବସ୍ଥାର ଅଭାବ ଅଛି । ସେମାନଙ୍କ ପାଖରେ ଥିବା ଅସ୍ତ୍ରଶସ୍ତ୍ରଗୁଡ଼ିକ ଆମେରିକା ଦ୍ୱାରା ଛାଡି ଦିଆଯାଇଥିବା କିମ୍ବା ରୁଷ ଏବଂ ସୋଭିଏତ୍ ଯୁଗର ପୁରୁଣା ଅସ୍ତ୍ରଶସ୍ତ୍ରରୁ ମିଳିଛି । ରିପୋର୍ଟ ଅନୁଯାୟୀ, ଆଫଗାନିସ୍ତାନ ସେନା ପାଖରେ ଶହ ଶହ ଆମେରିକୀୟ ଏବଂ ରୁଷୀୟ ଟ୍ୟାଙ୍କ ରହିଛି ।

ଆଫଗାନିସ୍ତାନରେ କୌଣସି ସକ୍ରିୟ ଫାଇଟର ଜେଟ୍‌ ନାହିଁ । ୨୦୧୬-୨୦୧୮ ମଧ୍ୟରେ ଆମେରିକା ଏହାକୁ ପ୍ରାୟ ୨୬ଟି A-29 ସୁପର ଟୁକାନୋ ନାମକ ହାଲୁକା ଆଟାକ୍‌ ଏୟାରକ୍ରାଫ୍ଟ ଦେଇଥିଲା। ତାଲିବାନ ପାଖରେ କିଛି ଆମେରିକୀୟ ହେଲିକପ୍ଟର ଏବଂ ଡ୍ରୋନ୍ ମଧ୍ୟ ଅଛି । କିନ୍ତୁ ଏଗୁଡ଼ିକ ବହୁତ ସୀମିତ ସ୍ତରରେ କାମ କରିଥାଏ । ଯେତେବେଳେ ଆକାଶରେ ଯୁଦ୍ଧ କଥା ଆସେ, ଆଫଗାନିସ୍ତାନର କ୍ଷମତା ବହୁତ ସୀମିତ ହୋଇଥାଏ । ଆଫଗାନିସ୍ତାନ ମଧ୍ୟ ମିସାଇଲ କ୍ଷମତାରେ ପଛରେ ଅଛି । ଏହା ପାଖରେ ପୁରୁଣା ସୋଭିଏତ୍ ଯୁଗର ବାଲିଷ୍ଟିକ୍ ମିସାଇଲ ଅଛି । ଯାହା ବର୍ତ୍ତମାନ ଟେକ୍ନୋଲୋଜି ଦୃଷ୍ଟିରୁ ପ୍ରଭାବହୀନ ।

କିଛି ରିପୋର୍ଟରେ ଦାବି କରାଯାଇଛି କି ତାଲିବାନ ନିକଟ କିଛି ବର୍ଷରେ ନୂଆ ମିସାଇଲ୍‌ ପ୍ରଣାଳୀ କିଣିଛି । କିନ୍ତୁ ସେଗୁଡିକୁ କେଉଁ ଦେଶରୁ ଆସିଛି ତାହା ସ୍ପଷ୍ଟ ନୁହେଁ । ଆଫଗାନିସ୍ତାନ ପାଖରେ କୌଣସି ଆଧୁନିକ ଏୟାର ଡିଫେନ୍ସ ସିଷ୍ଟମ ନାହିଁ । କେବଳ କିଛି ସର୍ଟ ରେଞ୍ଜ ଆଣ୍ଟି-ଏୟାରକ୍ରାଫ୍ଟ ବନ୍ଧୁକ ଏବଂ ରକେଟ୍ ଲଞ୍ଚର୍ ଅଛି । ତେବେ ତାଲିବାନ ରୁଷ ସହାୟତାରେ ନିଜର ଏୟାର ଡିଫେନ୍ସକୁ ଉନ୍ନତ କରିବାକୁ ଚେଷ୍ଟା କରୁଛି ।

ଅନ୍ୟପଟେ ପାକିସ୍ତାନର ସ୍ଥିତି ମଧ୍ୟ କିଛି ଖାସ୍‌  ଭଲ ନୁହେଁ। ଯଦିଓ ପାକିସ୍ତାନ ୭୫ ବର୍ଷ ଧରି ଏକ ପ୍ରତିଷ୍ଠିତ ଦେଶ ହୋଇଛି । କିନ୍ତୁ ଦେଶରେ ବାରମ୍ବାର ବିଦ୍ରୋହ, ରାଜନୈତିକ ଦ୍ୱନ୍ଦ୍ୱ, ଆତଙ୍କବାଦ ଏବଂ ବୃଦ୍ଧି ପାଉଥିବା ଋଣ,  ଦେଶକୁ ପଙ୍ଗୁ କରିଦେଇଛି । ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଠାରୁ ନିରନ୍ତର ସହାୟତା ଲୋଡ଼ି ଆସୁଥିବା ପାକିସ୍ତାନ ଏବେ ଏହାର ଆର୍ଥିକ ସଙ୍କଟର ସବୁଠାରୁ ନିମ୍ନ ସ୍ତରରେ ରହିଛି। ତେବେ ସ୍ଥଳ ଯୁଦ୍ଧରେ ତାଲିବାନ ଯୋଦ୍ଧା ଗରିଲା ରଣନୀତିରେ ଶତ୍ରୁକୁ ମାତ୍‌ ଦେଇପାରିବେ। କିନ୍ତୁ ଯଦି ଯୁଦ୍ଧ ଆକାଶରେ ହୁଏ ତେବେ ଆଧୁନିକ ଯୁଦ୍ଧ ବିମାନ ଏବଂ କ୍ଷେପଣାସ୍ତ୍ର ଦୃଷ୍ଟିରୁ ପାକିସ୍ତାନର ପଲ୍ଲା ଭାରୀ ରହିବ । ​​​​​​​