ସରିଯିବ କ୍ୟାରିୟର, କେହି ଦେବେନି ଚାକିରି, ପିରିୟଡ୍ ପେଡ୍ ଲିଭ୍' ଦେବାକୁ ମନା କଲେ ସୁପ୍ରିମକୋର୍ଟ

NEWS7
pythons-rescue-from-chicken-farm

ନୂଆଦିଲ୍ଲୀ ୧୪/୦୩: ସାରା ଦେଶରେ କର୍ମଜୀବୀ ମହିଳାଙ୍କୁ ପିରିୟଡ୍ ସମୟରେ ପେଡ୍ ଲିଭ୍ ଦେବା ଦାବିରେ ଦାଖଲ ଏକ ଆବେଦନ ସଂପର୍କରେ ଶୁକ୍ରବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା । ଏପରି ଛୁଟିକୁ ଅନିବାର୍ଯ୍ୟ ବନାଇବାର ସମ୍ଭାବିତ ସାମାଜିକ ପରିଣାମ ସଂପର୍କରେ ଚିନ୍ତା ବ୍ୟକ୍ତ କରି କୋର୍ଟ ଆବେଦନକୁ ଖାରଜ କରିଦେଇଛନ୍ତି ।

ଏହି ସମୟରେ କୋର୍ଟ କହିଛନ୍ତି, ଯଦି କୌଣସି କମ୍ପାନି ସ୍ୱେଚ୍ଛାକୃତ ଭାବେ ପିରିୟଡ୍ ସମୟରେ ମହିଳାଙ୍କୁ ଛୁଟି ଦେଉଛି ତେବେ ତାହା ଭଲ କଥା । କିନ୍ତୁ ଯଦି ଏହାକୁ ଆଇନ ରୂପରେ କଡାକଡି ଲାଗୁ କରାଯାଏ ତେବେ ଏହାର ଅନ୍ୟ ଦିଗ ଉପରେ ମଧ୍ୟ ଧ୍ୟାନ ଦେବାକୁ ପଡିବ । ଏଥିନେଇ ଆଇନ କରାଗଲେ ମହିଳାଙ୍କ ରୋଜଗାର ଉପରେ ବୀପରିତ ପ୍ରଭାବ ପଡିପାରେ । ନିଯୁକ୍ତିଦାତାମାନେ ମହିଳାଙ୍କୁ ଚାକିରି ଦେବା ନେଇ ଦ୍ୱିଧାବୋଧ କରିପାରନ୍ତି । ଏପରିହେଲେ କାର୍ଯ୍ୟସ୍ଥଳରେ ମହିଳାଙ୍କ ଭାଗିଦାରି କମିଯିବ । ଫଳତଃ ସେମାନଙ୍କ କ୍ୟାରିୟର ଶେଷ ହୋଇଯିବ ।

ମହିଳାଙ୍କୁ ପେଡ୍ ପିରିୟଡ୍ ଲିଭ୍ ଦେବା ନେଇ ଓକିଲ ଶୈଳେନ୍ଦ୍ର ମଣି ତ୍ରିପାଠୀ ଏହି ଆବେଦନ କରିଥିଲେ । ତାର ଶୁଣାଣି କରି ସିଜେଆଇ ସୂର୍ଯ୍ୟକାନ୍ତ, ଜଷ୍ଟିସ ଜୟମାଲ୍ୟ ବାଗ୍ଚୀଙ୍କ ଖଣ୍ଡପୀଠ କହିଛନ୍ତି, ଏଭଳି ଆବେଦନ ଭୟସୃଷ୍ଟି, ମହିଳାଙ୍କୁ ହୀନ ଦେଖାଇବା ଲାଗି, ପିରିୟଡ୍ ସେମାନଙ୍କ ସହ ହେଉଥିବା ଏକ ଖରାପ କଥା ବୋଲି ଦର୍ଶାଇବାକୁ କରାଯାଇଛି । ଏହାଦ୍ୱାରା ଅଜାଣତରେ ମହିଳାଙ୍କ ସଂପର୍କରେ ପ୍ରଚଳିତ ଥିବା ଋଢ଼ି ଆହୁରି ମଜଭୁତ ହୋଇପାରେ ।

ମହିଳାଙ୍କ ପ୍ରତି ସକାରାତ୍ମକ ପଦକ୍ଷେପ ସାମ୍ବିଧାନିକ ଭାବେ ସ୍ୱୀକୃତିପ୍ରାପ୍ତ । କିନ୍ତୁ ସେହି ନିଯୁକ୍ତିଦାତାଙ୍କ ସଂପର୍କରେ ଚିନ୍ତା କରନ୍ତୁ ଯାହାଙ୍କୁ ସବୈତନିକ ଛୁଟି ଦେବାକୁ ହେବ । ଶୁଣାଣି ସମୟରେ ଆବେଦନକାରୀଙ୍କ ଓକିଲ ଏମ.ଆର ଶମଶାଦ କିଛି ରାଜ୍ୟ ଏବଂ ସଂସ୍ଥାନ ପିରିୟଡ୍ ଲିଭ୍ ସୁବିଧା ଦେବାକୁ ପୂର୍ବରୁ ପଦକ୍ଷେପ ନେଇସାରିଛନ୍ତି ବୋଲି ଦର୍ଶାଇଥିଲେ । ଏହାପରେ ସିଜେଆଇ କହିଥିଲେ ଯେ, ସେଚ୍ଛାକୃତ ଛୁଟି ଦେବା ବହୁତ ଭଲ କଥା ।

କିନ୍ତୁ ଯେତେବେଳେ ଏହା ଆଇନ ଅନୁସାରେ ଅନିବାର୍ଯ୍ୟ ବୋଲି ଆପଣ କହିବେ ସେତେବେଳେ ମହିଳାଙ୍କୁ କେହି ଚାକିରି ଦେବେନାହିଁ । ସେମାନଙ୍କୁ ସରକାରୀ ଚାକିରି ଏପରିକି ନ୍ୟାୟପାଳିକାର ଚାକିରିରେ ରଖାଯିବ ନାହିଁ । ଫଳରେ ମହିଳାଙ୍କ କ୍ୟାରିୟର ଶେଷ ହୋଇଯିବ । ଏପରିସ୍ଥଳେ ୨୦୨୩ ଫେବ୍ରୁଆରୀ ୨୪ ଏବଂ ୨୦୨୪ ଜୁଲାଇ ୮ ତାରିଖରେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ଆଧାର କରି ଏକ ନୀତି ପ୍ରସ୍ତୁତ କରିବାକୁ ଆମେ ସମ୍ବନ୍ଧିତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଉଛୁ ।