ଘର ଚାକରଣୀ ରଚିଥିଲା ଷଡ଼ଯନ୍ତ୍ର, ଚଢଉ କରିବାକୁ ଆସିଲେ ED ଟିମ୍, ଝାଡୁ ମାରିଦେଲେ ମାଲିକଙ୍କ ଘର

NEWS7
python-rescued-malkangiri

ନୂଆଦିଲ୍ଲୀ ୨୬।୨: ଦକ୍ଷିଣ-ପୂର୍ବ ଦିଲ୍ଲୀର ନ୍ୟୁ ଫ୍ରେଣ୍ଡସ କଲୋନୀ ଅଞ୍ଚଳରେ ବୟଷ୍କ ଆର୍କିଟେକ୍ଟଙ୍କ ଘରେ ହୋଇଥିବା କଥିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚଢଉର ପୋଲିସ ପର୍ଦ୍ଦାଫାସ କରିଛି। ଯାଞ୍ଚରୁ ଜଣାପଡିଛି ଯେ ହୋଇଥିବା ଚଢଉ ସମ୍ପୂର୍ଣ୍ଣ ମିଛ ଥିଲା ଓ ଲୁଟ ଉଦ୍ଦେଶ୍ୟରେ ଏହି ଯୋଜନା କରାଯାଇଥିଲା। ପୋଲିସ ଅନୁସାରେ ଘରର ଚାକରାଣୀ ଏହି ପୁରା ଷଡ଼ଯନ୍ତ୍ର ରଚିଥିଲା। ୨୪ ଫେବୃଆରୀ ୨୦୨୬ରେ ନ୍ୟୁ ଫ୍ରେଣ୍ଡସ କଲୋନୀ ଥାନାରେ ଅଭିଯୋଗ ରୁଜୁ ହୋଇଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଥିଲା।

ଏହି ମାମଲାର ସମାଧାନ ନିମନ୍ତେ ପୋଲିସ ବଡ଼ ଧରଣର ବୈଷୟିକ ଯାଞ୍ଚ କରିଥିଲା। ଏଥି ପାଇଁ ୩୫୦ଟି ସିସିଟିଭି କ୍ୟାମେରାର ଫୁଟେଜ ଦେଖାଯାଇଥିଲା। ଡି- ବ୍ଲକର ଘରୋଇ କ୍ୟାମେରା, ପୋଲିସର ନିଜ କ୍ୟାମେରା ଓ ଟ୍ରାଫିକ କ୍ୟାମେରା ରେକର୍ଡିଂକୁ ଯୋଡି ଆସାମୀ ମାନଙ୍କ ଗାଡିର ପୁରା ରୁଟ ପ୍ରସ୍ତୁତ କରାଯାଇଥିଲା। ଫୁଟେଜରେ କାରକୁ ସରାୟ କାଲେଖାଁ ରୁ ଗାଜିୟାବାଦ ବର୍ଡର ପାରକରୁଥିବା ଓ ବୈଶାଳୀ ସେକ୍ଟର -୪ରେ ପାର୍କିଂ ହୋଇଥିବା ଦେଖାଯାଇଥିଲା।

ଏହା ପରେ ମୋବାଇଲ ଟାୱାର ଡମ୍ପ ଡାଟା ଓ ଆଇଏମଇଆଇ ଟ୍ରାକିଂ ମାଧ୍ୟମରେ ସେହିସବୁ ମୋବାଇଲ ନମ୍ବରକୁ ଚିହ୍ନଟ କରାଯାଇଥିଲା ଯେଉଁଗୁଡିକ ଘଟଣାସ୍ଥଳ ଓ ବୈଶାଳୀ ପାର୍କିଂରେ ମହଜୁଦ ଥିଲେ। ଯାଞ୍ଚର ତାର ସିଧା ଗାଜିୟାବାଦର ପୂଜା ରାଜପୁତଙ୍କ ଘରପର୍ଯ୍ୟନ୍ତ ଲମ୍ବିଥିଲା। ସ୍ଥାନୀୟ ସୂଚନାରୁ ଏହା ବି ଜଣାପଡିଥିଲା ଯେ ଆର୍କିଟେକ୍ଟଙ୍କ ଚାକରାଣୀ ରେଖା ଦେବୀ ପ୍ରାୟତଃ ସେହି ଠିକଣାକୁ ଯାଉଥିଲା। ଏହି ଠାରୁ ହିଁ ପୁରା ଷଡ଼ଯନ୍ତ୍ରର ପୁଷ୍ଟି ହୋଇଥିଲା। ଏହା ପରେ ପୋଲିସ ଫେବୃଆରୀ ୨୫ ତାରିଖ ଦିନ ପୂଜା ରାଜପୁତଙ୍କ ଘର ଉପରେ ଚଢଉ କରିଥିଲା।

ସେଠାରୁ ଆଇଟିବିପି ଡେପୁଟି କମାଣ୍ଡାଣ୍ଟଙ୍କ ପୁରା ୟୁନିଫର୍ମ, ନକଲୀ ଆଇଡି କାର୍ଡ, ୱେୟାରଲେସ୍ ସେଟ୍ ବକ୍ସ, ଚୋରି କରାଯାଇଥିବା ୭ ବିଳାଶମୟ ଘଣ୍ଟା ଓ ସୁନାଗହଣା ଜବତ ହୋଇଥିଲା। ଏହି ଜବତରୁ ଏହା ସ୍ପଷ୍ଟ ହୋଇଯାଇଛି ପୁରା ଘଟଣା ଏକ ସୁଚିନ୍ତିତ ଯୋଜନାରେ କରାଯାଇଥିଲା। ପୋଲିସ ରେଖା ଦେବୀ(୪୦), ତାଙ୍କଭାଉଜ ପୂଜା ରାଜପୁତ(୪୫)ଙ୍କୁ ଗିରଫ କରିଛି। ମାମଲାର ୩ ଅଭିଯୁକ୍ତ ଏବେବି ଫେରାର ଅଛନ୍ତି। ଏହି ଫେରାର ଅଭିଯୁକ୍ତଙ୍କ ମଧ୍ୟରେ ଆଇଟିବିପି କନଷ୍ଟେବଲ ପ୍ରକାଶ, ଅବସରପ୍ରାପ୍ତ ସେନା କର୍ମଚାରୀ ଉପଦେଶ ସିଂହ ଥାପ୍ପା ଓ ମନିଷ ନାମକ ଜନୈକ ଯୁବକ ଅଛନ୍ତି। ଏହି ମିଛ ଇଡି ଚଢଉରେ ବ୍ୟବହାର କରାଯାଇଥିବା ବଲେନୋ କାର ଉପଦେଶ ଥାପ୍ପାଙ୍କ ନାମରେ ପଞ୍ଜିକୃତ ଥିବା ଜଣାପଡିଛି।

ଉଲ୍ଲେଖଯୋଗ୍ୟ ଯେ ୧୧ ଫେବୃଆରୀ ୨୦୨୬ରେ ୮୬ ବର୍ଷ ବୟଷ୍କ ବୃଦ୍ଧ ଆର୍କିଟେକ୍ଟ ଆର.ସି.ସଭରବାଲଙ୍କ ଘରକୁ ପୋଲିସ ପୋଷାକ ପିନ୍ଧା ୩ ଜଣ ଲୋକ ପହଞ୍ଚିଥିଲେ ଓ ନିଜକୁ ଇଡି ଅଧିକାରୀ ପରିଚୟ ଦେଇ ଚଡଉ କରିବେ ବୋଲି କହିଥିଲେ। ଘରର ଲୋକଙ୍କୁ ଡରେଇ ଧମକେଇ ସେମାନଙ୍କ ମୋବାଇଲ ଫୋନ ନିଜ ହାତକୁ ନେଇଯାଇଥିଲେ ଓ ତଲାସୀର ନାଟକ କରିଥିଲେ। ତେବେ ସେମାନଙ୍କ ହାବଭାବରୁ ଆର୍କିଟେକ୍ଟଙ୍କ ନାତିର ସନ୍ଦେହ ହୋଇଥିଲା। ଏଣୁ ଝଗଡା ହୋଇଥିଲା ପରିସ୍ଥିତି ବଦଳୁଥିବା ଦେଖି ଆସାମୀମାନେ ଘଟଣାସ୍ଥଳରୁ ଖସି ପଳାଇବାକୁ ଉଦ୍ୟମ କରିଥିଲେ ଓ ଯିବା ବେଳକୁ ସାଙ୍ଗରେ ପାଖାପାଖି ୩୫ଲକ୍ଷ ଟଙ୍କାର ନଗଦ, ସ୍ୱର୍ଣ୍ଣ ଅଳଙ୍କାର ଓ ୭ଟି ବହୁମୂଲ୍ୟ ଘଣ୍ଟା ନେଇ ଯାଇଥିଲେ।

ଏହା ବି ପଢନ୍ତୁ :-ଦିଲ୍ଲୀ ସମୟପୁର ବାଦଲୀରେ ନୃଶଂସ ହତ୍ୟାକାଣ୍ଡ, ଗର୍ଭବତୀ ମହିଳାଙ୍କ ସମେତ ତାଙ୍କ ୩ ଝିଅଙ୍କୁ ଗଳାକାଟି ହତ୍ୟା