USର ଏୟାରଷ୍ଟ୍ରାଇକରେ ମରିଛନ୍ତି ୩୨ କ୍ୟୁବା ନାଗରିକ, ଟ୍ରମ୍ପଙ୍କ ଆକ୍ସନକୁ ଆତଙ୍କବାଦ କହିଲେ ରାଷ୍ଟ୍ରପତି ମିଗୁଏଲ

NEWS7
pv-sindhu-returned-home-with-bronze-medal-grand-welcome-at-delhi-airport

ନ୍ୟୁୟର୍କ, ୦୫/୦୧ : ଭେନେଜଜୁଏଲା ଉପରେ ଆମେରିକାର ଆକ୍ସନ୍ । ଏୟାରଷ୍ଟ୍ରାଇକ୍ କରି ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ନେଇଯାଇଛି ଆମେରିକା । ଏବେ ସେ ନ୍ୟୁୟର୍କର ଜେଲରେ । ତେବେ ଆମେରିକାର ଏୟାରଷ୍ଟ୍ରାଇକରେ ଭେନେଜୁଏଲାର ଭୟଙ୍କର କ୍ଷତି ଘଟିଛି । ଯାହାର ଅନେକ ସାଟେଲାଇଟ୍ ଫଟୋ ସାମ୍ନାକୁ ଆସିଛି । ଖାଲି ଏତିକି ନୁହେଁ ୪୦ରୁ ଅଧିକ ସାଧାରଣ ନାଗରିକ ପ୍ରାଣ ହରାଇଥିବା ଦାବି ହେଉଛି । ଏଥିରେ କ୍ୟୁବାର ୩୨ ଜଣ ନାଗରିକ ଥିବା ଜଣାପଡିଛି ।

କ୍ୟୁବା ରାଷ୍ଟ୍ରପତି ମିଗୁଏଲ ଡିଆଜ୍ କ୍ୟାନେଲଙ୍କ କାର୍ଯ୍ୟାଳୟ ଅନୁସାରେ, ଭେନେଜୁଏଲାର ଏକ ମିଶନରେ କ୍ୟୁବାର କିଛି ଯବାନ ଏବଂ ନାଗରିକ ସାମିଲ ଥିଲେ । ସେମାନଙ୍କୁ କ୍ୟୁବାର ସେନା ନିୟୋଜିତ କରିଥିଲା । ସେମାନେ ସାହସିକତା ଦେଖାଇ ପ୍ରାଣବଳି ଦେଇଛନ୍ତି । ନିହତଙ୍କ ସମ୍ମାନାର୍ଥେ ଜାନୁଆରୀ ୫ ଏବଂ ୬ ତାରିଖରେ ଶୋକ ପାଳନ କରାଯାଉଛି । ଏହାସହ ମୃତଦେହର ଅନ୍ତିମ ସଂସ୍କାର ପାଇଁ ସମସ୍ତ ପଦକ୍ଷେପ ନିଆଯିବ ।

ଏହାସହ କ୍ୟୁବା ଆମେରିକାର ଏୟାରଷ୍ଟ୍ରାଇକକୁ ନିନ୍ଦା କରିଛି । ଏହା ଆତଙ୍କବାଦ ଏବଂ ଅପରାଧ ବୋଲି ସେଠାକାର ସରକାର କହିଛନ୍ତି । କ୍ୟୁବା ସରକାର ମୃତକଙ୍କ ପରିବାର ସହ ରହିଥିବା ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ, ଜାନୁଆରୀ ୩ ତାରିଖରେ ୟୁଏସ ଯୁଦ୍ଧ ବିମାନ ଭେନେଜୁଏଲାରେ ଏୟାର ଷ୍ଟ୍ରାଇକ୍ କରିଥିଲା । ଏଥିରେ ୪୦ରୁ ଅଧିକ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଏହାସହ ସେଠାକାର ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ଆମେରିକା ଅଣାଯାଇଛି । ତାଙ୍କୁ ନ୍ୟୁୟର୍କର ଏକ ଜେଲରେ ରଖାଯାଇଛି ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏୟାର ଷ୍ଟ୍ରାଇକ୍ ପରେ ଦାବି କରିଥିଲେ ଯେ ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମାଦୁରୋ ଏବଂ ତାଙ୍କ ପତ୍ନୀ ସିଲିଆ ଫ୍ଲୋରେସଙ୍କୁ ଆମେରିକୀୟ ଯୁଦ୍ଧଜାହାଜ USS ଦ୍ୱାରା ନ୍ୟୁୟର୍କ ଅଣାଯାଇଛି। ଏହା ପୂର୍ବରୁ ଟ୍ରମ୍ପ ମାଦୁରୋଙ୍କୁ ଆତ୍ମସମର୍ପଣ କରିବାକୁ ଚେତାଇଥିଲେ। ହେଲେ ସେ ଆତ୍ମସମର୍ପଣ ନ କରିବାରୁ ତାଙ୍କୁ ଗିରଫ କରାଯାଇଛି ବୋଲି ଟ୍ରମ୍ପ କହିଛନ୍ତି। ସେ ସ୍ପଷ୍ଟ ଭାବରେ କହିଥିଲେ ମାଦୁରୋଙ୍କୁ ଆତ୍ମସମର୍ପଣ କରିବାକୁ ପଡିବ। ପ୍ରାୟ ଗୋଟିଏ ସପ୍ତାହ ପୂର୍ବରୁ ମାଦୁରୋଙ୍କ ସହ କଥା ହୋଇଥିଲେ। ଉଭୟଙ୍କର ଏକ ଆଲୋଚନା ହୋଇଥିଲା । ଟ୍ରମ୍ପ୍ ନିଜେ ତାଙ୍କ ସହ କଥା ହୋଇଥିଲେ, କିନ୍ତୁ ଆତ୍ମସମର୍ପଣ କରିବାକୁ ପଡିବ ବୋଲି ୟୁଏସ ରାଷ୍ଟ୍ରପତି ମାଦୁରୋଙ୍କୁ କହିଥିଲେ।