ଚଳିତ ସପ୍ତାହରେ ସୁନା ୨,୩୪୦ ଟଙ୍କା ଓ ରୁପା ୮,୨୫୮ ଟଙ୍କା ବଢ଼ିଛି: କାହିଁକି ବଢୁଛି ମୂଲ୍ୟ ?

NEWS7
puri-temple-eviction-continuing

ନୂଆଦିଲ୍ଲୀ: ଏହି ସପ୍ତାହରେ ସୁନା ଏବଂ ରୂପା ମୂଲ୍ୟ ବୃଦ୍ଧି ପାଇଛି। ସୁନା ପ୍ରତି ୧୦ ଗ୍ରାମ ପିଛା ୨,୩୪୦ ଟଙ୍କା ବୃଦ୍ଧି ପାଇଥିବା ବେଳେ ରୁପା ବଢ଼ିଛି ୮,୨୫୮ ଟଙ୍କା। ଶନିବାର ସୁଧା ୨୪ କ୍ୟାରେଟ ୧୦ ଗ୍ରାମ ସୁନା ଦାମ୍ ୧,୩୭,୧୨୨ ଟଙ୍କାରେ ରହିଛି। ସେହିପରି ରୁପା କେଜି ପିଛା ୨,୪୨,୮୦୮ ରହିଛି।

୨୦୨୫ ମସିହାରେ ସୁନା ୭୫% ଏବଂ ରୁପା ୧୬୭% ମହଙ୍ଗା ହୋଇଥିଲା

• ଗତ ବର୍ଷ ଅର୍ଥାତ୍ ୨୦୨୫ ମସିହାରେ ସୁନାର ମୂଲ୍ୟ ୫୭,୦୩୩ ଟଙ୍କା (୭୫%) ବୃଦ୍ଧି ପାଇଥିଲା। କାରଣ ୩୧ ଡିସେମ୍ବର ୨୦୨୪ ରେ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୭୬,୧୬୨ ଟଙ୍କା ଥିଲା, ଯାହା ୨୦୨୫ ଡିସେମ୍ବର ୩୧ ତାରିଖ ବେଳକୁ ବୃଦ୍ଧି ପାଇ ୧,୩୩,୧୯୫ ଟଙ୍କା ହୋଇଯାଇଥିଲା।
• ସୁନା ଠାରୁ ରୁପା ଦର ହୁ ହୁ ହୋଇ ବଢ଼ିଛି। ଉପରୋକ୍ତ ଅବଧି ମଧ୍ୟରେ ରୁପା ମୂଲ୍ୟ ମଧ୍ୟ ୧,୪୪,୪୦୩ ଟଙ୍କା (୧୬୭%) ବୃଦ୍ଧି ପାଇଛି। ୩୧ ଡିସେମ୍ବର ୨୦୨୪ ରୁପା କେଜି ମୂଲ୍ୟ ୮୬,୦୧୭ ଟଙ୍କା ଥିଲା, ଯାହା ୨୦୨୫ ଶେଷ ଦିନରେ କେଜି ୨,୩୦,୪୨୦ ଟଙ୍କାକୁ ବୃଦ୍ଧି ପାଇଥିଲା।

ସୁନା ଦର ବୃଦ୍ଧିର ୩ ପ୍ରମୁଖ କାରଣ

୧. ଦୁର୍ବଳ ଡଲାର – ଆମେରିକାର ସୁଧ ହାର ହ୍ରାସ କରିବାରୁ ଡଲାର ଦୁର୍ବଳ ହୋଇଥିଲା। ଫଳରେ ସୁନାର ହୋଲ୍ଡିଂ କଷ୍ଟ କମିଯାଇଥିଲା। ଫଳରେ ଲୋକେ ଅଧିକମାତ୍ରାରେ ସୁନା କିଣିଛନ୍ତି। ଡିମାଣ୍ଡ ସପ୍ଲାଏ ଯୋଗୁ ଦର ବଢ଼ିଛି।
୨. ଭୂରାଜନୈତିକ – ରୁଷ-ୟୁକ୍ରେନ ଯୁଦ୍ଧ ଏବଂ ବିଶ୍ୱରେ ବଢ଼ୁଥିବା ଉତ୍ତେଜନା ଯୋଗୁ, ନିବେଶକମାନେ ସୁନା କିଣୁଛନ୍ତି, ଏହାକୁ ସବୁଠାରୁ ସୁରକ୍ଷିତ ନିବେଶ ବୋଲି ବିବେଚନା କରୁଛନ୍ତି।
୩. ରିଜର୍ଭ ବ୍ୟାଙ୍କ – ଚୀନ୍ ଭଳି ଦେଶଗୁଡ଼ିକ ସେମାନଙ୍କର ରିଜର୍ଭ ବ୍ୟାଙ୍କଗୁଡ଼ିକୁ ସୁନାରେ ମହଜୁଦ କରୁଛନ୍ତି, ବାର୍ଷିକ ୯୦୦ ଟନ୍ ରୁ ଅଧିକ କିଣୁଛନ୍ତି, ଯାହା କାରଣରୁ ମୂଲ୍ୟ ବୃଦ୍ଧି ପାଉଛି।

ରୁପା ମୂଲ୍ୟ ବୃଦ୍ଧିର ୩ ପ୍ରମୁଖ କାରଣ-

୧. ଶିଳ୍ପ ଚାହିଦା - ସୌରଶକ୍ତି, ଇଲେକ୍ଟ୍ରୋନିକ୍ସ ଏବଂ ଇଭିରେ ବହୁଳ ଭାବରେ ବ୍ୟବହୃତ ହେଉଥିବା ରୁପା ଆଉ କେବଳ ଏକ ଅଳଙ୍କାର ସାମଗ୍ରୀ ହୋଇ ରହି ନାହିଁ, ବରଂ ଏକ ଗୁରୁତ୍ୱପୂର୍ଣ୍ଣ କଞ୍ଚାମାଲରେ ପରିଣତ ହୋଇଛି। ତେଣୁ ଯେଉଁ ଧରଣର ଡିମାଣ୍ଡ ବଢୁଛି, ସେହି ଅନୁସାରେ ଯୋଗାଣ କମୁଥିବାରୁ ରୁପାର ଦର ରାତିରେ ହାତିଏ ବଢୁଛି।୨. ଟ୍ରମ୍ପଙ୍କ ଟାରିଫ୍ ଭୟ - ଆମେରିକୀୟ କମ୍ପାନୀଗୁଡ଼ିକ ରୁପାର ବିପୁଳ ପରିମାଣର ଷ୍ଟକ୍ ସଂଗ୍ରହ କରୁଛନ୍ତି। ବିଶ୍ୱ ଯୋଗାଣରେ ଅଭାବ ହେତୁ ମୂଲ୍ୟ ବୃଦ୍ଧି ପାଉଛି।୩. କିଣିବା ଦୌଡ଼ରେ ନିର୍ମାତା - ଉତ୍ପାଦନ ବନ୍ଦ ହେବାର ଭୟରେ, ସମସ୍ତେ ଆଗୁଆ ରୁପା କିଣୁଛନ୍ତି, ତେଣୁ ନିଅଣ୍ଟିଆ ପରିସ୍ଥିତ ସୃଷ୍ଟି ହେଉଛି। ଆଗକୁ ମଧ୍ୟ ସମାନ ସ୍ଥିତି ରହିବ। ତେଣୁ ଦର ବୃଦ୍ଧି ନିଶ୍ଚିତ ହେବ।