ଶାସନ ପରିବର୍ତ୍ତନ ଲାଗି ରାସ୍ତାକୁ ଓହ୍ଲାନ୍ତୁ, ଏକତ୍ରିତ ହୁଅନ୍ତୁ: ଇରାନ ନାଗରିକଙ୍କୁ ଅପିଲ୍ କଲେ ନେତାନ୍ୟାହୁ

NEWS7
puri-administrator-pradipta-mohapatra-reaction-on-puri-issue

ନୂଆଦିଲ୍ଲୀ: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଇରାନ ନାଗରିକମାନଙ୍କୁ ଦେଶର ନେତୃତ୍ୱ ବିରୁଦ୍ଧରେ ସ୍ବର ଉଠାଇବାକୁ ସିଧାସଳଖ ଅପିଲ୍ କରିଛନ୍ତି । ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲ ମିଳିତ ସାମରିକ ଆକ୍ରମଣ ପରେ ‘ବର୍ତ୍ତମାନର ଶାସନ’କୁ ପରିବର୍ତ୍ତନ କରିବାକୁ ଗଣ ପ୍ରତିବାଦ ପାଇଁ ଆହ୍ୱାନ ଦେଇଛନ୍ତି ନେତାନ୍ୟାହୁ । ଏହା ପୂର୍ବରୁ ଇସ୍ରାଏଲ-ଆମେରିକା ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଆୟତୁଲ୍ଲା ଅଲି ଖାମେନିଙ୍କ ମୃତ୍ୟୁ ହୋଇସାରିଛି । ଆକ୍ରମଣ ପରେ ଜାରି ହୋଇଥିବା ଏକ ଭିଡିଓ ବାର୍ତ୍ତାରେ ନେତାନ୍ୟାହୁ କହିଛନ୍ତି ଯେ, ଇସ୍ରାଏଲର ସାମରିକ ଅଭିଯାନ ଇରାନର ଶାସକ ପ୍ରତିଷ୍ଠାନକୁ ଦୁର୍ବଳ କରିବ ।

ସେ କହିଛନ୍ତି, ‘ଆଗାମୀ ଦିନରେ ଆମେ ହଜାର ହଜାର ଲକ୍ଷ୍ୟସ୍ଥଳରେ ଆକ୍ରମଣ କରିବୁ। ଆମେ ଇରାନର ସାହସୀ ଲୋକଙ୍କ ପାଇଁ ସ୍ୱେଚ୍ଛାଚାରର ଶୃଙ୍ଖଳରୁ ନିଜକୁ ମୁକ୍ତ କରିବା ପାଇଁ ପରିସ୍ଥିତି ସୃଷ୍ଟି କରିବୁ। ଏଥିପାଇଁ ମୁଁ ପୁଣି ଥରେ ଆପଣଙ୍କୁ ସମ୍ବୋଧିତ କରୁଛି ।’ ଇରାନ ନାଗରିକମାନଙ୍କୁ ସିଧାସଳଖ ସମ୍ବୋଧିତ କରି ନେତାନ୍ୟାହୁ ବର୍ତ୍ତମାନ ସମୟକୁ ଏକ ବିରଳ ଐତିହାସିକ ସୁଯୋଗ ଭାବରେ ବର୍ଣ୍ଣନା କରିଛନ୍ତି । ଏପରିକି ସେ ନାଗରିକମାନଙ୍କୁ ନିଷ୍କ୍ରିୟ ନ ରହିବାକୁ ଅନୁରୋଧ କରିଛନ୍ତି ।

ସେ କହିଛନ୍ତି ଯେ, ‘ହେ ଇରାନର ନାଗରିକମାନେ, ଏହି ସୁଯୋଗକୁ ହାତଛଡ଼ା ହେବାକୁ ଦିଅ ନାହିଁ। ଏହା ଏକ ସୁଯୋଗ । ଯାହା କେବଳ ଥରେ ଆସିଥାଏ। ଚୁପ୍ ରୁହ ନାହିଁ । କାରଣ ତୁମାମାନଙ୍କ ସମୟ ଶୀଘ୍ର ଆସିବ ।’ ଲକ୍ଷ ଲକ୍ଷ ଲୋକଙ୍କ ସହିତ ରାସ୍ତାକୁ ଓହ୍ଲାଇବାକୁ ଏବଂ ଶାସନ ବ୍ୟବସ୍ଥାର ପତନ ଘଟାଇବାକୁ ଆହ୍ବାନ ଦେଇଛନ୍ତି ନେତାନ୍ୟାହୁ । ନିଜର ଭାଷଣରେ ନେତାନ୍ୟାହୁ, ପାର୍ସୀ, କୁର୍ଦ୍ଦ, ଆଜେରି, ଆହୱାଜି ଏବଂ ବାଲୁଚି ସମେତ ଅନେକ ଜାତିଗତ ସମ୍ପ୍ରଦାୟକୁ ସମ୍ବୋଧିତ କରିଛନ୍ତି । ଇରାନର ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ଏକ ସାମୂହିକ ପ୍ରୟାସ ବୋଲି କହି ସେମାନଙ୍କୁ ଏଥିରେ ଯୋଗଦେବାକୁ ଅନୁରୋଧ କରିଛନ୍ତି ।

ନେତାନ୍ୟାହୁ ଆହ୍ବାନ କରିଛନ୍ତି ଯେ, ‘ଆପଣଙ୍କୁ ରାସ୍ତାକୁ ଓହ୍ଲାଇବାକୁ ପଡିବ । ଲକ୍ଷ ଲକ୍ଷ ଲୋକଙ୍କ ସହ ରାସ୍ତାକୁ ଆସି କାମ ସମାପ୍ତ କରିବାକୁ ପଡିବ । ଆପଣଙ୍କ ଜୀବନକୁ ଖରାପ କରିଥିବା ଆତଙ୍କବାଦର ଶାସନକୁ ନିପାତ କରିବାକୁ ହେବ । ଆପଣଙ୍କ କଷ୍ଟ ଏବଂ ବଳିଦାନ ବ୍ୟର୍ଥ ଯିବ ନାହିଁ। ଆପଣ ଯେଉଁ ସାହାଯ୍ୟ ପାଇଁ ଆଶା କରିଥିଲେ ତାହା ଏବେ ଆସିଯାଇଛି। ସାହାଯ୍ୟ ଆସିଯାଇଛି, ଏବଂ ଏବେ ଏକ ଐତିହାସିକ ମିଶନ ପାଇଁ ଏକତ୍ରିତ ହେବାର ସମୟ ଆସିଛି। ହେ ଇରାନର ନାଗରିକ, ପାର୍ସି, କୁର୍ଦ୍ଦ, ଆଜେରି, ଆହୱାଜି ଏବଂ ବାଲୁଚି - ବର୍ତ୍ତମାନ ଶାସନକୁ ନିପାତ କରିବା ଏବଂ ଆପଣଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ଆପଣଙ୍କ ଶକ୍ତିକୁ ଏକତ୍ରିତ କରିବାର ସମୟ ଆସିଛି ।’