ଗଞ୍ଜାମରେ ଚାଲିଛି ପକ୍ଷୀ ଗଣନା, ନିୟୋଜିତ ହୋଇଛନ୍ତି ବନ ବିଭାଗର ୯୮ ୟୁନିଟ୍

NEWS7
pulwama-attack-40-crpf-personal-killed-father-and-daughter-accused-arrested-nia

ଛତ୍ରପୁର: ଶୀତ ଦିନେ ଗଞ୍ଜାମ ଜିଲ୍ଲାର ଚିଲିକା ସମେତ ବହୁ ନଦୀ କୂଳିଆ ଅଞ୍ଚଳରେ ବିଦେଶୀ ପକ୍ଷୀଙ୍କ ସମାଗମ ଦେଖିବାକୁ ମିଳେ। ଏମିତିରେ ପ୍ରତିବର୍ଷ ଆସୁଥିବା ଏହି ପକ୍ଷୀଙ୍କ ଗଣନା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କରାଯାଇଥାଏ। ଏହି କ୍ରମରେ ଚଳିତ ବର୍ଷ ମଧ୍ୟ ଆରମ୍ଭ ହୋଇଛି ପକ୍ଷୀଗଣନା। ରବିବାର ସକାଳ ୬ଟାରୁ ପକ୍ଷୀଗଣନା ଚାଲିଛି।

ବିଶେଷ କରି ପୋତାଗଡ଼, ତାମ୍ପରା, ପାଲୁରୁ କେନାଲ, ଋଷିକୂଲ୍ୟା ନଦୀ, ବାଘଲଟି, ବାହୁଦା, ଘୋଡ଼ାହାଡ଼, ପଣ୍ଡା ସାଗର, ଗୋପାଳ ସାଗର, ମୁକୁନ୍ଦପୁର ସାଗର, କଲରାବାଡ଼ି ଠାରୁ ପ୍ରୟାଗୀ, ସାଳିଆ ଡ୍ୟାମ ଆଦି ଅଞ୍ଚଳରେ ପକ୍ଷୀ ଗଣନା କରାଯିବ। ବ୍ରହ୍ମପୁର ବନବିଭାଗ ଡିଭିଜନ ଅଧୀନରେ ମୋଟ ୪୯ଟି ୟୁନିଟ ଗଠନ କରାଯାଇଛି l ସାମନ୍ତରାପଲ୍ଲୀରେ ୮ଟି ୟୁନିଟ କରାଯାଇଥିବା ବେଳେ, ଖଲ୍ଲିକୋଟରେ ୧୫ଟି, ବ୍ରହ୍ମପୁରରେ ୧୩ଟି ଓ ଦିଗପହଣ୍ଡିରେ ୧୩ଟି ୟୁନିଟ କରାଯାଇଛି l ପ୍ରତି ୟୁନିଟରେ ୩ ଜଣ ଲେଖାଏଁ ରହିବେ l ସେମାନଙ୍କୁ ବାଇନାକୁଲର, ନୋଟ ପ୍ୟାଡ ଭଳି ଆବଶ୍ୟକୀୟ ଉପକରଣ ପ୍ରଦାନ କରାଯିବ । ଦିନ ୨ଟା ସୁଦ୍ଧା ପ୍ରତି ୟୁନିଟ ନିଜ ନିଜ ରିପୋର୍ଟ ଦାଖଲ କରିବେ l ଗତ ବର୍ଷ ୧୪୫ ପ୍ରଜାତିର ୨୨ ହଜାର ୭୭୭ ପକ୍ଷୀ ଆସିଥିବା ବେଳେ ଚଳିତ ବର୍ଷ ମଧ୍ୟ ଅନେକ ପ୍ରଜାତିର ପକ୍ଷୀ ଆସିବା ଲାଗି ବନ ବିଭାଗ ଆଶା ରଖିଛି ।

ତେବେ ପୂର୍ବ ବର୍ଷ ଭଳି ଏହାକୁ ନିର୍ଭୁଲ ଭାବେ କରିବା ପାଇଁ ଗଞ୍ଜାମ ପୁରୁଣା ବନ୍ଧ ଗଙ୍ଗା ଦେବୀ ନଦୀ କୂଳରେ ଥିବା ବନ ବିଭାଗ କାର୍ଯ୍ୟାଳୟରେ ଏକ ତାଲିମ ଶିବିର ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ପକ୍ଷୀ ଗଣନା କାର୍ଯ୍ୟ ସୂଚାରୁ ରୂପେ ସମ୍ପାଦନ କରାଯାଇପାରିବ ଏବଂ ନିର୍ଭୁଲ ରିପୋର୍ଟ ପ୍ରସ୍ତୁତ କରାଯାଇପାରିବ ସେନେଇ ବନ ବିଭାଗ କର୍ମଚାରୀଙ୍କୁ ଏନେଇ ତାଲିମ ପ୍ରଦାନ କରାଯାଇଛି।