Live Live
LIVE

ସବୁ ସୀମା ପାର୍ କରିଛନ୍ତି ମମତା ସରକାର, ରାଷ୍ଟ୍ରପତିଙ୍କ ସହ ଘଟିଥିବା ଘଟଣା ଲଜ୍ଜାଜନକ : ବର୍ଷିଲେ ପ୍ରଧାନମନ୍ତ୍ରୀ

NEWS7
protestor-committed-suicide-jharsuguda-collector

ନୂଆଦିଲ୍ଲୀ, ୦୮ /୦୩: ପଶ୍ଚିମବଙ୍ଗ ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କାର୍ଯ୍ୟକ୍ରମର ସ୍ଥଳ ପରିବର୍ତ୍ତନ ଏବଂ ପ୍ରୋଟୋକଲ୍ ଠିକ୍ ନଥିବାରୁ ରାଷ୍ଟ୍ରପତି ଅସନ୍ତୋଷ ଜାହିର କରିଛନ୍ତି । ତେବେ ମମତା ବାନାର୍ଜୀ ସରକାରଙ୍କ ଏପରି କାର୍ଯ୍ୟକୁ ସବୁଠି ନିନ୍ଦା କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଘଟଣାରେ ଟିଏମସି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ।

ମୋଦୀ କହିଛନ୍ତି ଯେ, ଏପରି ଘଟଣା ଲଜ୍ଜାଜନକ ଏବଂ ଆଗରୁ କେବେ ଘଟିନାହିଁ । ତୃଣମୂଳ ସରକାର ସାନ୍ତାଳି ପ୍ରଥା ଏବଂ ପରମ୍ପରାକୁ ଅତି ହାଲୁକା ଭାବେ ନେଉଛନ୍ତି । ରାଷ୍ଟ୍ରପତି ନିଜେ ଏହି ସମ୍ପ୍ରଦାୟରୁ ଆସିଛନ୍ତି । ତଥାପି ପଶ୍ଚିମବଙ୍ଗରେ ମମତା ସରକାର ମନଇଚ୍ଛା କାର୍ଯ୍ୟ କରୁଛନ୍ତି । ଯେଉଁମାନେ ଗଣତନ୍ତ୍ରରେ ବିଶ୍ୱାସ କରୁଛନ୍ତି ସେମାନଙ୍କୁ ପଶ୍ଚିମବଙ୍ଗରେ ରାଷ୍ଟ୍ରପତିଙ୍କ ସହ ଘଟିଥିବା ଘଟଣା ବ୍ୟଥିତ କରିଛି ।

ମୋଦୀ ଆହୁରି କହିଛନ୍ତି ଯେ, ପଶ୍ଚିମବଙ୍ଗରେ ଟିଏମସି ସରକାର ସମସ୍ତ ସୀମା ପାର୍ କରିଛି । ମମତାଙ୍କ ସରକାର ରାଷ୍ଟ୍ରପତିଙ୍କ ସହ ଘଟିଥିବା ଘଟଣା ପାଇଁ ଦାୟୀ । ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ସମସ୍ତ ରାଜନୀତିଠୁ ଉର୍ଦ୍ଧ୍ୱରେ ରହିଛି। ଏହାର ସମ୍ମାନ ରକ୍ଷା କରିବା ଜରୁରୀ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ,ପଶ୍ଚିମବଙ୍ଗର ମମତା ବାନାର୍ଜୀଙ୍କ ସରକାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅସମ୍ମାନ କରିଥିବା ଅଭିଯୋଗ ହୋଇଛି । ଖୋଦ ରାଷ୍ଟ୍ରପତି ମଧ୍ୟ ପଶ୍ଚିମବଙ୍ଗ ସରକାରଙ୍କ ବ୍ୟବହାରକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ହେବାକୁ ଥିବା ସ୍ଥାନକୁ ପରିବର୍ତ୍ତନ କରି ଦେଇଥିଲେ ପଶ୍ଚିମବଙ୍ଗ ସରକାର । କିନ୍ତୁ ରାଷ୍ଟ୍ରପତି ନିଜେ ପୂର୍ବରୁ ସ୍ଥିରୀକୃତ ସ୍ଥାନକୁ ଯିବା ପରେ, ରାଜ୍ୟ ସରକାର ଏବଂ ପ୍ରଶାସନର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ କରିଛନ୍ତି । ସ୍ଥାନ କମ୍ ଥିବା କହି କାର୍ଯ୍ୟକ୍ରମକୁ ସ୍ଥାନାନ୍ତର କରିଥିବା ପ୍ରଶାସନକୁ ଆଇନା ଦେଖାଇଛନ୍ତି ରାଷ୍ଟ୍ରପତି ।

ଯେଉଁ ସ୍ଥାନରେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ହେବାକୁ ଥିଲା, ସେଠାରେ ଅଧିକ ଲୋକଙ୍କ ପାଇଁ ଜାଗା କମ୍ ପଡ଼ିବ ବୋଲି କହି ଶେଷ ମୁହୂର୍ତ୍ତରେ ସ୍ଥାନ ପରିବର୍ତ୍ତନ କରାଯାଇଥିଲା । କିନ୍ତୁ ରାଷ୍ଟ୍ରପତି ନିଜେ ସେହି ସ୍ଥାନକୁ ଯାଇ ଦେଖିଥିଲେ ଯେ, ସେଭଳି କିଛି ଅସୁବିଧା ନାହିଁ। ସେଠାରେ ଲକ୍ଷାଧିକ ଲୋକ ଆରାମରେ ଏକାଠି ହୋଇପାରିବେ । ସେହି ସ୍ଥାନରୁ ହିଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଟିଏମସି ସରକାରଙ୍କ ଉପରେ ବର୍ଷିଛନ୍ତି ।