T 20 World Cup: ହାଇସ୍କୋରିଂ ମ୍ୟାଚରେ ବାଜି ମାରିଲା ଭାରତ, ଶେଷ ପର୍ଯ୍ୟନ୍ତ ଲଢି ହାରିଲା ଇଂଲଣ୍ଡ, ଫାଇନାଲରେ ନ୍ୟୁଜିଲାଣ୍ଡ ସହ ଟକ୍କର

NEWS7
property-declaration-of-rajnath-singh-in-his-nomination-affidavit

ମୁମ୍ବାଇ: ସଂଘର୍ଷପୂର୍ଣ୍ଣ, ହୃଦସ୍ପନ୍ଦନ ବଢାଇ ଦେଉଥିବା ମ୍ୟାଚରେ ବାଜି ମାରି ନେଲା ଭାରତ। ସଂଘର୍ଷପୂର୍ଣ୍ଣ ଦ୍ଵିତୀୟ ସେମି ଫାଇନାଲ୍ ମ୍ୟାଚରେ ଭାରତ ଇଂଲଣ୍ଡକୁ ୭ ରନରେ ହରାଇଛି। ଶେଷ ପର୍ଯ୍ୟନ୍ତ ଲଢି ହାରିଛି ଇଂଲଣ୍ଡ। ବିଜୟ ସହ ସୂର୍ଯ୍ୟବାହିନୀ ଟି-୨୦ ବିଶ୍ଵକପ୍ ୨୦୨୬ର ଫାଇନାଲରେ ପ୍ରବେଶ କରିଛି। ମାର୍ଚ୍ଚ ୮ରେ ଟାଇଟଲ୍ ମୁକାବିଲାରେ ନ୍ୟୁଜିଲାଣ୍ଡକୁ ଭେଟିବ ଭାରତ। ଅନ୍ୟପଟେ ଜାକବ ବେଥେଲଙ୍କ ବିଧ୍ଵଂସୀ ଶତକୀୟ ଇନିଂସ ବୃଥା ହୋଇଛି। ବେଥେଲ ୧୦୫ ରନ କରିଥିଲେ ହେଁ ଭାରତ ମ୍ୟାଚକୁ ଜିତି ନେଇଛି। ଭାରତ ଦ୍ଵାରା ଧାର୍ଯ୍ୟ ୨୫୪ ରନର ବିଶାଳ ଲକ୍ଷ୍ୟକୁ ପିଛା କରି ଇଂଲଣ୍ଡ ଲଢୁଆ ପ୍ରଦର୍ଶନ କରି ୭ ଓ୍ଵିକେଟ୍ ହରାଇ ୨୪୬ ରନ କରି ପାରିଛି। ପ୍ରଥମେ ବ୍ୟାଟିଂ କରି ଭାରତ ସଞ୍ଜୁ ସାମସନଙ୍କ ୮୯ ରନ ସହ ଶିବମ ଦୁବେଙ୍କ ୪୩ ରନ, ଇଶାନ କିଶନଙ୍କ ୩୯ ରନ ବଳରେ ୭ ଓ୍ଵିକେଟ୍ ହରାଇ ୨୫୩ ରନ କରିଥିଲେ। ଆଜିର ସେମି ବିଜୟ ସହ ଭାରତ କ୍ରମାଗତ ଦ୍ଵିତୀୟ ଥର ଫାଇନାଲରେ ପହଞ୍ଚିଛି। ଏହା ପୂର୍ବରୁ ୨୦୨୪ ଟି-୨୦ ବିଶ୍ଵକପ୍ ଫାଇନାଲ୍ ଖେଳିଥିଲା ଭାରତ। 

ଟମ ବାଣ୍ଟନ ୫ ବଲରୁ ୧୭ ରନ କରି ଆଉଟ୍ ହୋଇଥିଲେ। ତେବେ ଜାକବ ବେଥେଲଙ୍କ ବ୍ୟାଟ୍ ଅଟକି ନ ଥିଲା। ସେ ଓ୍ଵିଲ ଜ୍ୟାକ୍ସଙ୍କ ସହ ମିଶି ପଞ୍ଚମ ଓ୍ଵିକେଟ୍ ପାଇଁ ୭୭ ରନ ଯୋଡ଼ିଥିଲେ। ମ୍ୟାଚ୍ ପୂରା ସଂଘର୍ଷପୂର୍ଣ୍ଣ ରୂପ ନେଇ ଥିଲା। ପ୍ରତିଟି ବଲରେ ଦୁଇ ଦଳ ମଧ୍ୟରେ ତୀବ୍ର ପ୍ରତିଦ୍ଵନ୍ଦ୍ଵିତା ଦେଖିବାକୁ ମିଳିଥିଲା। ସାମ କରନଙ୍କ ସହ ମିଶି ଜାକବ ବେଥେଲ ଇଂଲଣ୍ଡକୁ ବିଜୟ ଆଡ଼କୁ ଅଗ୍ରସର କରାଇଥିଲେ। ମ୍ୟାଚ୍ ଆଗକୁ ଗତି କରିବା ସହ ମ୍ୟାଚ୍ ସଂଘର୍ଷପୂର୍ଣ୍ଣ ହୋଇଥିଲା।

Also read: ଫିନ୍ ଆଲେନଙ୍କ ରେକର୍ଡ ବର୍ଷା : ଇଡେନ ଗାର୍ଡେନରେ ଲେଖିଲେ ନୂଆ ଇତିହାସ

ବେଥେଲ ଶତକ ହାସଲ କରି ଇଂଲଣ୍ଡର ବିଜୟ ଆଶା ଉଜ୍ଜୀବିତ ରଖିଥିଲେ। ତେବେ ବୁମରା ଓ ହାର୍ଦ୍ଦିକ ନିଜର ଶେଷ ଓଭରରେ ଶାଣିତ ବୋଲିଂ କରି ଭାରତକୁ ବିଜୟୀ କରାଇଛନ୍ତି। ବେଥେଲ ୪୮ ବଲରୁ ୮ ଚୌକା ଓ ୭ ଛକା ସହ ୧୦୫ ରନର ସ୍ମରଣୀୟ ଇନିଂସ ଖେଳିଥିଲେ। ଜୋଫ୍ରା ଆର୍ଚର ୪ ବଲରୁ ୧୯ ରନ କରିଥିଲେ। ଶେଷରେ ଇଂଲଣ୍ଡ ୭ ଓ୍ଵିକେଟ୍ ହରାଇ ୨୪୬ ରନ କରି ପାରିଥିଲା। ଆଉ ଭାରତ ଅତି ସଂଘର୍ଷପୂର୍ଣ୍ଣ ମ୍ୟାଚକୁ ୭ ରନରେ ଜିତି ନେଇଛି। ବୋଲିଂରେ ଭାରତ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ଓ୍ଵିକେଟ୍ ଏବଂ ଯଶପ୍ରୀତ ବୁମରା ଗୋଟିଏ ଓ୍ଵିକେଟ୍ ନେଇଥିଲେ। ଦୁଇ ବୋଲର ଠିକଣା ସମୟରେ ଘାତକ ବୋଲିଂ କରି ଭାରତ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। 

ଭାରତ ଇନିଂସ​​​​​​​

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିଲା ଭାରତ। ପ୍ରତିଥର ପରି ସେମି ଫାଇନାଲରେ ମଧ୍ୟ ଭାରତର ଆରମ୍ଭ ନିରାଶଜନକ ଥିଲା। ଅଭିଷେକ ଶର୍ମା ନିଜର  ଖରାପ ଫର୍ମ ବଜାୟ ରଖି ୯ ରନ କରି ଆଉଟ୍ ହୋଇଥିଲେ। ହେଲେ ଏହା ପରେ ପଡ଼ିଆରେ ଆରମ୍ଭ ହୋଇଥିଲା ଚୌକା ଓ ଛକା ବର୍ଷା। ସଞ୍ଜୁ ସାମସନ ଓ ଇଶାନ କିଶନ ଇଂଲଣ୍ଡ ବୋଲରଙ୍କୁ ପ୍ରହାର କରିଥିଲେ। ଦୁହେଁ ଧୂଆଁଧାର ବ୍ୟାଟିଂ କରି ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୯୭ ରନ ଯୋଡ଼ି ଭାରତ ପାଇଁ ବିଶାଳ ସ୍କୋରର ମୂଳଦୁଆ ପକାଇଥିଲେ। ଇଶାନ ମାତ୍ର ୧୮ ବଲରୁ ୪ ଚୌକା ଓ ୨ ଛକା ସହ ୩୯ ରନ କରିଥିଲେ। ଏହା ପରେ ସଞ୍ଜୁ କ୍ରମାଗତ ଦ୍ଵିତୀୟ ଅର୍ଦ୍ଧଶତକ ହାସଲ କରିଥିଲେ। ସଞ୍ଜୁ ଓ ଶିବମ ଦୁବେ ୪୩ ରନ ଯୋଡ଼ିଥିଲେ। ସଞ୍ଜୁ ୪୨ ବଲରୁ ୮ ଚୌକା ଓ ୭ ଛକା ସହ ୮୯ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଥିଲେ।

ଏହା ପରେ ଶିବମ ଦୁବେ ମୋର୍ଚ୍ଚା ସମ୍ଭାଳିଥିଲେ। ସେ ଇଂରେଜ ବୋଲରଙ୍କୁ ପ୍ରହାର କରି ଦଳର ରନଗତିକୁ ବଜାୟ ରଖିଥିଲେ। ଅଧିନାୟକ ସୂର୍ଯ୍ୟକୁମାର ଯାଦବ(୧୧ ରନ) ନିରାଶ କରିଥିଲେ । ତେବେ ଶେଷ ଆଡ଼କୁ ଶିବମ ଦୁବେ ଦୁର୍ଭାଗ୍ୟବଶତଃ ରନ ଆଉଟ୍ ହୋଇଥିଲେ। ସେ ୨୫ ବଲରୁ ୧ ଚୌକା ଓ ୪ ଛକା ସହ ୪୩ ରନର ବିସ୍ଫୋରକ ଇନିଂସ ଖେଳିଥିଲେ। ଶେଷ ଓଭର ଗୁଡ଼ିକରେ କାମ କରିଥିଲେ ହାର୍ଦ୍ଦିକ ଓ ତିଳକ। ତିଳକ ବର୍ମା ଧୂଆଁଧାର ବ୍ୟାଟିଂ କରି ମାତ୍ର ୭ ବଲରୁ ୨୧ ରନ କରିଥିଲେ। ହାର୍ଦ୍ଦିକ ୧୨ ବଲରୁ ୨୭ ରନ କରିଥିଲେ। ଫଳରେ ଭାରତ ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ୍ ହରାଇ ୨୫୩ ରନର ପାହାଡ଼ ଛିଡ଼ା କରିଛି।  ନକଆଉଟ୍ ମ୍ୟାଚରେ ଏହା କୌଣସି ଦଳ ଦ୍ଵାରା ସର୍ବୋଚ୍ଚ ସ୍କୋର।