LIVE TV
LIVE TV

ଆଧାର ନୁହେଁ ଜନ୍ମ ତାରିଖର ପ୍ରମାଣ, ପ୍ରାମାଣିକ କାଗଜପତ୍ର ରୂପେ ହେବ ନାହିଁ ସ୍ୱୀକାର

NEWS7
professional-stuntman-asks-girlfriend-marry-whilst-fire

ଲକ୍ଷ୍ନୌ ୨୭।୧୧: ଆଧାରକୁ ଜନ୍ମ ତାରିଖର ପ୍ରମାଣ ରୂପେ ଗ୍ରହଣ କରାଯାଇ ପାରିବ ନାହିଁ। ଏଣୁ ଆଧାର କାର୍ଡରେ ଲେଖାଯାଇଥିବା ଜନ୍ମ ତାରିଖ ଅନୁସାରେ ଏହାକୁ ପ୍ରାମାଣିକ ଡକ୍ୟୁମେଣ୍ଟ ଭାବେ ଗ୍ରହଣ କରାଯାଇ ପାରିବ ନାହିଁ। ଅର୍ଥାତ ଆଧାର କାର୍ଡ ଜନ୍ମ ତାରିଖ ପ୍ରମାଣ କରୁଥିବା ଦସ୍ତାବେଜ ଭାବେ ଉପଯୋଗ ହୋଇ ପାରିବନି। ଉତ୍ତରପ୍ରଦେଶ ଯୋଗୀ ଆଦିତ୍ୟନାଥ ସରକାରଙ୍କ ଶ୍ରମ ଓ ନିୟୋଜନ ବିଭାଗ ଏ ନେଇ ସବୁ ବିଭାଗଙ୍କ ମୁଖ୍ୟ ସଚିବ ଓ ଅପର ମୁଖ୍ୟ ସଚିବଙ୍କୁ ଏ ନେଇ କାର୍ଯ୍ୟକାରୀ ଆଦେଶ ଜାରି କରିଛି।

ଭାରତୀୟ ଅନନ୍ୟ ପରିଚୟ ପ୍ରାଧିକରଣ (ୟୁଆଇଡିଏଆଇ) ଗତ ଅକ୍ଟୋବର ୩୧ ତାରିଖରେ ଜାରି ଏକ ପତ୍ରରେ ଏହା ସ୍ପଷ୍ଟ କରି ଦେଇଥିଲେ। ଏଥିରେ ସ୍ପଷ୍ଟ କରାଯାଇଥିଲା ଯେ ଆଧାର କୌଣସି ବ୍ୟକ୍ତିଙ୍କ ଜନ୍ମ ତିଥିର ମାନ୍ୟପ୍ରମାଣ ନୁହେଁ। ଏହି ପତ୍ରର ଉଦାହରଣ ଦେଇ ନିୟୋଜନ ବିଭାଗ ଗୁରୁବାର ଏହି ଆଦେଶ ଜାରି କରିଛି। ବିଭାଗର ସ୍ୱତନ୍ତ୍ର ସଚିବ ଅମିତ ସିଂହ ୟୁଆଇଡିଏଆଇଙ୍କ ପତ୍ର ଆସିବା ପରେ ମଧ୍ୟ ରାଜ୍ୟ ସରକାରଙ୍କ କେତେକ ବିଭାଗରେ ଆଧାରକୁ ଜନ୍ମତିଥିର ପ୍ରମାଣ ରୂପେ ଗ୍ରହଣ କରାଯାଉଥିବାର କହିଛନ୍ତି। ଏଣୁ ଆଗକୁ ଜନ୍ମ ତାରିଖ ଭାବେ ଆଧାର ଡକ୍ୟୁମେଣ୍ଟ ଆକାରରେ ଗ୍ରହଣୀୟ ହେବ ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି।

ସେହିପରି ଉତ୍ତରପ୍ରଦେଶ ସରକାର ଆଧାର ଦୃଷ୍ଟିରୁ ଆଉ ଏକ ନିଷ୍ପତ୍ତି ମଧ୍ୟ ନେଇଛନ୍ତି। ଏବେ ଗ୍ରାମପଞ୍ଚାୟତ ସଚିବାଳୟରେ ଆଧାର କେନ୍ଦ୍ର ସ୍ଥାପନା ହେବ। ଗ୍ରାମାଞ୍ଚଳର ଲୋକେ ସେହିଠାରେ ନିଜର ଓ ନିଜ ପରିବାର ଲୋକଙ୍କ ଆଧାରକାର୍ଡ ପ୍ରସ୍ତୁତ କରିପାରିବେ। ଏହି ନିଷ୍ପତ୍ତି ଅନୁସାରେ ମୈନପୁରୀର ମୋଟ ୯ଟି ବ୍ଲକରେ ୫୦ଟି ଆଧାର କାର୍ଡ କେନ୍ଦ୍ର ସ୍ଥାପନା କରାଯିବ। ଏହି ସବୁ ସେଣ୍ଟରମାନଙ୍କରେ ଆଗରୁ ଗ୍ରାମବାସୀଙ୍କ ବିଭିନ୍ନ କାମ ହେଉଥିଲା। ଏହି କମନ ସର୍ଭିସ ସେଣ୍ଟରମାନଙ୍କରେ ଆଗକୁ ଆଧାରକାର୍ଡ ପ୍ରସ୍ତୁତ ହେବ।