ଭାରତ ପାଇଁ 'କର ବା ମର' ମୁକାବିଲା, ଇଣ୍ଡିଜଠୁ ହାରିଲେ ଅଧୁରା ରହିବ ଟି-20 ବିଶ୍ୱକପ୍ ଚାମ୍ପିଅନ୍ ସ୍ୱପ୍ନ

NEWS7
priyanka-chopra-wants-to-be-mother-of-11-child

କୋଲକାତା, ୦୧ /୦୩: ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପରେ ରବିବାର ଭାରତ ଓ ୱେଷ୍ଟ ଇଣ୍ଡିଜ ପରସ୍ପରକୁ ଭେଟିବେ । ବିଜୟୀ ଦଳ ସେମି ଫାଇନାଲକୁ ଯୋଗ୍ୟତା ଅର୍ଜନ କରିବ । ତେଣୁ ଏହା ଏକ ଅଘୋଷିତ କ୍ୱାର୍ଟର ଫାଇନାଲ୍ ମୁକାବିଲା କହିଲେ ଭୁଲ ହେବ ନାହିଁ । ଐତିହାସିକ ଇଡେନ ଗାର୍ଡେନ୍ସ ଆଜି କୌଣସି ଏକ ଦଳର ଭାଗ୍ୟ ନିର୍ଦ୍ଧାରଣ କରିବ । ଡିଫେଣ୍ଡିଂ ଚାମ୍ପିଅନ୍ ଭାରତ ଘରୋଇ ସମର୍ଥକଙ୍କ ଗହଣରେ ଖେଳୁଥିଲେ ହେଁ ବିଜୟ ଦାବିଦାର କହିବା ଭୁଲ ହେବ । ଶକ୍ତି ଓ ପ୍ରଦର୍ଶନ ଦୃଷ୍ଟିରୁ ଉଭୟ ସମାନ । ପୂର୍ବ ରେକର୍ଡ ଏଠାରେ କୌଣସି ଗୁରୁତ୍ୱ ରଖିବ ନାହିଁ । ତେଣୁ ମ୍ୟାଚ୍ ରୋମାଞ୍ଚର ଶିଖର ଛୁଇଁବ ।

ଏହି ମ୍ୟାଚକୁ ନେଇ ପୂର୍ବାନୁମାନ କରିବା ଅସମ୍ଭବ । ୱେଷ୍ଟ ଇଣ୍ଡିଜ ଲିଗ୍ ରାଉଣ୍ଡରେ ଦମ୍ଦାର ପ୍ରଦର୍ଶନ କରିଥିଲା । ଭାରତ ମଧ୍ୟ ସମସ୍ତ ମ୍ୟାଚ୍ ଜିତିଥିଲା । ମାତ୍ର ୟୁଏସଏ ଓ ନେଦରଲାଣ୍ଡସ ଭଳି ଦଳ ବିପକ୍ଷରେ ସଂଘର୍ଷ କରିଥିବା ଦେଖିବାକୁ ମିଳିଥିଲା । ବିଳମ୍ବରେ ହେଉ ପଛେ ଭାରତ ଲୟକୁ ଫେରିଛି ଓ ୱେଷ୍ଟ ଇଣ୍ଡିଜକୁ ହରାଇବା ପାଇଁ ଶ୍ରେଷ୍ଠ ଏକାଦଶ ପ୍ରସ୍ତୁତ କରିଛି । ଜିମ୍ବାୱେ ବିପକ୍ଷରେ ଖେଳିଥିବା ଏକାଦଶରେ ଭାରତ ପରିବର୍ତ୍ତନ କରିବା ସମ୍ଭାବନା ନାହିଁ । ମାତ୍ର ଇଡେନ ଗାର୍ଡେନ୍ସ ପିଚକୁ ଦେଖି କୁଲଦୀପ ଯାଦବଙ୍କୁ ଡକାଇବା ଚତୁର ରଣନୀତି ସାବ୍ୟସ୍ତ ହୋଇପାରେ ।

ସେହିପରି ୱେଷ୍ଟ ଇଣ୍ଡିଜ ଏକାଦଶରେ ପରିବର୍ତ୍ତନ ସମ୍ଭାବନା ନାହିଁ । ଦଳରେ ଏକାଧିକ ଦୁର୍ଦ୍ଧର୍ଷ ବ୍ୟାଟର ଓ ଅଲରାଉଣ୍ଡର ରହିଛନ୍ତି । ତେଣୁ ଭାରତର ବିଶାଳ ବିଜୟ ଲକ୍ଷ୍ୟକୁ ସହଜରେ ହାସଲ କରିବାର କ୍ଷମତା ମଧ୍ୟ ଇଣ୍ଡିଜ ଦଳ ନିକଟରେ ରହିଛି । ଡାହାଣହାତୀ ଅଫ ସ୍ପିନରଙ୍କ ବିପକ୍ଷରେ ଭାରତୀୟ ଟପ ଅର୍ଡର ବାମ ହାତି ବ୍ୟାଟରଙ୍କ ସଂଘର୍ଷ ସମ୍ପ୍ରତି ବିଶ୍ୱକପ୍ର ସବୁଠୁ ଚର୍ଚ୍ଚାର ବିଷୟ ରହିଛି । ତେଣୁ ଅଭିଷେକ ଶର୍ମା, ଇଶାନ କିଷନ, ତିଳକ ବର୍ମା ଆଦି ବ୍ୟାଟର ଓ ୱେଷ୍ଟ ଇଣ୍ଡିଜର ସ୍ପିନର ରଷ୍ଟନ ଚେଜଙ୍କ ମଧ୍ୟରେ ଏକ ଜୋରଦାର ଲଢ଼େଇ ଦେଖିବାକୁ ମିଳିବ ।

ମ୍ୟାଚ ପାଇଁ ପ୍ରସ୍ତୁତ କରାଯାଇଥିବା ପିଚ୍ ଶୁଷ୍କ ରହିଥିବା ସାମ୍ବାଦିକ ସମ୍ମିଳନୀରେ ୱେଷ୍ଟ ଇଣ୍ଡିଜ କୋଚ୍ ଡାରେନ ସାମି ପ୍ରକାଶ କରିଛନ୍ତି । ତେଣୁ ସ୍ପିନରମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ । ରାତ୍ରିରେ ମ୍ୟାଚ ରହିଥିବାରୁ ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।

ସମ୍ଭାବ୍ୟ ଏକାଦଶ ଭାରତ: ଅଭିଷେକ ଶର୍ମା, ସଞ୍ଜୁ ସାମସନ, ଇଶାନ କିଷନ, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ତିଳକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଅକ୍ଷର ପଟେଲ, ଯଶପ୍ରୀତ ବୁମରା, ଅର୍ଶଦୀପ ସିଂହ, ବରୁଣ ଚକ୍ରବର୍ତ୍ତୀ ।

ୱେଷ୍ଟ ଇଣ୍ଡିଜ: ବ୍ରାଣ୍ଡନ କିଙ୍ଗ, ସାଇ ହୋପ୍ (ଅଧିନାୟକ), ସିମରନ ହେତମାୟର, ରୋଭମାନ ପାୱେଲ୍, ରଷ୍ଟନ ଚେଜ, ସେରଫାନ ରସରଫୋର୍ଡ, ରୋମାରିଓ ସେଫର୍ଡ, ଜାସନ ହୋଲ୍ଡର, ମାଥ୍ୟୁ ଫୋର୍ଡ, ଗୁଦାକେଶ ମୋତି, ସମର ଯୋଶେଫ ।