ଓଡ଼ିଆ ଭାଷାରେ ଏକାଦଶ ଶ୍ରେଣୀ ବିଜ୍ଞାନ ରେଫରେନ୍ସ ବହି ଉନ୍ମୋଚିତ, ସବୁ ଜିଲ୍ଲା ସଦର ମହକୁମା ବହି ଦୋକାନରେ ଉପଲବ୍ଧ ହେବ

NEWS7
premika-maguchhi-nyaya

ଭୁବନେଶ୍ବର ୩୧।୧: ଓଡ଼ିଆ ଭାଷାରେ ପ୍ରସ୍ତୁତ ଏକାଦଶ ଶ୍ରେଣୀ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ପାଇଁ ସନ୍ଦର୍ଭ ପୁସ୍ତକ (Reference Book) ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉନ୍ମୋଚନ କରିଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗଣିତ, ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଓ ଜୀବ ବିଜ୍ଞାନ ପୁସ୍ତକ ଉନ୍ମୋଚିତ ହୋଇଛି ।

ସୂଚନାଯୋଗ୍ୟ ଯେ, ଓଡ଼ିଆ ଭାଷାରେ ଏହିଭଳି ବହି ଆଗରୁ ନଥିବାରୁ ରାଜ୍ୟ ସରକାର ପ୍ରତ୍ୟେକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ୧୦ ରୁ ୨୦ଟି ବହି ଯୋଗାଇ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଉଚ୍ଚ ଶିକ୍ଷା ବିଦ୍ୟାଳୟର ଗ୍ରନ୍ଥାଳୟରେ ଏହି ବହି ଉପଲବ୍ଧ ହେବ ଓ ପିଲାମାନେ ଏହାକୁ ପଢ଼ି ପାରିବେ । ଏହି ପୁସ୍ତକ ଗୁଡ଼ିକ ପ୍ରତ୍ୟେକ ଜିଲ୍ଲାର ସଦର ମହକୁମାରେ ବିଭିନ୍ନ ଦୋକାନରେ ଉପଲବ୍ଧ ହେବା ପାଇଁ ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ପ୍ରଚେଷ୍ଟା କରିବ । ଏହି ପୁସ୍ତକ ସମୁଦାୟ ୭୦୦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୧,୨୦, ୦୦୦ ଛାତ୍ରଛାତ୍ରୀଙ୍କ ପାଇଁ ଉପଲବ୍ଧ ହେବ ବୋଲି ସୂଚନା ମିଳିଛି ।

ପରବର୍ତ୍ତୀ ପର୍ଯ୍ୟାୟରେ ଦ୍ଵାଦଶ ଶ୍ରେଣୀ ପାଇଁ ମଧ୍ୟ ଓଡ଼ିଆ ଭାଷାରେ ବିଜ୍ଞାନ ପୁସ୍ତକ ପ୍ରସ୍ତୁତ କରିବାର ଯୋଜନା ରହିଛି । ଏହାଫଳରେ ପ୍ରାଥମିକ ଶିକ୍ଷାରୁ ଉଚ୍ଚ ବୈଷୟିକ ଶିକ୍ଷା ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ତରର ଛାତ୍ରଛାତ୍ରୀମାନଙ୍କ ପାଇଁ ଓଡ଼ିଆ ଭାଷାରେ ସନ୍ଦର୍ଭ ପୁସ୍ତକ ଉପଲବ୍ଧ କରିବା ପାଇଁ ଏକ ବଳିଷ୍ଠ ପଦକ୍ଷେପ ହେବ ।

ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ଆଇନ, ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୁତି ଭୁଷଣ ଜେନା, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ, ସମବାୟ, ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ଶିଳ୍ପ, ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଉଚ୍ଚଶିକ୍ଷା ତଥା ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଉନ୍ନୟନ କମିଶନର ଡିକେ ସିଂହ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶାଶ୍ବତ ମିଶ୍ର, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଏନ୍ ଥିରୁମାଲା ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।