ବାଲିଯାତ୍ରା ୨୦୨୫
LIVE TV

ଧନୀ ଓ ପ୍ରଭାବଶାଳୀଙ୍କ ଶିକାର–ଟ୍ରଫି ସିଣ୍ଡିକେଟ୍ ର ପର୍ଦ୍ଦାଫାସ୍

NEWS7
preity-zinta-said-punjab-kings-will-provide-oxygen-concentrators-to-fight-corona

ଭୋପାଲ ୧୦।୧୧: ମଧ୍ୟପ୍ରଦେଶରେ କୃଷ୍ଣସାର ମୃଗ ଓ ସମ୍ବର ମାଂସ ଜବତରୁ ଆରମ୍ଭ ହୋଇଥିବା ଏକ ମାମଲାର ଯାଞ୍ଚ ଏବେ ଭାରତର ସବୁଠୁ ଭୟାନକ ବନ୍ୟପ୍ରାଣୀ ଅପରାଧ ଯାଞ୍ଚରେ ପରିବର୍ତ୍ତିତ ହୋଇଛି। ଏହି ବ୍ୟାପକ ଯାଞ୍ଚ କଥିତ ଶିକାର-ଟ୍ରଫି ସିଣ୍ଡିକେଟ୍ ର  ପର୍ଦ୍ଦାଫାସ୍ କରିଛି, ଯାହା ଧନୀ ଗ୍ରାହକ, ରାଇଫଲ କ୍ଲବ ଓ ସୀମାପାର ଶିକାରୀ ସମୂହଙ୍କ ନିବିଡ ସମ୍ପର୍କକୁ ଉଜାଗର କରୁଛି।  ମୁମ୍ବାଇର ୩ ଯୁବକଙ୍କ ଗିରଫର  ପ୍ରାୟ ବର୍ଷକ ପରେ ଫରେନସିକ୍ ବିଶେଷଜ୍ଞମାନେ ଜବତ କରାଯାଇଥିବା ଫୋନ ଓ ଏନକ୍ରିପ୍ଟେଡ ମୋବାଇଲ ଡାଟା କ୍ରାକ୍ କରିଛନ୍ତି। ଏଥିରୁ ଭିଡିଓ, ଜିପିଏସ ଲଗ ଓ ଚ୍ୟାଟ୍ ରେକର୍ଡ ସବୁ ସାମ୍ନାକୁ ଆସିଛି, ଯେଉଁଥିରୁ ଖେଳ ଆୟୋଜନ ନାମରେ ଏକ ସିକ୍ରେଟ ବ୍ୟବସାୟୀକ ଶିକାରୀ ଗୋଷ୍ଠୀର ପର୍ଦ୍ଦାଫାସ ହୋଇଛି।

ଏଥିରୁ ୨୦୨୨-୨୦୨୪ ମଧ୍ୟରେ ମୋଟ ୬୦ଟି କୃଷ୍ଣସାର ମୃଗ, ଚିଙ୍କାରା ଓ ସମ୍ବର ଶିକାର ହୋଇଥିବା ପୁଷ୍ଟି ହୋଇଛି। ତଦନ୍ତାକୀରମାନେ କହିଛନ୍ତି ଯେ ଏହି ଅଭିଯାନ ସଂରକ୍ଷିତ ଜଙ୍ଗଲମାନଙ୍କୁ ଧନୀକଙ୍କ ପ୍ରାଇଭେଟ ଶିକାର ସ୍ଥଳରେ ପରିବର୍ତ୍ତିତ କରିଛି। ଏହା ଛଡା ଏହି ମାମଲା ଏବେ ରାଜସ୍ଥାନର ବିଷ୍ଣୋଇ ସମୂଦାୟଙ୍କ ଧ୍ୟାନ ଆକର୍ଷଣ କରିଛି। ଯେଉଁମାନେ କୃଷ୍ଣସାର ମୃଗଙ୍କୁ ପବିତ୍ର ମନେ କରନ୍ତି। ଏଥିପାଇଁ ବିଷ୍ଣୋଇ ସମୂଦାୟ ମଧ୍ୟପ୍ରଦେଶ ଉଚ୍ଚନ୍ୟାୟାଳଙ୍କ ଇନ୍ଦୋର ପୀଠରେ ଏକ ହସ୍ତକ୍ଷେପ ଆବେଦନ (ଆଇଏ) ଦାଖଲ କରିଛି। ଆଇଏରେ ବିଷ୍ଣୋଇ ସମୂଦାୟ ମୁମ୍ବାଇର ସନ୍ଦିଗ୍ଧ ସଲମାନ ପିୟାରଜୀର ଜାମିନ ନିବେଦନକୁ ବିରୋଧ କରିଛି। ଆଇଏ ଉପରେ କୋର୍ଟ ୧୧ ନଭେମ୍ବର ମଙ୍ଗଳବାର ସ୍ୱତନ୍ତ୍ର ଶୁଣାଣି କରିବେ ବୋଲି ଜଣାପଡିଛି।

ଏହି ବିଶାଳ ମୃଗ ଶିକାର କଥିତ ରୂପେ ଦକ୍ଷିଣ ଆଫ୍ରିକା ଶୈଳୀର ଶିକାର ଉପରେ ଆଧାରିତ, ଯେଉଁଥିରେ ଧନୀ ଲୋକେ ପ୍ରତିଯୋଗୀଙ୍କୁ ଟ୍ରଫି (ସିଙ୍ଗ) ଓ ମାଂସ ପାଇଁ ପଶୁଙ୍କୁ ଟ୍ରାକ କରିବା ଓ ମାରିବା ପାଇଁ ପୈଠ କରନ୍ତି । ତଦନ୍ତକାରୀ କହିଛନ୍ତି ଯେ ଏଥିରା ସାମିଲ ଲୋକେ ସଫାରୀ ଶିକାରର ଅଧ୍ୟୟନ ଓ ଅନୁକରଣ କରିଛନ୍ତି। ଏଣୁ ପୂର୍ବ ଚୟନିତ ଲକ୍ଷ୍ୟ, ରାତ୍ରି ପିଛା ତଥା ମଧ୍ୟ ଭାରତୀୟ ଜଙ୍ଗଲରେ ଟ୍ରଫି ଫଟୋ ସେସନ ଆଦି  ଏଥିରେ ସାମିଲ ଅଛି।ଡିକ୍ରିଫ୍ଟ କରାଯାଇଥିବା ଫାଇଲର ଏକ ଭିଡିଓରେ କଥିତ ରୂପେ ଏକ କୃଷ୍ଣାସର ମୃଗକୁ ଗୁଳି କରାଯାଉଥିବାର ଦେଖା ଯାଉଛି। ଟର୍ଚ୍ଚ ଆଲୋକରେ ରେକର୍ଡ କରାଯାଇଥିବା ଏହି ଭିଡିଓ ଏପରି ଅନେକ ଭିଡିଓ ମଧ୍ୟରୁ ଅନ୍ୟତମ ଯାହା ସିଣ୍ଡିକେଟ୍ ଦ୍ୱାରା କଥିତ ରୂପେ ରାତିରେ କରାଯାଉଥିବା ଶିକାରକୁ ଦେଖାଉଛି।

ଷ୍ଟେଟ୍ ଟାଇଗର ଷ୍ଟ୍ରାଇକ୍ ଫୋର୍ସ (ଏସଟିଏସଏଫ) ମୁଖପାତ୍ର ଶରଦ ଯାଟବ ଟାଇମ୍ସ ଅଫ ଇଣ୍ଡିଆକୁ କହିଛନ୍ତି ଯେ ଫରେନସିକ୍ ଡାଟା ‘ଭାନୁମତୀର ପେଡି’ ଖୋଲିଛି। ଯାଟବ କହିଛନ୍ତି ଯେ ସେମାନେ ମୁଖ୍ୟତଃ ଅଣ୍ଡିରା ହରିଣଙ୍କୁ ଶିକାର କରୁଥିଲେ।  ତେଣିକି ସେ କୃଷ୍ଣସାର ମୃଗ ହେଉ କି ଚିଙ୍କାରା, ଚିତଲ ଅଥବା ସମ୍ବର ହେଉ। ଆମେ ଭିଡିଓକୁ ସନ୍ଦିଗ୍ଧ ମୋବାଇଲ ଡାଟା ଲୋକେସନ ସହିତ ମିଳାଇଛୁ ବୋଲି ସେ ଦାବି କରିଛନ୍ତି। ସେ କହିଛନ୍ତି ଯେ ଅଣ୍ଡିରା ପଶୁଙ୍କୁ ଏଥି ପାଇଁ ଶିକାର କରାଯାଉଥିଲା ଯେ ସେମାନଙ୍କ ସିଙ୍ଗକୁ ଟ୍ରଫି ଆକାରରେ ନିଆଯାଇ ପାରିବ। ତେବେ ଭୋପାଲସ୍ଥିତ ସମୂହ ଏହି ସବୁ ଶିକାରରେ ସହାୟତା କରୁଥିଲା କି ଏହା ସମ୍ପୂର୍ଣ୍ଣ ମନୋରଞ୍ଜନ ପାଇଁ ଥିଲା ତାହା ଏବେ ଯାଞ୍ଚ ସାପେକ୍ଷ। ମାମଲାରେ ସ୍ଥାନୀୟ ସନ୍ଦିଗ୍ଧଙ୍କ ଗିରଫ ଏବେ ବାକି ଅଛି। ସେମାନଙ୍କୁ ପଚରା ଉଚରାରେ ଆହୁରି ଅନେକ ତଥ୍ୟ ପଦାକୁ ଆସିପାରେ। ସେପଟେ ଜବତ ରାଇଫଲଗୁଡିକୁ ବାଲିଷ୍ଟିକ୍ ଯାଞ୍ଚ ପାଇଁ ପଠାଇ ଦିଆଯାଇଛି।

ଯାଞ୍ଚରୁ ଏହା ବି ଜଣା ପଡିଛି ଯେ କଥିତ ସିଣ୍ଡିକେଟର ୨ ଜଣ ସଦସ୍ୟ ଟ୍ରଫି ଓ ମୃଗ ମାଂସ ପାଇଁ ଆଇନତଃ ଶିକାର କରିବା ନିମନ୍ତେ ଦକ୍ଷିଣ ଆଫ୍ରିକୀୟ ଦେଶ ଯାତ୍ରା କରିଥିଲେ। ଡିକ୍ରିପ୍ଟ କରାଯାଇଥିବା ଡାଟାରୁ ଏହା ଜଣାପଡିଛି ଯେ ୨୦୨୨-୨୦୨୪ ମଧ୍ୟରେ ନେଟୱାର୍କ ନର୍ମଦାପୁରମ, ରାଜଗଡ଼, ଶିହୋର, ଶାଜାପୁର, ରାୟସେନ, ବିଦିଶା, ଭୋପାଲ, ଉଜ୍ଜୈନ ଓ ଇନ୍ଦୋର ଡିଭିଜନର କେତେକ ଅଞ୍ଚଳରେ ୬୦ରୁ ଅଧିକ ସଂରକ୍ଷିତ ବନ୍ୟ ଜୀବଙ୍କୁ ଶିକାର କରିଛନ୍ତି। ଏହି କଥିତ ଶିକାରଗୁଡିକୁ ଗ୍ରାହକଙ୍କ ଆଗରେ ବିଶେଷ ‘ବନ୍ୟଜୀବ ଖେଳ ଅଭିଜ୍ଞତା’ ଭାବେ ପ୍ରଚାରିତ କରାଯାଇଛି।

ଏହି ମାମଲା ଏସଟିଏସଏଫ, ଇନ୍ଦୋର ବନ ବିଭାଗ ଓ ସ୍ଥାନୀୟ ପୋଲିସ ଇନ୍ଦୋର ଜିଲ୍ଲା କିସନ ଗଞ୍ଜ ବନାଞ୍ଚଳରେ ୩ କଥିତ ଶିକାରୀ ଜୌହର ସ୍ୟାନ, ଇୟାଜ ଓ ସଲମାନ ପିୟାରଜୀଙ୍କ ଗିରଫ ସହ ପ୍ରଥମ ଥର ଡିସେମ୍ବର ୨୦୨୪ରେ ସାମ୍ନାକୁ ଆସିଥିଲା। ଅଧିକାରୀ ସେମାନଙ୍କ ନିକଟରୁ ୬୫ କେଜି ବନ୍ୟଜନ୍ତୁ ମାଂସ, ଏକ ଦେଶୀ ପିସ୍ତଲ, ୩ଟି ଜୀବନ୍ତ ଗୁଳି ଓ ମହାରାଷ୍ଟ୍ର ପଞ୍ଜିକରଣ ଥିବା ଏକ ଏସୟୁଭି ଜବତ କରିଥିଲେ। ଫରେନସିକ୍ ଯାଞ୍ଚ ପରେ ଚତୁର୍ଥ ଗିରଫଦାରୀ ଚଳିତବର୍ଷ ଅକ୍ଟୋବର ୨୪ ତାରିଖ ଦିନ ହୋଇଛି। ଏଥିରେ ସଲମାନର ପୁଅ ସବା (୪୫)କୁ ମୁମ୍ବାଇର ଜୋଗେରୀସ୍ଥିତ ମିତ୍ରା ନଗରରୁ ଧରାଯାଇଛି।

ତଦନ୍ତକାରୀ କଥିତ ଶିକାରୀ ଓ କିଛି ରାଇଫଲ କ୍ଲବ ସଦସ୍ୟଙ୍କ ସମ୍ପର୍କକୁ ଏବେ ଯାଞ୍ଚ କରୁଛନ୍ତି। କ୍ଲବ ଅସ୍ତ୍ରଶସ୍ତ୍ର ଓ ଗୁଳି, ଗୋଳା ଯୋଗାଇ ଦେଉଥିବାର ସନ୍ଦେହ କରାଯାଉଛି। କୁହାଯାଉଛି କିଛି ଲୋକେ ଜଙ୍ଗଲ କଡରେ ସେମାନଙ୍କ ଲାଗି ଶିକାର କ୍ଷେତ୍ର ଚିହ୍ନଟ କରିବାକୁ ସହାୟତା କରୁଥିଲେ। ଜନୈକ ବରିଷ୍ଠ ତଦନ୍ତକାରୀ ଅଧିକାରୀ ପୁଷ୍ଟି କରିଛନ୍ତି ଯେ ଏହା ସମ୍ପୂର୍ଣ୍ଣ ରୂପେ ଏକ ବ୍ୟବସାୟୀକ ଗତିବିଦ୍ଧି ଯାହାକୁ ଖେଳ ରୂପେ ଦର୍ଶା ଯାଉଥିଲା। ଏଣୁ ମାମଲାରେ ମହାରାଷ୍ଟ୍ର ଓ ରାଜସ୍ଥାନରେ ଆହୁରି ଅନେକ ଗିରଫ ହୋଇପାରେ ବୋଲି ଅନୁମାନ କରାଯାଉଛି।