'ସଞ୍ଜୁଙ୍କୁ ସମୟ ଦିଅ, ସେ ଭଲ ଖେଳିବେ' : ଗମ୍ଭୀରଙ୍କୁ ଚେତାବନୀ ଦେଲେ ପୂର୍ବତନ କ୍ରିକେଟର୍

NEWS7
prameya-prayas-for-green-cuttack

ମୁମ୍ବାଇ,|୧: ଚାଲୁନି ବ୍ୟାଟ୍ । ବାହାରୁନି ରନ୍ । ଗୋଟିଏ ଦୁଇଟି ବଲ୍ ଖେଳି ଫେରୁଛନ୍ତି ପ୍ୟାଭିଲିୟନ । ଦଳକୁ ଆବଶ୍ୟକ ଥିବା ବେଳେ ବି ଫ୍ଲପ୍ ହେଉଛନ୍ତି ସଞ୍ଜୁ ସାମସନ୍ । ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ତିନୋଟି ମୁକାବିଲାରେ ଅତି ଦୟନୀୟ ଫର୍ମ ପ୍ରଦର୍ଶନ କରିଥିଲେ ସଞ୍ଜୁ । ଚୁତର୍ଥ ମୁକାବିଲାରେ ଗୋଟିଏ ଦୁଇଟି ସଟ୍ ଆସିଥିଲା । ସବୁ ଭାବିଥିଲେ ସଞ୍ଜୁ ଫର୍ମକୁ ଫେରି ଆସିଛନ୍ତି । ହେଲେ ବେଶି କିଛି କରିସ୍ମା ନକରି ମିଚେଲ୍ ସାଣ୍ଟନରଙ୍କ ବଲରେ ବୋଲ୍ଡ ହୋଇଥିଲେ ସେ । ତେବେ ତାଙ୍କ ଫର୍ମକୁ ନେଇ ଦଳର ମ୍ୟାନେଜମେଣ୍ଟ ଏବଂ କୋଚ୍ ଗୌତମ ଗମ୍ଭୀର । ଏସବୁ ଭିତରେ ସଞ୍ଜୁଙ୍କ ସମର୍ଥନରେ ବାହାରିଛନ୍ତି ମହମ୍ମଦ କୈଫ୍ ।

କୈଫ କହିଛନ୍ତି ଯେ, ଭାରତୀୟ ଦଳରେ ସଞ୍ଜୁଙ୍କୁ ନେଇ ଅନେକ ଆଲୋଚନା ହେଉଛି । ସେ ସ୍କୋର କରିପାରୁ ନାହାଁନ୍ତି । ଦଳରେ ତାଙ୍କୁ ଜାଗା ନଦେବାକୁ ମଧ୍ୟ କେହି କେହି କଥା ହେଉଥିବେ । କିନ୍ତୁ ଏବେକାର ସମୟରେ ଦଳରେ ସଞ୍ଜୁଙ୍କ ଆବଶ୍ୟକତା ରହିଛି । ସେ ଟି୨୦ଫର୍ମାଟରେ ତିନୋଟି ସେଞ୍ଚୁରୀ ଲଗାଇଛନ୍ତି । ଅନେକ ସମୟରେ ନିଜ ଦକ୍ଷତାର ପ୍ରମାଣ ଦେଇଛନ୍ତି । ତାଙ୍କ ପାଖରେ ସାମର୍ଥ୍ୟ ରହିଛି ।

ସେ ଆହୁରି କହିଛନ୍ତି ଯେ, ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଫ୍ଲପ୍ ହୋଇଥିଲେ ସୂର୍ଯ୍ୟକୁମାର ଯାଦବ । କିନ୍ତୁ ନ୍ୟୁଜିଲାଣ୍ଡ ବିପକ୍ଷରେ ସେ ଫର୍ମ୍ ଫେରି ପାଇଛନ୍ତି । ସେହିପରି ସଞ୍ଜୁ ମଧ୍ୟ ଆଗକୁ ଫର୍ମ୍ ଫେରି ପାଇବେ । କିନ୍ତୁ କେବଳ ଧୈର୍ଯ୍ୟ ଧରି ସେହି ସମୟକୁ ଅପେକ୍ଷା କରିବାକୁ ହେବ । ସୂର୍ଯ୍ୟ ଦଳର ଅଧିନାୟକ । ଫର୍ମରେ ନଥାଇ ମଧ୍ୟ ସେ ଆତ୍ମବିଶ୍ୱାସ ହରାଇନଥିଲେ । ତାଙ୍କର ନିଜ ଦକ୍ଷତା ଉପରେ ଭରପୁର ବିଶ୍ୱାସ ଥିଲା । ଦଳ ତାଙ୍କୁ ଲଗାତାର ସୁଯୋଗ ଦେଲା । ଯାହା ପରେ ସେ ଏବେ ଫର୍ମ ଫେରିପାଇଲେ ।

ଭାରତୀୟ ଦଳର ପୂର୍ବତନ ଖେଳାଳି କୈଫ୍ ଆହୁରି କହିଛନ୍ତି ଯେ, ଏବେ ଦଳକୁ ଇଶାନ କିଷାନ ଫେରିଛନ୍ତି । ସେ ଭଲ ବ୍ୟାଟିଂ କରୁଛନ୍ତି । ସଞ୍ଜୁଙ୍କ ଜାଗାରେ ତାଙ୍କୁ ସ୍ଥାନ ଦେବାକୁ କେହି କେହି କହୁଛନ୍ତି । କୌଣସି ଖେଳାଳି ସବୁଦିନ ଭଲ ଖେଳିବେନି । ସଞ୍ଜୁ କେବେହେଲେ ଦଳରେ ନିୟମିତ ସ୍ଥାନ ପାଇ ନାହାଁନ୍ତି । ତେଣୁ ତାଙ୍କୁ ସୁଯୋଗ ଦେବା ଦରକାର ବୋଲି କୈଫ କହିଛନ୍ତି ।