ରାଷ୍ଟ୍ରପତିଙ୍କ ଅତିଥି ହେବେ ହରିୟାଣାର ଚାଷୀ ୟଶପାଲ, ଗଣତନ୍ତ୍ର ଦିବସରେ କରାଯିବ ସମ୍ମାନିତ

NEWS7
prameya-journalist-attacked-by-miscreants-in-puri

ନୂଆଦିଲ୍ଲୀ ୧୮।୦୧; ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅତିଥି ହେବେ ରେୱାଡ଼ୀ ଜିଲ୍ଲାର ଚାଷୀ ୟଶପାଲ । ଦେଶର ୭୭ତମ ଗଣତନ୍ତ୍ର ଦିବସ ଅବସରରେ ସମ୍ମାନିତ ହେବାକୁ ଯାଉଥିବା ୬ ଚାଷୀଙ୍କ ମଧ୍ୟରେ ସେ ଅନ୍ୟତମ । ରାଷ୍ଟ୍ରପତିଙ୍କ ଅତିଥି ହେବା ପାଇଁ ରାଷ୍ଟ୍ରପତି ଭବନ ତରଫରୁ ତାଙ୍କୁ ଔପଚାରିକ ନିମନ୍ତ୍ରଣ ମିଳିଛି । ୟଶପାଲ ଆସନ୍ତା ୨୫ ତାରିଖରେ ପତ୍ନୀ ଅନୀତା କୁମାରୀଙ୍କ ସହ ଦିଲ୍ଲୀ ଯାତ୍ରା କରିବେ ଏବଂ ୨୮ ତାରିଖରେ ଫେରିବେ । ଗଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଏହି କୃଷକଙ୍କୁ ଆଇସିଏଆର୍ ଦିଲ୍ଲୀ ଯାଏ ଯିବାକୁ ପଡ଼ିବ । ସେଠାରୁ ରାଷ୍ଟ୍ରପତି ଭବନରେ ପହଞ୍ଚିବା ଓ ସେଠାରେ ରହିବାର ପୂରା ବ୍ୟବସ୍ଥା ସରକାର କରିବେ ।

୨୦୨୮ରେ ବାପାଙ୍କର କର୍କଟ ରୋଗରେ ମୃତ୍ୟୁ ପରେ ୟଶପାଲ ସମ୍ପୂର୍ଣ୍ଣ ରୂପେ ପ୍ରାକୃତିକ ଚାଷକୁ ଆପଣେଇଥିଲେ । ୨୦୧୪ରେ ହିଁ ସେ ପ୍ରାକୃତିକ ଚାଷ ଆରମ୍ଭ କରିଥିଲେ । ୟଶପାଲ ନିଜେ କେବଳ ପ୍ରାକୃତିକ ଚାଷକୁ ଆପଣେଇଛନ୍ତି ତାହା ନୁହେଁ, ବରଂ ଏକ ବିଶାଳ କ୍ଷେତ୍ରକୁ ପ୍ରାକୃତିକ ଚାଷ ଭୂମିରେ ରୂପାନ୍ତର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି । ସେ ବିଭିନ୍ନ କୃଷି ସଂସ୍ଥା ସହ ସମନ୍ୱୟ ସ୍ଥାପନ କରି କେବଳ ନିଜ କ୍ଷେତ ନୁହେଁ, ଅନ୍ୟ ଚାଷୀଙ୍କ କ୍ଷେତରେ ପ୍ରାକୃତିକ ଉତ୍ପାଦନକୁ ସଫଳତାପୂର୍ବକ ପ୍ରୋତ୍ସାହନ ଦେଇଛନ୍ତି । ପ୍ରାକୃତିକ ଉତ୍ପାଦଗୁଡ଼ିକର ଖୁଚୁରା ବଜାରର ଏକ ପ୍ରଭାବଶାଳୀ ଓ ପ୍ରେରକ ମଡେଲ ମଧ୍ୟ ବିକଶିତ କରିଛନ୍ତି ।

ଏହା ଦ୍ୱାରା ଚାଷୀଙ୍କୁ ସେମାନଙ୍କ ଅମଳର ଉଚିତ୍ ମୂଲ୍ୟ ମିଳୁଛି ଏବଂ ଗ୍ରାହକଙ୍କ ପାଖରେ ଶୁଦ୍ଧ, ସୁରକ୍ଷିତ ଖାଦ୍ୟାନ୍ନ ପହଞ୍ଚୁଛି । ତାଙ୍କର ଏହି ମଡେଲ ଆଜି ଅନେକ ଚାଷୀଙ୍କ ପାଇଁ ମାର୍ଗଦର୍ଶକ ହୋଇଛି । ୟଶପାଲ କହିଛନ୍ତି, ଦେଶର ପ୍ରଥମ ନାଗରିକଙ୍କ ନିମନ୍ତ୍ରଣ ମିଳିବା ମୋ ପାଇଁ ଗର୍ବର କଥା । ୩ ଦିନ ରାଷ୍ଟ୍ରପତି ଭବନରେ ରହିବାର ସମ୍ମାନ ଆହୁରି ଉତ୍ସାହବର୍ଦ୍ଧକ । ଏହା କେବଳ ମୋତେ ପ୍ରେରଣା ଦେବ ତାହା ନୁହେଁ, ଅନ୍ୟ ଚାଷୀଙ୍କୁ ପ୍ରାକୃତିକ ଚାଷ ଆପଣେଇବାକୁ ଉତ୍ସାହିତ କରିବ ।